/odisha-reporter/media/post_attachments/uploadimage/library/16_9/16_9_0/Rohit_1739620221.jpg)
Rohit
ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଲଢ଼େଇରୁ ଆରମ୍ଭ ହେବ ଚାମ୍ପିୟନ୍ସ ଟ୍ରଫି। ଫେବୃଆରୀ ୧୯ରୁ ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହେବାକୁ ଯାଉଛି। ବିଶ୍ୱର ଟପ୍ ୮ ଦଳକୁ ନେଇ ଚାମ୍ପିୟନ୍ସ ଟ୍ରଫି ଖେଳା ଯାଉଥିବା ବେଳେ ସମସ୍ତଙ୍କ ନଜର ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ ରହିଛି। ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଫେବୃଆରୀ ୨୩ରେ ପରସ୍ପରକୁ ଦୁବାଇରେ ଭେଟିବେ। ପୂର୍ବରୁ ମଧ୍ୟ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହୋଇଥିଲା। କିନ୍ତୁ ଏଥର ଏହି ହାଇଭୋଲଟେଜ ମ୍ୟାଚ୍ର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଆୟୋଜନକୁ ନେଇ ଯେଉଁ ସବୁ ଘଟଣା ଘଟିଛି, ସେଥିପାଇଁ ପାକିସ୍ତାନ ଟିମର ଫ୍ୟାନ୍ସ ଭାରତ ଉପରେ କ୍ଷୁବ୍ଧ ହୋଇଛନ୍ତି। ଭାରତ ବିରୋଧରେ ସେମାନେ ଏବେ ଠାରୁ ଅଭିଯାନ ଆରମ୍ଭ କରିଦେଇଛନ୍ତି।
ପ୍ରକୃତ ଘଟଣା ହେଉଛି ଯେ ଚାମ୍ପିୟନ୍ସ ଟ୍ରଫି ୨୦୨୫ ସଂପୂର୍ଣ୍ଣ ଭାବେ ପାକିସ୍ତାନରେ ଆୟୋଜନ ହେବାର ଥିଲା। କିନ୍ତୁ ବିସିସିଆଇ ଭାରତୀୟ ଟିମକୁ ପାକିସ୍ତାନ ପଠାଇବ ନାହିଁ କହିବା ପରେ ବିବାଦ ବଢ଼ିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ ପ୍ରଥମେ ଏହି ପ୍ରସଙ୍ଗରେ ଭାରତ ଓ ଆଇସିସିକୁ ନାଲି ଆଖି ଦେଖାଇଥିଲା। ତଥାପି କୌଣସି ସୁଫଳ ନ ମିଳିବାରୁ ପିସିବି ହାଇବ୍ରିଡ ମଡେଲରେ ରାଜି ହୋଇଥିଲା।
ନିଷ୍ପତ୍ତି ଅନୁସାରେ, ଭାରତୀୟ ଟିମ ପାକିସ୍ତାନରେ କୌଣସି ମ୍ୟାଚ୍ ଖେଳିବ ନାହିଁ। ପାକିସ୍ତାନ ବଦଳରେ ଦଳ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ୍ ଦୁବାଇର ଖେଳିବ ବୋଲି ନିଷ୍ପତ୍ତି ହୋଇଛି। ବାସ୍ ଏପରି ଘଟଣା ପାକିସ୍ତାନ ଫ୍ୟାନ୍ସଙ୍କୁ କ୍ଷୁବ୍ଧ କରିଛି। କାରଣ ସେମାନେ ଦୀର୍ଘ ବର୍ଷ ପରେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନିଜ ଦେଶରେ ଉପଭୋଗ କରିବେ ବୋଲି ଆଶା କରିଥିଲେ। କିନ୍ତୁ ଭାରତୀୟ ଟିମ ପାକିସ୍ତାନ ଯାଉ ନଥିବାରୁ ଫ୍ୟାନ୍ସ ନିଜର ଅସନ୍ତୋଷ ଝାଡ଼ିଛନ୍ତି।
