ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ୧୪ ତାରିଖ (ଶନିବାର)ଠାରୁ ଆରମ୍ଭ ହେବ। ଏହି ମ୍ୟାଚ୍ ବ୍ରିସବେନ୍ କ୍ରିକେଟ ଗ୍ରାଉଣ୍ଡ (ଗାବା ନାଁରେ ଜଣାଶୁଣା)ରେ ଖେଳାଯିବ। ସେଥିପାଇଁ ଭାରତୀୟ କ୍ରିକେଟ୍ ଦଳ ବ୍ରିସବେନରେ ପହଞ୍ଚି ସାରିଛି। ତେବେ ବ୍ରିସ୍ବେନ ଆସିବା ପୂର୍ବରୁ ଆଡିଲେଡ୍ରେ ଯୁବ କ୍ରିକେଟ ଯଶସ୍ୱୀ ଜୈସୱାଲଙ୍କ ଉପରେ ରାଗି ଯାଇଥିଲେ ଅଧିନାୟକ ରୋହିତ ଶର୍ମା। ଏମିତିକି ତାଙ୍କୁ ହୋଟେଲରେ ଛାଡ଼ି ପୂରା ଟିମ୍ ବ୍ରିସ୍ବେନ ଅଭିମୁଖେ ଯାତ୍ରା କରିବା ପାଇଁ ଆଡିଲେଡ୍ ବିମାନ ବନ୍ଦରକୁ ଚାଲି ଯାଇଥିଲା।
ଘଟଣାଟି ହେଉଛି ଏମିତି। ଆଡିଲେଡ୍ରୁ ବ୍ରିସବେନ ଯିବା ପାଇଁ ଟିମ୍ ଇଣ୍ଡିଆର ଖେଳାଳି, କୋଚ୍ ଓ ଅନ୍ୟ ସମସ୍ତ ସଦସ୍ୟମାନେ ହୋଟେଲ୍ ଲବିରେ ଆସି ଏକାଠି ହୋଇଥିଲେ। ଆଡିଲେଡ୍ ବିମାନ ବନ୍ଦର ପର୍ଯ୍ୟନ୍ତ ଯିବା ନିମନ୍ତେ ସେମାନଙ୍କ ପାଇଁ ଦୁଇଟି ବସ୍ର ବ୍ୟବସ୍ଥା ହୋଇଥିଲା। ଧାର୍ଯ୍ୟ ସମୟରେ ସମସ୍ତେ ଲବିରେ ପହଞ୍ଚି ଯାଇଥିଲେ ହେଁ ଯଶସ୍ୱୀ ଜୈସୱାଲଙ୍କ ଦେଖା ମିଳି ନଥିଲା। ଅଳ୍ପ ସମୟ ମଧ୍ୟରେ ସେ ଆସିଯିବେ ଭାବି ସମସ୍ତ ଖେଳାଳି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବସ୍ରେ ଯାଇ ବସିଥିଲେ। ସେମାନେ ସେଠାରେ ଯଶସ୍ୱୀଙ୍କୁ ଅପେକ୍ଷା କଲେ। କିନ୍ତୁ କିଛି ସମୟ ଅପେକ୍ଷା କରିବା ସତ୍ତ୍ୱେ ଆସି ନଥିଲେ ଯଶସ୍ୱୀ। ତେଣୁ ଅଧିନାୟକ ରୋହିତ ଶର୍ମା ରାଗି ଯାଇଥିଲେ ଓ ସେମାନେ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇଟି ଯାକ ବସ୍ ଯଶସ୍ୱୀଙ୍କୁ ଛାଡ଼ି ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲା। ଅବଶ୍ୟ ଟିମ୍ ମ୍ୟାନେଜମେଣ୍ଟ ଯଶସ୍ୱୀଙ୍କ ପାଇଁ ଏକ କାର୍ ବୁକ୍ କରି ଦେଇଥିଲେ।
ଦୁଇଟି ଯାକ ବସ୍ ହୋଟେଲ ଛାଡ଼ିବାର ପ୍ରାୟ ୨୦ ମିନିଟ୍ ପରେ ଲବିରେ ଆସି ପହଞ୍ଚିଥିଲେ ଯଶସ୍ୱୀ ଜୈସୱାଲ। ସେ ବୁକ୍ ହୋଇଥିବା କାରରେ ବିମାନ ବନ୍ଦରକୁ ଯାଇଥିଲେ। ଜଣେ ସୁରକ୍ଷାକର୍ମୀ ତାଙ୍କ ସହିତ ବିମାନ ବନ୍ଦର ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଟିମ୍ ସହିତ ସାମିଲ ହୋଇ ବିମାନ ଯୋଗେ ବ୍ରିସବେନ ଯାଇଥିଲେ ଯଶସ୍ୱୀ।
ପର୍ଥରେ ବୃହତ୍ତ ବିଜୟ ପରେ ଆଡିଲେଡ୍ରେ ପିଙ୍କ୍ ଟେଷ୍ଟରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଏବେ ଏହି ସିରିଜ୍ରେ ଉଭୟ ଦଳ ୧-୧ ସ୍ଥିତିରେ ଥିବା ବେଳେ ଶନିବାରଠାରୁ ଆରମ୍ଭ ହେବ ତୃତୀୟ ଟେଷ୍ଟ। ଏହି ମ୍ୟାଚ୍ରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ଏଥିରେ ପରାସ୍ତ ହେଲେ ଚାପ ଆହୁରି ବଢ଼ିଯିବ ଓ ପରବର୍ତ୍ତୀ ଦୁଇଟି ଟେଷ୍ଟ ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।