Advertisment

ପାକିସ୍ତାନର ରେକର୍ଡ ବିଜୟକୁ ଗାଜାବାସୀଙ୍କୁ ଉତ୍ସର୍ଗ କଲେ ରିଜୱାନ

ହାଇଦ୍ରାବାଦରେ ପାକିସ୍ତାନର ଏହି ବଡ଼ ବିଜୟରେ ୧୩୧ ରନର ଅପରାଜିତ ଇନିଂସ ଖେଳିଥିବା ମହମ୍ମଦ ରିଜୱାନ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି।

author-image
Hemant Lenka
Rizwan

Rizwan

ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ରେକର୍ଡ ରନଚେଜ ସହ ବିଜୟ ହାସଲ କରିଥିବା ପାକିସ୍ତାନ ଟିମକୁ ନେଇ ଚର୍ଚ୍ଚା। ହାଇଦ୍ରାବାଦରେ ପାକିସ୍ତାନର ଏହି ବଡ଼ ବିଜୟରେ ୧୩୧ ରନର ଅପରାଜିତ ଇନିଂସ ଖେଳିଥିବା ମହମ୍ମଦ ରିଜୱାନ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି। ଏବେ ସେ ପାକିସ୍ତାନର ବଡ଼ ବିଜୟକୁ ଇସ୍ରାଏଲର ଆକ୍ରମଣରେ ଛିନଛତ୍ର ହୋଇଯାଇଥିବା ଗାଜାବାସୀଙ୍କୁ ଉତ୍ସର୍ଗ କରିଛନ୍ତି।

Advertisment

ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ପକ୍ଷରୁ ଇସ୍ରାଏଲ ଉପରେ ଶନିବାର ରକେଟ ମାଡ଼ କରାଯାଇଥିଲା। ଏହାପରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପଶି ରକ୍ତର ହୋଲି ଖେଳିବାରେ ଲାଗିଛନ୍ତି। ଏସବୁ ଭିତରେ ଇସ୍ରାଏଲ ମଧ୍ୟ ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ କରି ଦେଇଛି। ଏହାକୁ ନେଇ ବିଶ୍ୱ ଦୁଇ ଫାଳ ହୋଇଯାଇଥିବା ବେଳେ ଏବେ ରିଜୱାନ ପାକିସ୍ତାନର ବଡ଼ ବିଜୟକୁ ଗାଜବାସୀଙ୍କୁ ଉତ୍ସର୍ଗ କରିଛନ୍ତି।

ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୩୪୪ ରନ କରିଥିଲା। ହେଲେ ପାକିସ୍ତାନ ରିଜୱାନଙ୍କ ୧୩୧ ଓ ଅବଦୁଲ୍ଲା ଶଫିକ୍ୟୁଙ୍କ ୧୨୨ ରନ ବଳରେ ୧୦ ବଲ ପୂର୍ବରୁ ବିଜୟ ହାସଲ କରି ନେଇଥିଲା।

Advertisment

ରିଜୱାନ ମ୍ୟାଚ୍‌ ବିଜୟ ଇନିଂସ ଖେଳିବାକୁ ତାଙ୍କୁ ସୋଶାଲ ମିଡିଆରେ ଅନେକ ଲୋକ ପ୍ରଶଂସା କରିଥିଲେ। ହେଲେ ଏବେ ସେ ପାକିସ୍ତାନର ବିଜୟକୁ ଗାଜାବାସୀଙ୍କୁ ଉତ୍ସର୍ଗ କରିଥିବାରୁ ଏହାକୁ କିଛି ସୋଶାଲ ମିଡିଆ ବ୍ୟବହାରକାରୀ ସହଜରେ ଗ୍ରହଣ କରିପାରି ନାହାନ୍ତି।

ରିଜୱାନ ସୋଶାଲ ମିଡିଆ ଏକ୍ସରେ କହିଛନ୍ତି ଯେ “ଏହି ବିଜୟ ଗାଜାରେ ଥିବା ଆମ ଭାଇ ଓ ଭଉଣୀମାନଙ୍କ ପାଇଁ। ବିଜୟରେ ଯୋଗଦାନ କରିଥିବାରୁ ଖୁସି। ପୂରା ଟିମ ବିଶେଷ କରି ଅବଦୁଲ୍ଲା ଶଫିକ୍ୟୁ ଓ ହାସନ ଅଲୀଙ୍କୁ ବିଜୟର ଶ୍ରେୟ ଦେବାକୁ ଚାହେଁ। କାରଣ ସେମାନେ ବିଜୟକୁ ସହଜ କରିଥିଲେ। ଚମତ୍କାର ସମର୍ଥନ ଓ ସହଯୋଗ ପାଇଁ ହାଇଦ୍ରାବାଦର ଲୋକଙ୍କ ପାଖରେ କୃତଜ୍ଞ।”

ତେବେ ରିଜୱାନ ବିଶ୍ୱ ରାଜନୀତି ଛାଡ଼ି କ୍ରିକେଟ ଉପରେ ଫୋକସ କରିବାକୁ ଅନେକ ତାଙ୍କୁ ପରାମର୍ଶ ଦେଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023