Advertisment

ରୋହିତଙ୍କ ବିସ୍ଫୋରଣ, ଅଷ୍ଟ୍ରେଲିଆକୁ ୨୦୬ ରନର ଟାର୍ଗେଟ

ରୋହିତ ୪୧ ବଲରେ ୯୨ ରନର ଇନିଂସ ଖେଳିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Rohit

Rohit

ଅଷ୍ଟ୍ରେଲିଆ ବିପକ୍ଷରେ ଗର୍ଜିଲା ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ। ରୋହିତଙ୍କ ବିସ୍ଫୋରଣରେ ବଡ଼ ସ୍କୋର କରିଛି ଭାରତୀୟ ଟିମ। ରୋହିତ ୪୧ ବଲରେ ୯୨ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସ ବଳରେ ଭାରତୀୟ ଟିମ ଟି-୨୦ ବିଶ୍ୱକପର ଶେଷ ସୁପର ୮ ମ୍ୟାଚ୍‌ରେ ୫ ୱିକେଟ ହରାଇ ୨୦୫ ରନ କରିଛି। ଫଳରେ ଅଷ୍ଟ୍ରେଲିଆକୁ ଡୁ ଅର ଡାଏ ମ୍ୟାଚ୍‌ରେ ୨୦୬ ରନର ଟାର୍ଗେଟ ମିଳିଛି। 

Advertisment

ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ, ସିଏ ସିଧା ସେମି ଫାଇନାଲକୁ ଯିବ। ଅଷ୍ଟ୍ରେଲିଆ ହାରିଲେ, ଆସନ୍ତାକାଲି ହେବାକୁ ଥିବା ଆଫଗାନିସ୍ତାନ ଓ ବାଂଲାଦେଶର ମ୍ୟାଚର ରେଜଲ୍ଟକୁ ଦଳ ଅପେକ୍ଷା କରିବ।  

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଦ୍ୱିତୀୟ ଓଭରରେ ପ୍ରଥମ ଝଟକା ଲାଗିଥିଲା। ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ଜୋଶ ହେଜେଲଉଡଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। କିନ୍ତୁ ଅଧିନାୟକ ରୋହିତ ଆଜି ଅଲଗା ଅନ୍ଦାଜରେ ‌ଥିଲେ।

Advertisment

ସେ ମିଚେଲ ଷ୍ଟାର୍କଙ୍କୁ ଗୋଟିଏ ଓଭରରେ ୩ଟି ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। କେବଳ ଷ୍ଟାର୍କ ନୁହନ୍ତି ପାଟ କମିନ୍ସ ମଧ୍ୟ ତାଙ୍କ ଆଟାକରୁ ବର୍ତ୍ତି ପାରି ନଥିଲେ। ସେ ଋଷଭ ପନ୍ତଙ୍କ ସହ ମିଶି ପ୍ରଥମେ ପାୱାର ପ୍ଲେରୁ ୬୦ ରନ ଆଦାୟ କରିଥିଲେ। ଏହାପରେ ମଧ୍ୟ ଦମଦାର ବ୍ୟାଟିଂ କରି ୧୯ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଏହା ରୋହିତଙ୍କ ଦ୍ରୁତତମ ଅର୍ଦ୍ଧଶକ।

୫୦ ରନ ପୂରଣ ପରେ ବି ସେ ଅଟକି ନଥିଲେ। ପୂର୍ବଭଳି ଦମଦାର ବ୍ୟାଟିଂ ଜାରି ରଖିଥିଲେ। ତେବେ ଏସବୁ ଭିତରେ ପନ୍ତ ୧୪ ବଲରେ ୧୫ ରନ କରି ମାର୍କସ ଷ୍ଟୋଇନିସଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ଆସିଥିଲେ ସୂର୍ଯ୍ୟ କୁମାର ଯାଦବ। ସେ ମଧ୍ୟ କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ରହିଥିଲା।

ସେ ମଧ୍ୟ ନିଜର ଶତକ ଆଡ଼କୁ ଯାଉଥିଲେ। କିନ୍ତୁ ୧୨ତମ ଓଭର ବୋଲିଂ କରୁଥିବା ଷ୍ଟାକ ୯୨ ରନ କରିଥିବା ରୋହିତ ଶର୍ମାଙ୍କ ବୋଲ୍ଡ କରି ଭାରତକୁ ବଡ଼ ଝଟକା ଦେଇଥିଲେ। ରୋହିତ ଆଜି ୪୧ ବଲରେ ୯୨ ରନର ଇନିଂସ ଖେଳିଛନ୍ତି। ଏଥିରେ ୭ଟି ଚୌକା ଓ ୮ଟି ଛକା ରହିଛି। ରୋହିତ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୨୭ ଥିଲା।

ସୂର୍ଯ୍ୟ କୁମାର ଓ ଶିବମ ଦୁବେ ବଡ଼ବଡ଼ ଶଠ ଖେଳି ଦଳୀୟ ସ୍କୋରକୁ ୧୫୦ ପାର କରାଇଥିଲେ। ସ୍କୋର ୧୫୯ ଥିବା ବେଳେ ସୂର୍ଯ୍ୟ କୁମାର ୧୬ ବଲରେ ୩୧ ରନ କରି ଷ୍ଟାର୍କଙ୍କ ଦ୍ୱିତୀୟ ଶିକାର ବନିଥିଲେ। ସେ ୩ଟି ଚୌକା ଓ ୨ଟି ଛକା ମାରିଛନ୍ତି। 

