Advertisment

ଟେଷ୍ଟ କ୍ରିକେଟରୁ ରୋହିତଙ୍କ ଅବସର

୨୦୨୪ ଟି୨୦ ବିଶ୍ୱକପ ପରେ ରୋହିତ ଶର୍ମା ଟି୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ।

ଅଦ୍ୟତନ ହୋଇଛି
Rohit

Rohit

Advertisment

ଅପ୍ରତ୍ୟାଶିତ ଭାବେ ରୋହିତ ଶର୍ମା ବୁଧବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି କଥା ଜଣାଇଛନ୍ତି। ତେବେ ସେ ଦିନିକିଆରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

Advertisment

ରୋହିତ ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି, ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେଉଛି। ଟେଷ୍ଟ କ୍ରିକେଟରେ ମୋ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ସମ୍ମାନର କଥା। ବର୍ଷ ବର୍ଷ ଧରି ସମସ୍ତଙ୍କଠାରୁ ମିଳିଥିବା ଭଲ ପାଇବା ଓ ସହଯୋଗ ପାଇଁ ଧନ୍ୟବାଦ। ଦିନିକିଆ ଫର୍ମାଟରେ ମୁଁ ଭାରତ ପକ୍ଷରୁ ପ୍ରତିନିଧିତ୍ୱ ଜାରି ରଖିବି।

ଆସନ୍ତା ଜୁନ୍ ୨୦ ତାରିଖରୁ ଇଂଲଣ୍ଡ ଓ ଭାରତ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଥିବା ବେଳେ ଏହି ଗସ୍ତ ପୂର୍ବରୁ ଚୟନ କମିଟି ଟିମ୍ ଇଣ୍ଡିଆ ପାଇଁ ନୂଆ ଅଧିନାୟକ ବାଛିବାକୁ ବିଚାର କରୁଥିବା ଖବର ଆସିବା ପରେ ରୋହିତ ଅବସର ଘୋଷଣା କରିଥିବା କୁହାଯାଉଛି। 

Advertisment

ଅଷ୍ଟ୍ରେଲିଆରେ ଅନୁଷ୍ଠିତ ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫିରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ ଯୋଗୁ ଖୁବ୍ ସମାଲୋଚିତ ହୋଇଥିଲେ ଅଧିନାୟକ ରୋହିତ ଶର୍ମା। ତାଙ୍କ ନେତୃତ୍ୱରେ ଦଳ ଗୋଟିଏ ବି ମ୍ୟାଚ୍ ଜିତି ପାରି ନଥିଲା। କେବଳ ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମ୍ରାଙ୍କ ନେତୃତ୍ୱରେ ଗୋଟିଏ ମ୍ୟାଚ୍ ଜିତିଥିଲା ଦଳ। ଏହି ସିରିଜରେ ଟିମ୍ ଇଣ୍ଡିଆ ୧-୩ରେ ପରାସ୍ତ ହୋଇଥିଲା। ରୋହିତ ସେତେବେଳେ ଏହି ଫର୍ମାଟରୁ ଅବସର ଘୋଷଣା କରିପାରନ୍ତି ବୋଲି ଆଲୋଚନା ହୋଇଥିଲା। ଏମିତିକି କେହି କେହି ସେ ଅବସର ନେଇଯିବା ଉଚିତ ବୋଲି କହିଥିଲେ। କାରଣ ତା’ ପୂର୍ବରୁ ଘରୋଇ ପରିବେଶରେ ତାଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡଠାରୁ ୦-୩ରେ ଟେଷ୍ଟ ସିରିଜ୍ ହାରିଥିଲା ଭାରତୀୟ ଟିମ୍‌। ସେହିପରି ୨୦୨୪-୨୫ ସିଜିନରେ ରୋହିତ ୮ଟି ଟେଷ୍ଟରୁ ମାତ୍ର ୧୬୪ ରନ୍ କରିଥିଲେ। ତା’ ମଧ୍ୟରେ ଗତ ବର୍ଡର-ଗାଭାସ୍କର ଟ୍ରଫିରେ ୩ଟି ମ୍ୟାଚ୍‌ ଖେଳି ସେ ୩୬ ରନ୍ କରିଥିଲେ। ତେବେ ଗତ ଫେବ୍ରୁଆରୀ ମାସରେ ଭାରତ ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ ହେବା ପରେ ରୋହିତଙ୍କ ଆତ୍ମବିଶ୍ୱାସ ବଢ଼ିଥିଲା ଓ ଇଂଲଣ୍ଡ ଗସ୍ତରେ ତାଙ୍କୁ ସୁଯୋଗ ଦେବାକୁ ସେ ବିସିସିଆଇର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ଦଳ ଜିତିଥିବାରୁ ବିସିସିଆଇ ମଧ୍ୟ ତାଙ୍କୁ ସମର୍ଥନ କରିଥିଲା। ତେଣୁ ହୁଏତ ଇଂଲଣ୍ଡ ଗସ୍ତ ପରେ ସେ ଅବସର ନେବେ ବୋଲି କୁହାଯାଉଥିଲା।  

