Advertisment

ଋଷଭ ପନ୍ତଙ୍କ ଆହତ ସମସ୍ୟାକୁ ନେଇ ଆସିଲା ବଡ଼ ଖବର

କ୍ରିସ ୱକ୍ସଙ୍କ ବଲରେ ରିଭର୍ସ ସୁଇପ ଖେଳୁଥିବା ବେଳେ ବଲଟି ବ୍ୟାଟର ଧାରରେ ବାଜି ତାଙ୍କ ଡାହାଣ ଗୋଡ଼ର ବୁଟରେ ମାଡ଼ ହୋଇଥିଲା। ଆଘାତ ଜୋରଦାର ଥିବାରୁ ପନ୍ତ ଫିଜିଓଙ୍କୁ ଡାକିଥିଲେ। ଜୋତା ଖୋଲିବା କ୍ଷଣି ତାଙ୍କ ପାଦ ଫୁଲି ଯାଇଥିବା ଜଣାପଡ଼ିଥିଲା।

Pant

Pant

Advertisment

ପୁଣିଥରେ ଆହତ ହୋଇଛନ୍ତି ଭାରତୀୟ ଟିମର ୱିକେଟ କିପର ବ୍ୟାଟର ଋଷଭ ପନ୍ତ। ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ବ୍ୟାଟିଂ କରୁଥିବା ବେଳେ ପନ୍ତ ଗୁରୁତର ଆହତ ହୋଇଛନ୍ତି। ବଲ ତାଙ୍କ ବୁଟରେ ମାଡ଼ ହେବାରୁ ତାଙ୍କୁ ଅଧାରୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଏବେ ତାଙ୍କ ଆହତ ସମସ୍ୟା ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି। ତାଙ୍କ ଡାହାଣ ଗୋଡ଼ର ପାଦରେ ଗଭୀର ଆଘାତ ଲାଗିଥିବାରୁ ସେ ଆଜି ମଧ୍ୟ ବ୍ୟାଟିଂ କରିବାକୁ ଆସିବେ ନାହିଁ। ସେହିପରି ସେ ପୂରା ଇଂଲଣ୍ଡ ସିରିଜରୁ ମଧ୍ୟ ବାଦ ପଡ଼ିବେ। ଏହି ଖବର ଭାରତୀୟ ଫ୍ୟାନ୍ସ ଓ ଟିମ ପାଇଁ ବଡ଼ ଝଟକା ସଦୃଶ ହୋଇଛି।

Advertisment

ପନ୍ତ ମାଞ୍ଚେଷ୍ଟର ଟେଷ୍ଟରେ ନିଜର ସ୍ୱତନ୍ତ୍ର ଶୈଳୀରେ ବ୍ୟାଟିଂ କରିଥିଲେ। ଇଂଲଣ୍ଡ ବୋଲରଙ୍କ ଉପରେ ଚାପ ପକାଇବା ପାଇଁ ସେ ଅନଅର୍ଥଡକ୍ସ ଶଟ ସବୁ ଖେଳିଥିଲେ। କିନ୍ତୁ ସେ ୩୭ ରନରେ ବ୍ୟାଟିଂ କରୁଥିବା ବେଳେ ଘଟିଥିଲା ଅଘଟଣ। କ୍ରିସ ୱକ୍ସଙ୍କ ବଲରେ ରିଭର୍ସ ସୁଇପ ଖେଳୁଥିବା ବେଳେ ବଲଟି ବ୍ୟାଟର ଧାରରେ ବାଜି ତାଙ୍କ ଡାହାଣ ଗୋଡ଼ର ବୁଟରେ ମାଡ଼ ହୋଇଥିଲା। ଆଘାତ ଜୋରଦାର ଥିବାରୁ ପନ୍ତ ଫିଜିଓଙ୍କୁ ଡାକିଥିଲେ। ଜୋତା ଖୋଲିବା କ୍ଷଣି ତାଙ୍କ ପାଦ ଫୁଲି ଯାଇଥିବା ଜଣାପଡ଼ିଥିଲା।

ସବୁବେଳେ ଯନ୍ତ୍ରଣାକୁ ସହ୍ୟ କରିବାର କ୍ଷମତା ରଖିଥିବା ପନ୍ତ ଏଥର କିନ୍ତୁ ହାର ମାନିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସେ ଚାଲିବାକୁ ମଧ୍ୟ ସକ୍ଷମ ହୋଇ ନଥିଲେ। ଶେଷରେ ତାଙ୍କୁ ଗୋଟିଏ ଗଲ୍ଫ କାର୍ଟରେ ମେଡିକାଲ ଟିମ ପଡ଼ିଆ ବାହାରକୁ ନେଇଥିଲେ। ସେ ରିଟାର୍ଡ ହର୍ଟ ହୋଇଥିଲେ।

Advertisment

ଏବେ ରିପୋର୍ଟ ପ୍ରକାଶ ପାଇଛି ଯେ ବଲ ମାଡ଼ ହେବା ଯୋଗୁ ପନ୍ତଙ୍କ ପାଦରେ ଫ୍ରାକଚର ସୃଷ୍ଟି ହୋଇଛି। ଏଥିପାଇଁ ତାଙ୍କୁ ୬ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଏହାର ଅର୍ଥ ସେ ଇଂଲଣ୍ଡ ବିପକ୍ଷ ୪ର୍ଥ ଟେଷ୍ଟରେ ଆଉ ନଜର ଆସିବେ ନାହିଁ। ସେହିପରି ଆଣ୍ଡରସନ-ତେନ୍ଦୁଲକର ସିରିଜର ୫ମ ତଥା ଶେଷ ମ୍ୟାଚ୍‌ରେ ପନ୍ତ ଖେଳିବେନି।

ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପନ୍ତଙ୍କ ସ୍କାନ ରିପୋର୍ଟରେ ଫ୍ରାକଚର ଠାବ ହୋଇଛି। ଏଥିପାଇଁ ତାଙ୍କୁ କ୍ରିକେଟରୁ ୬ ସପ୍ତାହ ଦୂରେଇ ରହିବାକୁ କୁହାଯାଇଛି। ଏବେ ସେ ପେନକିଲର ଲଗାଇ ବ୍ୟାଟିଂ କରିବାକୁ ଆସିପାରିବେ କି ନାହିଁ, ତା’ ଉପରେ ମେଡିକାଲ ଟିମ ବିଚାର କରୁଛି। ଏବେ ବି ସେ ବିନା ସହାୟତାରେ ଚାଲି ପାରୁ ନାହାନ୍ତି। ତେଣୁ ସେ ବ୍ୟାଟିଂ କରିବାକୁ ଆସିବା ଏକପ୍ରକାରର ଅସମ୍ଭବ ଭଳି ମନେ ହେଉଛି।  

ଯଦି ପନ୍ତଙ୍କ ପାଦରେ ଆଘାତ ଜୋର ଲାଗିଛି ଓ ସେ ଆଜି ବ୍ୟାଟିଂ କରିପାରିବେ ନାହିଁ, ତା’ହେଲେ ତୃତୀୟ ଟେଷ୍ଟ ଭଳି ଧ୍ରୁବ ଜୁରେଲ ୱିକେଟ କିପିଂ କରିବେ। କିନ୍ତୁ ସେ ବ୍ୟାଟିଂ କରିପାରିବେ ନାହିଁ। ଭାରତ ଜଣେ ବ୍ୟାଟରଙ୍କ ବିନା ୪ର୍ଥ ଟେଷ୍ଟ ଖେଳିବ।

ଅନ୍ୟପକ୍ଷରେ ମ୍ୟାଚ୍‌ କଥା ବିଚାରକୁ ନେଲେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପ୍ରଥମ ଦିନର ଲଞ୍ଚ ସୁଦ୍ଧା କୌଣସି ୱିକେଟ ହରାଇ ନଥିଲା। କେଏଲ ରାହୁଲ ଓ ଯଶସ୍ୱୀ ଜୈସୱାଲ ଦମଦାର ବ୍ୟାଟିଂ କରିଥିଲେ। ଲଞ୍ଚ ପରେ ରାହୁଲ ୪୬ ରନ କରି ପ୍ରଥମ ବ୍ୟାଟର ଭାବେ ପ୍ୟାଭିଲିୟନ ଫେରିଥିଲେ। ଯଶସ୍ୱୀ ଜୈସୱାଲ ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ୫୬ ରନରେ ଲିଆମ ଡାୱସନଙ୍କ ବଲରେ ଆଉଟ ହୋଇଥିଲେ।

ସାଇ ସୁଦର୍ଶନ ଓ ଅଧିନାୟକ ଶୁବମନ ଗିଲ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ଇଂଲିଶ ଅଧିନାୟକ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେ ୧୨ ରନ କରିଥିବା ଗିଲଙ୍କୁ ଆଉଟ କରି ଭାରତକୁ ବଡ଼ ଝଟକା ଦେଇଥିଲେ। ଏହାପରେ ସାଇ ଓ ପନ୍ତ ଭାରତୀୟ ଇନିଂସକୁ ଆଗକୁ ନେଇଥିଲେ। ସାଇ ମଧ୍ୟ ନିଜ ଟେଷ୍ଟ କ୍ୟାରିୟରର ତୃତୀୟ ଇନିଂସରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ।

ତେବେ ଦଳୀୟ ସ୍କୋର ୨୩୫ ଥିବା ବେଳେ ସେ ୬୧ ରନ କରି ବେନ ଷ୍ଟୋକ୍ସଙ୍କ ଦ୍ୱିତୀୟ ଶିକାର ବନିଥିଲେ। ପନ୍ତ ମଧ୍ୟ ୩୭ ରନ କରି ଆହତ ହେବାରୁ ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ଶେଷରେ ରବୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଲ ଠାକୁର ଭାରତକୁ ସମ୍ଭାଳିବା ସହ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ଆଉ କୌଣସି ବିପର୍ଯ୍ୟୟ ଘଟିବାକୁ ଦେଇ ନଥିଲେ।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ୪ ୱିକେଟ ହରାଇ ୨୬୪ ରନ କରି ନେଇଛି। ଜାଡେଜା ଓ ଠାକୁର ୧୯ ରନ ଲେଖାଏ କରି କ୍ରିଜରେ ରହିଛନ୍ତି। ଆଜି ଉଭୟ ଭାରତୀୟ ଇନିଂସକୁ ଆଗକୁ ନେବାକୁ ଚେଷ୍ଟା କରିବେ।

Rishabh Pant Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe