/odisha-reporter/media/media_files/2026/02/24/rinku-singh-2026-02-24-20-15-14.jpg)
ବାପା ମା’ଙ୍କ ସହ ରିଙ୍କୁ ସିଂହ (ଫାଇଲ ଫଟୋ)
ଚଳିତ ଟି-୨୦ ବିଶ୍ୱକପରେ ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମକୁ ଲାଗିଛି ଝଟକା। ନିୟମିତ ଭାବେ ଫିନିଶର ଭୂମିକା ତୁଲାଉ ଥିବା ଟିମ ଇଣ୍ଡିଆର ବ୍ୟାଟର ରିଙ୍କୁ ସିଂହ(Rinku Singh) ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପୂର୍ବରୁ ଘରକୁ ଫେରିଛନ୍ତି।
ସେ ଟିମ ସହ ଗୁରୁବାର ମ୍ୟାଚ ପାଇଁ ସୋମବାର ଠାରୁ ଚେନ୍ନାଇ ଯାଇଥିଲେ। କିନ୍ତୁ ହଠାତ୍ ସେ ସ୍କ୍ୱାଡରୁ ବାହାରି ଯାଇଛନ୍ତି। ଚେନ୍ନାଇରୁ ସେ ସିଧା ଉତ୍ତର ପ୍ରଦେଶ ସ୍ଥିତ ନିଜ ଘରକୁ ଆସିଛନ୍ତି। ପରିବାରର ଏମର୍ଜେନ୍ସି ପାଇଁ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ରିଙ୍କୁ ସିଂହଙ୍କ ବାପା ଖାନଚାନ୍ଦ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ବିଗିଡ଼ି ଯାଇଛି। ଗ୍ରେଟର ନୋଏଡାର ଗୋଟିଏ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ସେ ଭେଣ୍ଟିଲେଟରରେ ରହିଛନ୍ତି। ବାପାଙ୍କ ଏପରି ଅବସ୍ଥା କଥା ରିଙ୍କୁ ସିଂହଙ୍କ ପାଖରେ ପହଞ୍ଚିବା କ୍ଷଣି ସେ ବିଚଳିତ ହୋଇପଡ଼ିଥିଲେ। ସେ ତୁରନ୍ତ ଚେନ୍ନାଇରୁ ଘରକୁ ଫେରିଛନ୍ତି। ଏଥିସହ ସେ ଆଜି ଅଭ୍ୟାସ ସେସନ୍ସରେ ମଧ୍ୟ ଯୋଗ ଦେଇ ନାହାନ୍ତି।
ସେ ଆସନ୍ତାକାଲି ସ୍କ୍ୱାଡରେ ଯୋଗ ଦେବେ କି ନାହିଁ, ସେକଥା ମଧ୍ୟ ସ୍ପଷ୍ଟ ହୋଇନି। ଯଦି ସେ ଆସନ୍ତାକାଲି ଅଭ୍ୟାସ ସେସନ୍ସରେ ସାମିଲ ହେବେ ନାହିଁ, ତା’ହେଲେ ଗୁରୁବାର ଜିମ୍ବାୱେ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରୁ ମଧ୍ୟ ବାଦ ପଡ଼ିବେ।
ରବିବାର ଭାରତ ଅହମଦାବାଦରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ସୁପର ୮ ମୁକାବିଲା ଖେଳିଥିଲା। ହେଲେ ଦଳ ଏହି ମ୍ୟାଚକୁ ୭୬ ରନରେ ହାରିଛି। ରିଙ୍କୁ ସିଂହ ମଧ୍ୟ ଉକ୍ତ ମ୍ୟାଚରେ ଖାତା ଖୋଲି ପାରି ନଥିଲେ। ଭାରତକୁ ସେମି ଫାଇନାଲ ଦୌଡ଼ରେ ରହିବାକୁ ହେଲେ ବାକି ଥିବା ଦୁଇଟି ଯାକ ମ୍ୟାଚ ଜିତିବାକୁ ପଡ଼ିବ। ସେହିପରି ଦଳକୁ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ବିପକ୍ଷ ମୁକାବିଲାର ରେଜଲ୍ଟ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ। ଏସବୁ ଭିତରେ ମ୍ୟାଚ୍ ପୂର୍ବରୁ ରିଙ୍କୁ ସିଂହ ଘରକୁ ହଠାତ ଫେରିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
