Advertisment

୧୪ ମାସ ପରେ ପନ୍ତଙ୍କୁ ଫିଟ ଘୋଷଣା କଲା ବିସିସିଆଇ, ଖେଳିବେ ଆଇପିଏଲ

ବିସିସିଆଇ ପନ୍ତ ଫିଟ ଘୋଷିତ ହୋଇଥିବା କଥାକୁ ନିଶ୍ଚିତ କରିଛି। ବର୍ତ୍ତମାନ ପନ୍ତ ଉଭୟ ବ୍ୟାଟିଂ ଓ କିପିଂ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବିସିସିଆଇ କହିଛି।

author-image
Hemant Lenka
Rishabh Pant

Rishabh Pant

ଦୀର୍ଘ ୧୪ ମାସ ପରେ କାର୍‌ ଦୁର୍ଘଟଣାରେ ଆହତ ହୋଇ କ୍ରିକେଟରୁ ଦୂରେଇ ରହିଥିବା ଋଷଭ ପନ୍ତ ଆଜି ଫିଟ ଘୋଷିତ ହୋଇଛନ୍ତି। ବିସିସିଆଇର ମେଡିକାଲ ଟିମ ତାଙ୍କର ଫିଟନେସ ଟେଷ୍ଟ ନେବା ପରେ ମ୍ୟାଚ୍‌ ଖେଳିବାକୁ ଅନୁମତି ଦେଇଛନ୍ତି।

Advertisment

ଗୋଟିଏ ବିବୃତିରେ ବିସିସିଆଇ ପନ୍ତ ଫିଟ ଘୋଷିତ ହୋଇଥିବା କଥାକୁ ନିଶ୍ଚିତ କରିଛି। ବର୍ତ୍ତମାନ ପନ୍ତ ଉଭୟ ବ୍ୟାଟିଂ ଓ କିପିଂ କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ବିସିସିଆଇ କହିଛି।

ମାର୍ଚ୍ଚ ୨୨ରୁ ଆଇପିଏଲ ଆରମ୍ଭ ହେବ। ଏହାପୂର୍ବରୁ ପନ୍ତ ଫିଟ ହେବା କେବଳ ଭାରତୀୟ କ୍ରିକେଟ ନୁହେଁ, ବରଂ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମଧ୍ୟ ଗୋଟିଏ ବଡ଼ ଆଶ୍ୱସ୍ତିର ଖବର। କାରଣ ଆହତ ଯୋଗୁ ପନ୍ତ ୨୦୨୩ ଆଇପିଏଲରୁ ବଞ୍ଚିତ ହୋଇଥିଲେ। ସେହିପରି ୨୦୨୨ ଡିସେମ୍ବରରୁ ସେ ଭାରତ ପାଇଁ ମଧ୍ୟ କ୍ରିକେଟ ଖେଳି ନାହାନ୍ତି।

Advertisment

ଜୁନ ୧ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏବେ ପନ୍ତ ମଧ୍ୟ ଟି-୨୦ ବିଶ୍ୱକପ ଖେଳିବା ଦୌଡ଼ରେ ନିଜକୁ ସାମିଲ କରିଛନ୍ତି। ବିସିସିଆଇ ପନ୍ତଙ୍କ କମବ୍ୟାକ ପାଇଁ ସବୁଜ ଦେଇଥିବାରୁ ସେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ମଧ୍ୟ ନେବେ। ପନ୍ତଙ୍କ ଅନୁପସ୍ଥିତିରେ ଡାଭିଡ ୱାର୍ଣ୍ଣର ୨୦୨୩ରେ ଦିଲ୍ଲୀର ନେତୃତ୍ୱ ନେଇଥିଲେ। ହେଲେ ଦିଲ୍ଲୀ ୮ନମ୍ବରରେ ରହି ନିଜର ଅଭିଯାନ ଶେଷ କରିଥିଲା।

ବିସିସିଆଇ ପକ୍ଷରୁ ଆଜି କୁହାଯାଇଛି ଯେ ୨୦୨୨ ମସିହା ଡିସେମ୍ବର ୩୦ରେ ପନ୍ତ ଉତ୍ତରାଖଣ୍ଡର ରୁରକୀ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହାପରେ ଦୀର୍ଘ ୧୪ ମାସର ରିହାବ ଓ ସୁସ୍ଥ ହେବା ପ୍ରକ୍ରିୟା ଚାଲିଥିଲା। ଏବେ ସେ ୱିକେଟ କିପର ବ୍ୟାଟର ଭାବେ ଆଗାମୀ ଟାଟା ଆଇପିଏଲ ୨୦୨୪ ପାଇଁ ଫିଟ ଘୋଷିତ ହୋଇଛନ୍ତି।

୨୦୨୨ ଡିସେମ୍ବର ମାସରେ କାର ଦୁର୍ଘଟଣା ଯୋଗୁ ପନ୍ତଙ୍କ ଡାହାଣ ପଟ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ଆହତ ସମସ୍ୟା ଏତେ ଜଟିଳ ଥିଲା ଯେ ତାଙ୍କୁ ଲିଗାମେଣ୍ଟ ସର୍ଜରୀ କରିବାକୁ ପଡ଼ିଥିଲା। ତାଙ୍କ ଗୋଇଠି ଓ ରିଷ୍ଟ ମଧ୍ୟ ଭାଙ୍ଗି ଯାଇଥିଲା।

ଭୟଙ୍କର ଦୁର୍ଘଟଣାରେ ପନ୍ତ ଯାଉଥିବା କାର୍‌ଟି ମଧ୍ୟ ଜଳି ଯାଇଥିଲା। ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ପନ୍ତ ହାର ମାନି ନଥିଲେ। ଆହତ ସମସ୍ୟାରୁ ସେ ମୁକୁଳିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଶେଷରେ ବିସିସିଆଇ ତାଙ୍କୁ ବିଧିବଦ୍ଧ ଭାବେ ଫିଟ ଘୋଷଣା କରିଛି। 

Bcci IPL Rishabh Pant ICC IPL 2024