ଅନ୍ୟପକ୍ଷରେ ରୋହିତଙ୍କ ଏହି ନିଷ୍ପତ୍ତି ଚୟନକର୍ତ୍ତାମାନଙ୍କୁ ଜଟିଳ ସ୍ଥିତିରେ ପକାଇ ଦେଇଥିଲା। ୨୦୨୫ରେ ଏକ ନୂତନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ସାଇକେଲ୍ ଆରମ୍ଭ ହେବାକୁ ଯାଉଥିବା ବେଳେ ରୋହିତଙ୍କୁ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ୱ ପୁଣି ଦେବାକୁ ଚୟନ କମିଟି ନିଶ୍ଚିତ ହୋଇପାରୁ ନଥିଲା। ଏନେଇ ଚୟନ କମିଟି ଦ୍ୱନ୍ଦ୍ୱରେ ଥିଲା।

ଗତ ବର୍ଡର-ଗାଭାସ୍କର ଟ୍ରଫି ପରେ ରୋହିତ ମୁମ୍ବାଇ ତରଫରୁ ଜମ୍ମୁ ଓ କଶ୍ମୀର ବିପକ୍ଷରେ ଏକ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଥିଲେ। କିନ୍ତୁ ସେଥିରେ ବି ସେ ଫେଲ ମାରିଥିଲେ। ତେଣୁ ତାଙ୍କ ଭଳି ଜଣେ ସିନିୟର ଖେଳାଳିଙ୍କ ପ୍ରଦର୍ଶନ ଟେଷ୍ଟରେ ଆଦୌ ସନ୍ତୋଷଜନକ ନଥିବା ବେଳେ କେମିତି ତାଙ୍କୁ ଟିମ୍‌ରେ ସାମିଲ କରାଯିବ, ସେ ନେଇ ଚୟନ କମିଟି ଦ୍ୱନ୍ଦ୍ୱରେ ଥିଲା। ତାଙ୍କୁ ଚୟନ କଲେ ଟିମ୍‌ର ପ୍ରଦର୍ଶନ ପ୍ରଭାବିତ ହେବ ବୋଲି କମିଟି ମନେ କରୁଥିଲା। ତେଣୁ ଚୟନ କମିଟି ରୋହିତଙ୍କୁ ଆଉ ଅଧିନାୟକ କରିବ ନାହିଁ ବୋଲି ଏକ ପ୍ରକାର ସ୍ଥିର କରିସାରିଥିଲା। ଏହି ଖବର ପାଇବା ପରେ ଆଇପିଏଲ୍ ଖେଳୁଥିବା ରୋହିତ ଶର୍ମା ସମସ୍ତଙ୍କୁ ଚକିତ କରି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ବୋଲି କୁହାଯାଉଛି। 

ରୋହିତ ଶର୍ମା ୬୭ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୪୩୦୧ ରନ୍ କରିଛନ୍ତି। ତା’ ମଧ୍ୟରେ ୧୨ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ରହିଛି। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୨୫ଟି ଟେଷ୍ଟ ମ୍ୟାଚ୍ ଖେଳିଛି। ସେଥିରୁ ୧୨ଟିରେ ବିଜୟୀ ହୋଇଥିବା ବେଳେ ୯ଟିରେ ପରାସ୍ତ ହୋଇଛି। ୨୦୧୯ରୁ ସେ ଏହି ଫର୍ମାଟରେ ଦଳ ପାଇଁ ଓପନିଂ କରିବା ପରଠାରୁ ଭଲ ପ୍ରଦର୍ଶନ କରିଥିଲେ। ଟିମ୍ ଇଣ୍ଡିଆର ତତ୍‌କାଳୀନ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ତାଙ୍କୁ ଏହି ସୁଯୋଗ ଦେଇଥିଲେ। ରୋହିତ ଏହାର ଭରପୂର ଫାଇଦା ଉଠାଇଥିଲେ। ୨୦୧୯-୨୧ ଓ ୨୦୨୧-୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ସାଇକେଲରେ ସେ ବଢ଼ିଆ ପ୍ରଦର୍ଶନ କରିଥିଲେ। ଟେଷ୍ଟ କ୍ୟାରିୟର ପ୍ରଥମ ୬ ବର୍ଷରେ ମାତ୍ର ୩ଟି ଶତକ ମାରିଥିବା ରୋହିତ ପରବର୍ତ୍ତୀ ୫ ବର୍ଷରେ ୯ଟି ଶତକ ମାରିଥିଲେ। 

ସୂଚନାଯୋଗ୍ୟ, ୨୦୨୪ ଟି୨୦ ବିଶ୍ୱକପ ପରେ ରୋହିତ ଶର୍ମା ଟି୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ।

Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe