rohit
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ୱକପର ଦ୍ୱିତୀୟ ଅଭ୍ୟାସ ମ୍ୟାଚକୁ ମଧ୍ୟ ଜିତି ନେଇଛି ଟିମ୍ ଇଣ୍ଡିଆ। ବୁଧବାର ରୋହିତ୍ ଶର୍ମାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ୮ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ପ୍ରଥମ ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ହରାଇଥିଲା। ଆଜି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ୨୦ ଓଭରରେ ୫ ୱିକେଟ୍ ହରାଇ ୧୫୨ ରନ୍ କରିଥିଲା। ଜବାବରେ ଭାରତ ୧୭.୫ ଓଭରରେ ୨ ୱିକେଟ୍ ହରାଇ ୧୫୩ ରନ୍ କରି ବିଜୟୀ ହୋଇଛି। ଭାରତ ପକ୍ଷରୁ ରୋହିତ୍ ସର୍ବାଧିକ ୬୦ (୪୧ ବଲ୍, ୫ ଚୌକା, ୩ ଛକା) ରନ୍ କରି ରିଟାୟର୍ଡ ଆଉଟ୍ ହୋଇଛନ୍ତି। ସେହିପରି ଲୋକେଶ ରାହୁଲ୍ (୩୯), ସୂର୍ଯ୍ୟକୁମାର ଯାଦବ (୩୮) ଓ ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଉପଯୋଗୀ ରନ୍ କରି ଭାରତକୁ ଜିତାଇଛନ୍ତି।
୧୫୩ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ପାଇଁ ଓପନ୍ କରିବାକୁ ଆସିଥିବା ରାହୁଲ୍ ଓ ରୋହିତ୍ ପ୍ରଥମ ୱିକେଟ୍ ପାଇଁ ୬୮ ରନ୍ ଯୋଡ଼ିଥିଲେ। ରାହୁଲ୍ ୩୧ ବଲରେ ୨ ଚୌକା ଓ ୩ ଛକା ସହ ୩୯ ରନ୍ କରି ଆଷ୍ଟନ୍ ଆଗରଙ୍କ ଶିକାର ହୋଇଥିଲେ। ଏହା ପରେ ରୋହିତଙ୍କୁ ଭରପୂର ସହଯୋଗ କରିଥିଲେ ସୂର୍ଯ୍ୟକୁମାର। ଦୁହେଁ ୫୯ ରନର ଭାଗିଦାରୀ କରି ଦଳକୁ ବିଜୟ ଆଡ଼କୁ ନେଇଥିଲେ।
ଅର୍ଦ୍ଧଶତକ ମାରିବା ପରେ ରୋହିତ୍ ଅନ୍ୟମାନଙ୍କୁ ସୁଯୋଗ ଦେବା ପାଇଁ ରିଟାୟର୍ଡ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ହାର୍ଦ୍ଦିକ ଛକା ମାରି ଭାରତକୁ ଜିତାଇଥିଲେ। ହାର୍ଦ୍ଦିକ ୮ ବଲରେ ୧ ଛକା ସହ ୧୪ ଓ ସୂର୍ଯ୍ୟକୁମାର ୨୭ ବଲରେ ଦ୍ରୁତ ୩୮ (୫ ଚୌକା, ୧ ଛକା) ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଗର ଗୋଟିଏ ୱିକେଟ୍ ନେଇଥିଲେ।
ଏହା ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଷ୍ଟିଭ୍ ସ୍ମିଥ୍, ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମାର୍କସ୍ ଷ୍ଟୋଇନିସଙ୍କ ଦମଦାର ଇନିଂସ ବଳରେ କଙ୍ଗାରୁ ଟିମ୍ ୧୫୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ସ୍ମିଥ୍ ୪୮ ବଲରେ ୭ ଚୌକା ସହ ୫୭ ରନ ଓ ଷ୍ଟୋଇନିସ୍ ଅପରାଜିତ ୪୧ (୨୫ ବଲ୍, ୪ ଚୌକା, ୧ ଛକା) ରନ୍ କରିଥିଲେ। ମ୍ୟାକ୍ସୱେଲ୍ ୨୮ ବଲରେ ୩୭ (୫ ଚୌକା) ରନ୍ କରି ଆଉଟ୍ ହୋଇଥିଲେ। ତେବେ ଆଉଟ୍ ଅଫ୍ ଫର୍ମ ଡେଭିଡ୍ ୱାର୍ଣ୍ଣର୍ (୧), ମିଚେଲ୍ ମାର୍ଶ (୦) ଓ କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ (୮) ନିରାଶ କରିଥିଲେ। ଭାରତ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ୨ଟି ଏବଂ ଭୁବନେଶ୍ୱର କୁମାର, ରାହୁଲ ଚହର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/10/rohit-1.jpg)