pant
ଦୁବାଇ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତକୁ ୩-୧ରେ ଜିତାଇବାରେ ପ୍ରମୁଖ ଭୂମିକା ବହନ କରିଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ସଦ୍ୟ ଘୋଷିତ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ବଡ଼ ଫାଇଦା ହୋଇଛି। ପନ୍ତ ପ୍ରଥମଥର ଲାଗି ଟେଷ୍ଟ ରାଙ୍କିଙ୍ଗରେ ଟପ୍-୧୦ରେ ପ୍ରବେଶ କରିଛନ୍ତି। ପନ୍ତ ଏକାଥରକେ ୭ଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି। ପନ୍ତଙ୍କ ବ୍ୟତୀତ ରୋହିତ୍ ଶର୍ମାଙ୍କୁ ଗୋଟିଏ ସ୍ଥାନର ଫାଇଦା ହୋଇଛି ଏବଂ ସେ ପନ୍ତଙ୍କ ସହ ଯୁଗ୍ମ ଭାବେ ସପ୍ତମ ସ୍ଥାନରେ ରହିଛନ୍ତି। ଟପ୍-୧୦ରେ ତୃତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ୮୧୪ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି।
ଅନ୍ୟପକ୍ଷରେ ବୋଲରଙ୍କ ରାଙ୍କିଙ୍ଗରେ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ମଧ୍ୟ ଫାଇଦା ହୋଇଛି। ଇଂଲଣ୍ଡ ବିପକ୍ଷ ସିରିଜରେ ସର୍ବାଧିକ ୩୨ଟି ୱିକେଟ୍ ନେଇଥିବା ଅଶ୍ୱିନ୍ ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟରେ ପହଞ୍ଚିଯାଇଛନ୍ତି। ଅଶ୍ୱିନଙ୍କ ଉପରକୁ କେବଳ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ରହିଛନ୍ତି, ଯାହାଙ୍କ ନାଁରେ ୯୦୮ ରେଟିଂ ପଏଣ୍ଟ ରହିଛି। ଅଶ୍ୱିନଙ୍କର ୮୫୦ ରେଟିଂ ପଏଣ୍ଟ ରହିଛି। ଇଂଲଣ୍ଡର ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନ୍ ଦୁଇଟି ସ୍ଥାନ ଉପରକୁ ଉଠି ଚତୁର୍ଥରେ ପହଞ୍ଚିଛନ୍ତି।
https://twitter.com/ICC/status/1369634508715171844?s=20
ସେହିପରି ଅଲରାଉଣ୍ଡର ତାଲିକାରେ ବେନ୍ ଷ୍ଟୋକ୍ସ ଓ ଅଶ୍ୱିନଙ୍କୁ ଗୋଟିଏ ଲେଖାଏ ସ୍ଥାନର ଫାଇଦା ହୋଇଛି। ଦୁଇ ଖେଳାଳି ଯଥାକ୍ରମେ ଦ୍ୱିତୀୟ ଓ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ସିରିଜରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିବା ୱାଶିଂଟନ୍ ସୁନ୍ଦରଙ୍କୁ ୩୯ଟି ସ୍ଥାନର ଫାଇଦା ହୋଇଛି ଏବଂ ସେ ୬୨ତମ ସ୍ଥାନରେ ପହଞ୍ଚିଛନ୍ତି। ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଅଜିଙ୍କ୍ୟ ରାହାଣେ (୧୪ଶ) ଓ ଚେତେଶ୍ୱର ପୂଜାରା (୧୩ଶ)ଙ୍କୁ ଗୋଟିଏ ଲେଖାଏ ସ୍ଥାନର କ୍ଷତି ହୋଇଛି।
ସୂଚନାଯୋଗ୍ୟ, ଇଂଲଣ୍ଡକୁ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୩-୧ରେ ହରାଇବା ପରେ ଟିମ ଇଣ୍ଡିଆ ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ପକ୍କା କରିବା ସହ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ମଧ୍ୟ ଶୀର୍ଷ ସ୍ଥାନ କବଜା କରିନେଇଛି। ଭାରତ ଏବେ ଟେଷ୍ଟରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଦିନିକିଆ ଓ ଟି-୨୦ରେ ଦ୍ୱିତୀୟ ସ୍ଥାନରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/pant-1.jpg)