Advertisment

ଡିପିଏଲ ଅକ୍ସନରେ ସାମିଲ ହେବେ ପନ୍ତ ଓ ଅନ୍ୟ ୯ ଆଇପିଏଲ ଷ୍ଟାର

ପନ୍ତଙ୍କ ବ୍ୟତୀତ ଆଉ ୯ ଜଣ ଆଇପିଏଲ ଷ୍ଟାର ମଧ୍ୟ ଡିପିଏଲ ଖେଳିବାକୁ ଆଗ୍ରହ ଦେଖାଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଯୁବ ତାରକା ପ୍ରିୟାଂଶ ଆର୍ଯ୍ୟ ଓ ଦିଗବେଶ ରାଠି ରହିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Pant

Pant

ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ଋଷଭ ପନ୍ତ ଏବେ ଦିଲ୍ଲୀ ପ୍ରିମିୟର ଲିଗ ବା ଡିପଏଲରେ ନଜର ଆସିବେ। ଆଇପିଏଲ ଅକ୍ସନ ବେଳେ ତାଙ୍କୁ ରେକର୍ଡ ୨୭ କୋଟି ଟଙ୍କା ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ବା ଏଲଏସଜି କିଣିଥିଲା। ଏବେ ପନ୍ତ ଡିପିଏଲ ଅକ୍ସନରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଅକ୍ସନ ବେଳେ ତାଙ୍କୁ ନେବାକୁ ୮ଟି ଯାକ ପ୍ରାଞ୍ଚାଇଜ ଟଙ୍କା ବର୍ଷା କରି ପାରନ୍ତି।

Advertisment

ପନ୍ତଙ୍କ ବ୍ୟତୀତ ଆଉ ୯ ଜଣ ଆଇପିଏଲ ଷ୍ଟାର ମଧ୍ୟ ଡିପିଏଲ ଖେଳିବାକୁ ଆଗ୍ରହ ଦେଖାଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଯୁବ ତାରକା ପ୍ରିୟାଂଶ ଆର୍ଯ୍ୟ ଓ ଦିଗବେଶ ରାଠି ରହିଛନ୍ତି। ଏମାନେ ସମସ୍ତେ ଅକ୍ସନରେ ସାମିଲ ହେବ। ଆସନ୍ତା ଜୁଲାଇ ୬ ଓ ୭ ତାରିଖରେ ଡିପିଏଲ ପାଇଁ ଦିଲ୍ଲୀରେ ଅକ୍ସନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ମଙ୍ଗଳବାର ଦିଲ୍ଲୀ ଓ ଡିଷ୍ଟ୍ରିକ କ୍ରିକେଟ ଆସୋସିଏସନ ବା ଡିଡିସିଏ କହିଛି ଯେ ଡିପିଏଲରେ ଚଳିତ ବର୍ଷ ଆଉ ୨ଟି ନୂଆ ପ୍ରାଞ୍ଚାଇଜ ସାମିଲ ହେବ। ଫଳରେ ୬ ବଦଳରେ ଏଣିକି ୮ଟି ଟିମକୁ ନେଇ ଡିପିଏଲ ଖେଳଯିବ।

Advertisment

ଆଉଟର ଦିଲ୍ଲୀ ପ୍ରାଞ୍ଚାଇଜକୁ ସବିତା ପେଣ୍ଟ୍ସ ପ୍ରାଇଭେଟ ଲିଃ ୧୦.୬ କୋଟିରେ କିଣିଛି। ସେହିପରି ନୂଆ ଦିଲ୍ଲୀ ପ୍ରାଞ୍ଚାଇଜକୁ ୯.୨ କୋଟି ଟଙ୍କାରେ ଭୀମା ଟୋଲିଂ ଆଣ୍ଡ ଟ୍ରାଫିକ ସଲ୍ୟୁସନ୍ସ ପ୍ରାଇଭେଟ ଲିଃ ଓ କ୍ରାୟନ ଆଡଭରଟାଇଜିଂ ଲିଃ ଦଖଲ କରିଛି। ଏହି ଦୁଇ ନୂଆ ଦଳ ବ୍ୟତୀତ ପୂର୍ବରୁ ୬ଟି ଟିମ ମଧ୍ୟ ଡିପିଏଲ ଖେଳିବେ। ସେମାନେ ହେଲେ ସେଣ୍ଟ୍ରାଲ ଦିଲ୍ଲୀ କିଙ୍ଗସ, ଇଷ୍ଟ ଦିଲ୍ଲୀ ରାଇଡର୍ସ, ନର୍ଥ ଦିଲ୍ଲୀ ଷ୍ଟ୍ରାଇକର୍ସ, ପୁରାନି ଦିଲ୍ଲୀ ୬, ସାଉଥ ଦିଲ୍ଲୀ ସୁପରଷ୍ଟାର୍ସ ଓ ୱେଷ୍ଟ ଦିଲ୍ଲୀ ଲାୟନ୍ସ।

ଡିପିଏଲ ଓ ଡିଡିସିଏ ସଭାପତି ରୋହନ ଜେଟଲୀ କହିଛନ୍ତି, “ଦିଲ୍ଲୀ ପ୍ରିମିୟର ଲିଗ ଗୋଟିଏ ଟୁର୍ଣ୍ଣାମେଣ୍ଟ ଠାରୁ ଅଧିକ। ଏହା ରାଜଧାନୀର ମୂଳ କ୍ରିକେଟ ସଂସ୍କୃତିକୁ ପାଳନ କରିବାର ଉତ୍ସବ। ସିଜନ ୧ରେ ଯେଉଁ ଭଳି ଦକ୍ଷତା ସମ୍ପନ୍ନ ଖେଳାଳିଙ୍କୁ ଦେଖିବାକୁ ମିଳିଥିଲା, ତାହା ବେଶ ଆନନ୍ଦ ଦାୟକ। ଆମେ ଅଧିକରୁ ଅଧିକ ଖେଳାଳିଙ୍କୁ ଚମକିବା ପାଇଁ ମଞ୍ଚ ଦେବାକୁ ଚାହୁଁଛୁ।

ଡିପିଏଲ ଯୋଗୁ ପ୍ରିୟାଂଶ ଆର୍ଯ୍ୟ ଓ ଦିଗବେଶ ରାଠିଙ୍କ ଭଳି ଖେଳାଳି ସାମ୍ନାକୁ ଆସିଛନ୍ତି। ସେମାନେ ଆଇପିଏଲରେ ନିଜର ଦକ୍ଷତା ପ୍ରକାଶ କରିପାରିଛନ୍ତି। ଏଥର ଅକ୍ସନରେ ଆହୁରି ବଡ଼ବଡ଼ ଖେଳାଳି ସାମିଲ ହେବେ।”

ପନ୍ତ, ରାଠି ଓ ପ୍ରିୟାଂଶଙ୍କ ବ୍ୟତୀତ ଈଶାନ୍ତ ଶର୍ମା, ଆୟୁଷ ବଦୋନି, ହର୍ଷିତ ରାଣା, ହିମତ ସିଂହ, ସୂୟଶ ଶର୍ମା, ମୟଙ୍କ ଯାଦବ ଓ ଅନୁଜ ରାଉତଙ୍କ ଭଳି ଆଇପିଏଲ ଷ୍ଟାରମାନେ ଡିପିଏଲ ଅକ୍ସନରେ ସାମିଲ ହେବେ।

IPL Rishabh Pant