ସେହିପରି ସେମାନେ ଏଥର ଭାରତ ଓ ପାକିସ୍ତାନ ଲଢ଼େଇକୁ ଗୋଟିଏ ସାଧାରଣ ମ୍ୟାଚ୍ ବଦଳରେ ଇଜତ ଓ ସମ୍ମାନର ଲଢ଼େଇ ଭାବେ ବିବେଚନା କରିଛନ୍ତି। ଖାଲି ସେତିକି ନୁହେଁ, ଭାରତୀୟ ଟିମ ପାକିସ୍ତାନ ଆସୁ ନଥିବାରୁ ପାକିସ୍ତାନ ଫ୍ୟାନ୍ସ ନିଜ ଦଳର ଖେଳାଳି ବିଶେଷ କରି ଅଧିନାୟକ ମହମ୍ମଦ ରିଜୱାନଙ୍କ ପାଇଁ ମଧ୍ୟ କଡ଼ା ବାର୍ତ୍ତା ଦେଇଛନ୍ତି। ମ୍ୟାଚ୍ ବେଳେ ଭାରତୀୟ ଟିମ ସହ କୌଣସି ପ୍ରକାରର ବନ୍ଧୁତା ନ ରଖିବାକୁ ସେମାନେ ରିଜୱାନ ଓ ପାକିସ୍ତାନର ଅନ୍ୟ ଖେଳାଳିଙ୍କୁ ପରାମର୍ଶ ଦେଇଛନ୍ତି।
ପାକିସ୍ତାନ ସାମ୍ବାଦିକ ଫରିଦ ଖାନ ଦେଇଥିବା ସୂଚନା ଅନୁସାରେ ପାକିସ୍ତାନ କ୍ରିକେଟ ଫ୍ୟାନ୍ସ ଭାରତ ଉପରେ ପ୍ରବଳ ରାଗିଛନ୍ତି। ଫାରିଦ ସୋଶାଲ ମିଡିଆରେ ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ପାକିସ୍ତାନ କ୍ରିକେଟର ଜଣେ ଫ୍ୟାନ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଯାଏ ମହମ୍ମଦ ରିଜୱାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ଟିମର ସଦସ୍ୟମାନଙ୍କୁ ଭାରତୀୟ କ୍ରିକେଟରଙ୍କ ସହ ଥିବା ବନ୍ଧୁତାକୁ ସାଇଡରେ ରଖିବାକୁ କହିଛନ୍ତି। ଏଥିସହ ବିରାଟ କୋହଲି ଓ ଭାରତୀୟ ଟିମର ଅନ୍ୟ ଖେଳାଳିଙ୍କୁ ପାକିସ୍ତାନ ଟିମର ସଦସ୍ୟମାନେ ଆଦୌ ଆଲିଙ୍ଗନ ନ କରନ୍ତୁ ବୋଲି ସେ ମତ ରଖିଛନ୍ତି।
ସେ କହିଛନ୍ତି, “ମୁଁ ଆମ ଟିମ(ପାକିସ୍ତାନ)ର ଖେଳାଳିମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ସେଠାରେ(ଦୁବାଇ) ଭାରତୀୟ ଖେଳାଳିଙ୍କ ସହ କୌଣସି ପ୍ରକାରର ଥଟା ମଜା କରନ୍ତୁ ନାହିଁ। ଭାରତୀୟ ଖେଳାଳି ଓ ବିରାଟ କୋହଲିଙ୍କ ସହ ଏମାନଙ୍କର ଭଲ ବନ୍ଧୁତା ରହିଛି। ହେଲେ ସେସବୁ ସାଇଡରେ ରଖାଯାଉ। ଭାରତୀୟ ଖେଳାଳି କିମ୍ବା ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବାର ଆବଶ୍ୟକ ନାହିଁ।
ସେମାନେ ଆମ ସହ ଅନ୍ୟାୟ କରିଛନ୍ତି। ସେମାନଙ୍କ ପାଇଁ ପାକିସ୍ତାନକୁ ଆମେ ଲାହୋରରେ ଖେଳୁଥିବା ଦେଖିପାରିବୁ ନାହିଁ। ତେଣୁ ରିଜୱାନ ସାହେବ ଓ ଅନ୍ୟମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ ଭାରତୀୟ ଖେଳାଳିଙ୍କ ସହ ଥିବା ବନ୍ଧୁତା ଓ ଅନ୍ୟ ସମ୍ପର୍କକୁ ସମସ୍ତେ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍ ଯାଏ ସାଇଡ କରି ରଖନ୍ତୁ। ଏହି ମ୍ୟାଚ୍କୁ ସାଧାରଣ ମ୍ୟାଚ୍ ଭାବେ ବିବେଚନା କରନ୍ତୁ ନାହିଁ। ଏହା ଇଜତର ଲଢ଼େଇ।
ଭାରତ ଓ ପାକିସ୍ତାନ ଫାଇନାଲ ମ୍ୟାଚ୍ ବହୁତ ବଢ଼ିଆ। କିନ୍ତୁ ଭାରତ ଏଥର ଯେଉଁ ହରକତ କରିଛି ତା’କୁ ଦେଖି ଆମେ ଚାହୁଁଛୁ ଯେ ପ୍ରଥମ ରାଉଣ୍ଡରୁ ଦଳ ବିଦା ହେଇ ଯାଉ। ଆମେ ଏଇଟା ମଧ୍ୟ ଚାହୁଁଛୁ ଯେ ଭାରତକୁ ବାଂଲାଦେଶ ହରାଉ।”
ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ କିମ୍ବା ଟି-୨୦ ବିଶ୍ୱକପ ଅପେକ୍ଷା ଚାମ୍ପିୟନ୍ସ ଟ୍ରଫିରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ସ୍ଥିତି ଭିନ୍ନ। ଦିନିକିଆ ଓ ଟି-୨୦ ବିଶ୍ୱକପରେ ଭାରତ ଅଧିକାଂଶ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ ଜିତିଛି। ପାକିସ୍ତାନ କେବଳ ୨୦୨୧ ଟି-୨୦ ବିଶ୍ୱକପରେ ଭାରତ ଠାରୁ ଜିତିଥିଲା। ବାକି ସମସ୍ତ ଦିନିକିଆ ଓ ଟି-୨୦ ବିଶ୍ୱକପରେ ଭାରତ ଜିତିଛି। କିନ୍ତୁ ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ପଲ୍ଲା ଭାରୀ ରହିଛି। ମିନି ବିଶ୍ୱକପ ଦୁଇ ଦଳ ୫ଥର ମୁହାଁ ମୁହିଁ ହୋଇଛନ୍ତି। ଏଥିରୁ ପାକିସ୍ତାନ ୩ଟି ଜିତିଥିବା ବେଳେ ଭାରତ ମାତ୍ର ୨ଟି ମ୍ୟାଚ୍ ଜିତି ପାରିଛି।
Pakistan fans really angry with Indian cricket team 🇵🇰🇮🇳🤬
They want Pakistan players to not hug Indian players during Champions Trophy 😱
— Farid Khan (@_FaridKhan) February 15, 2025
୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମଧ୍ୟ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମକୁ ପାକିସ୍ତାନ ପରାସ୍ତ କରିଥିଲା। ୨୦୧୭ରେ ପାକିସ୍ତାନ ପ୍ରଥମଥର ଚାମ୍ପିୟନ୍ସ ଟ୍ରଫି ଜିତିବାକୁ ମଧ୍ୟ ସକ୍ଷମ ହୋଇଥିଲା। ସେହିବର୍ଷ ଗ୍ରୁପ ପର୍ଯ୍ୟାୟରେ କିନ୍ତୁ ଭାରତୀୟ ଟିମ ପାକିସ୍ତାନକୁ ହରାଇଥିଲା। ତେଣୁ ଫାଇନାଲରେ ବି ଭାରତୀୟ ଟିମ ଜିତିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସମସ୍ତଙ୍କୁ ଚକିତ କରି ପାକିସ୍ତାନ ଟ୍ରଫି ଜିତି ନେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