ଭାରତ ୧୫ ଓଭର ସୁଦ୍ଧା ୪ ୱିକେଟ ହରାଇ ୧୬୨ ରନ କରି ନେଇଥିଲା। ଶିବମ ଦୁବେ ୧୨ ବଲରେ ୧୯ ଓ ପାଣ୍ଡ୍ୟା ୨ ବଲରେ ୨ ରନ କରି କ୍ରିଜରେ ରହିଥିଲେ।

୧୬ତମ ଓଭର ବୋଲିଂ କରିବାକୁ ଆସିଥିଲେ ହେଜେଲଉଡ। ସେ ଦମଦାର ବୋଲିଂ କରି ମାତ୍ର ୪ ରନ ଦେଇଥିଲେ। ୧୭ତମ ଓଭରରେ ଆଡାମ ଜାମ୍ପା ସୁଯୋଗ ସୃଷ୍ଯି କରିଥିଲେ ହେଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାଚ୍‌ ଅଧିନାୟକ ମିଚେଲ ମାର୍ଶ ହାତ ଛଡ଼ା କରିଥିଲେ। ପରବର୍ତ୍ତୀ ବଲରେ ଶିବମ ଦୁବେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଭାରତକୁ ଏହି ଓଭରରେ ମାତ୍ର ୫ ରନ ମିଳିଥିଲା। 

୧୮ତମ ଓଭର ନେଇ ଆସିଥିଲେ ପାଟ କମିନ୍ସ। ତାଙ୍କର ପ୍ରଥମ ବଲରେ ଦୁବେ ୨ ରନ ଆଦାୟ କରିଥିଲେ। କିନ୍ତୁ ଦ୍ୱିତୀୟ ବଲରୁ ୧ ରନ ମିଳିଥିଲା। ତୃତୀୟ ବଲରେ ବି ୧ ରନ ହିଁ ହୋଇଥିଲା। ୪ର୍ଥ ବଲରେ ସମାନ ୧। ୫ମ ବଲରେ ପାଣ୍ଡ୍ୟା ଚୌକା ମାରିଥିଲେ। ଶେଷ ବଲରେ ସେ ଏକ ରନ ନେଇ ଷ୍ଟ୍ରାଇକ ନିଜ ପାଖରେ ରଖିଥିଲେ। 

୧୯ତମ ଓଭରରେ ପାଣ୍ଡ୍ୟା ତାଙ୍କ ବିସ୍ଫୋରକ ରୂପ ଦେଖାଇଥିଲେ। ସେ ମାର୍କସ ଷ୍ଟୋଇନିଙ୍କୁ କ୍ରମାଗତ ୨ଟି ଛକା ମାରିବା ପରେ ଏକ ରନ ନେଇ ଦୁବେଙ୍କୁ ଷ୍ଟ୍ରାଇକ ଦେଇଥିଲେ। କିନ୍ତୁ ଦୁବେ ୪ର୍ଥ ବଲରେ ଆଉଟ ହୋଇଯାଇଥିଲେ। ସେ ଆଜି ୨୨ ବଲରେ ୨୮ ରନ କରି ଆଉଟ ହୋଇଛନ୍ତି। ୫ମ ବଲ ରବୀନ୍ଦ୍ର ଜାଡେଜା ବିଟ ହୋଇଥିଲେ। ଶେଷ ବଲରେ ସେ ୧ ରନ ନେଇ ଷ୍ଟ୍ରାଇକ ନିଜ ପାଖରେ ରଖିଥିଲେ। 

ଶେଷ ଓଭର ନେଇ ଆସିଥିଲେ କମିନ୍ସ। ପ୍ରଥମ ବଲରେ ଜାଡେଜା ୧ ରନ ନେଇ ପାଣ୍ଡ୍ୟାଙ୍କୁ ଷ୍ଟ୍ରାଇକ ଦେଇଥିଲେ। ତେବେ ପାଣ୍ଡ୍ୟା ଓଭରର ଦ୍ୱିତୀୟ ବଲରେ କୌଣସି ରନ କରି ପାରି ନଥିଲେ। ତୃତୀୟ ବଲରେ ୧ ରନ ହୋଇଥିଲା। ୪ର୍ଥ ବଲରେ ଜାଡେଜା ଛକା ମାରି ଭାରତୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ପରେ ଏକ ରନ ନେଇ ପାଣ୍ତ୍ୟାଙ୍କୁ ଷ୍ଟ୍ରାଇକ ଦେଇଥିଲେ। ପାଣ୍ଡ୍ୟା ୧ ରନ କରିବାକୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୦୫ ରନ କରିଛି। 

ପାଣ୍ଡ୍ୟା ୧୭ ବଲରେ ୨୭ ଓ ଜାଡେଜା ୫ ବଲରେ ୯ ରନ କରି ଅପରାଜିତ ରହିଥିଲେ। ଏବେ ଅଷ୍ଟ୍ରେଲିଆକୁ ମ୍ୟାଚ ଜିତିବା ପାଇଁ ୨୦୬ ରନର ଟାର୍ଗେଟ ମିଳିଛି। 

Rohit Sharma T20 Match T20 World Cup T20 Cricket