Advertisment

୩୧ ବର୍ଷ ଅପେକ୍ଷାର ଅନ୍ତ ଘଟିବ! କାଲିଠୁ ଭାରତର ଦକ୍ଷିଣ ଆଫ୍ରିକା ପରୀକ୍ଷା

୫୦ ଓଭର ବିଶ୍ୱକପରେ କପିଲ ଦେବ ଓ ମହେନ୍ଦ୍ର ସିଂହଙ୍କ ସମକକ୍ଷ ହେବାକୁ ରୋହିତଙ୍କ ପାଖରେ ସୁଯୋଗ ଥିଲା। କିନ୍ତୁ ରୋହିତ ତାହା କରି ପାରି ନାହାନ୍ତି। ଯଦି ଏବେ ରୋହିତ ଆଣ୍ଡ କୋ ଟେଷ୍ଟ ସିରିଜରେ ସଫଳତା ହାସଲ କରିବେ, ତା’ହେଲେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କୁ ଅତିକ୍ରମ କରିଯିବେ।

author-image
Hemant Lenka
Gill

Gill

ନଭେମ୍ବର ୧୯ ବିଶ୍ୱକପ ଫାଇନାଲ ହାରିବାର ଦୁଃଖ ସାରା ଜୀବନ ରୋହିତ ଶର୍ମାଙ୍କର ମନେ ରହିବ। କିନ୍ତୁ ଏହି ପରାଜୟ ଦୁଃଖରୁ ମୁକୁଳିବା ଓ ଭାରତର ୩୧ ବର୍ଷ ଧରି ରହିଥିବାର ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ରୋହିତ ଶର୍ମା ପ୍ରତିଶ୍ରୁତିବଦ୍ଧ। କାଲିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ୨ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌।

Advertisment

ବିଶ୍ୱକପ ଫାଇନାଲ ପରାଜୟ ପରେ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରା ବକ୍ସିଂ ଡେ’ ଟେଷ୍ଟରେ ଆକ୍ସନକୁ ଫେରିବେ। ୧୯୯୨ ପରଠାରୁ ଭାରତ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ଖେଳୁଛି। କିନ୍ତୁ ଏହି ୩୧ ବର୍ଷ ମଧ୍ୟରେ ଥରେ ହେଲେ ବି ଦଳ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ହରାଇ ପାରିନି। ତେଣୁ ୩୧ ବର୍ଷ ଧରି ରହିଥିବା ଅପେକ୍ଷାରେ ଅନ୍ତ ଘଟାଇବା ଲକ୍ଷ୍ୟରେ ରୋହିତ ଆଣ୍ଡ କୋ ରହିଛନ୍ତି।

ତେବେ ଭାରତ ରାସ୍ତାରେ ବର୍ଷା ବାଧକ ହୋଇପାରେ। କାରଣ ଟେଷ୍ଟ ମ୍ୟାଚର ପ୍ରଥମ ଦୁଇ ଦିନ ବର୍ଷା ଯୋଗୁ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେଞ୍ଚୁରିଅନ ଟ୍ରାକ୍‌ ତା’ର ବାଉନ୍ସ ଓ ସ୍ପିଡ ପାଇଁ ବେଶ ଜଣାଶୁଣା। ତେଣୁ ବ୍ୟାଟ ଓ ବଲ ମଧ୍ୟରେ ଭଲ ଲଢ଼େଇ ଦେଖିବାକୁ ମିଳିବ। ଓପନ ଗ୍ରାଉଣ୍ଡରେ କାଲୁଆ ପବନ ମଧ୍ୟ ବୋଲରଙ୍କୁ ବେଶ ସୁହାଇବ।

Advertisment

୫୦ ଓଭର ବିଶ୍ୱକପରେ କପିଲ ଦେବ ଓ ମହେନ୍ଦ୍ର ସିଂହଙ୍କ ସମକକ୍ଷ ହେବାକୁ ରୋହିତଙ୍କ ପାଖରେ ସୁଯୋଗ ଥିଲା। କିନ୍ତୁ ରୋହିତ ତାହା କରି ପାରି ନାହାନ୍ତି।  ଯଦି ଏବେ ରୋହିତ ଆଣ୍ଡ କୋ ଟେଷ୍ଟ ସିରିଜରେ ସଫଳତା ହାସଲ କରିବେ, ତା’ହେଲେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କୁ ଅତିକ୍ରମ କରିଯିବେ।

ମହମ୍ମଦ ଆଝାରୁଦ୍ଦିନ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ, ଏମଏସ ଧୋନି ଓ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଅବଶ୍ୟ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ ଜିତିଛି। କିନ୍ତୁ ଭାରତକୁ ସିରିଜ ବିଜୟର ସଫଳତା ମିଳିନି।

ରୋହିତଙ୍କ ଆଗରେ ଚ୍ୟାଲେଞ୍ଜିଂ ଟ୍ୟାକ୍ସ ରହିଛି। କିନ୍ତୁ ଦକ୍ଷିଣ ଆଫ୍ରିକାରେ ସିରିଜ ଜିତି ପାରିଲେ ବିଶ୍ୱକପ ପରାଜୟର କ୍ଷତଚିହ୍ନ କିଛି ମାତ୍ରାରେ ଲାଘବ ହୋଇପାରିବ। ପୂର୍ବରୁ ଭାରତର ୮ ଦଳ ଦକ୍ଷିଣ ଆଫ୍ରିକାରେ ଯାହା କରିପାରି ନାହାନ୍ତି, ସେକଥା ରୋହିତ ଆଣ୍ଡ କୋ ୯ମ ପ୍ରୟାସରେ କରିପାରିବେ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ତେମ୍ବା ବଭୂମାଙ୍କ ଦକ୍ଷିଣ ଆଫ୍ରିକାର ପେସ୍‌ ଆଟାକକୁ ସାମ୍ନା କରିବା ଭାରତୀୟ ବ୍ୟାଟରଙ୍କ ପାଇଁ ସହଜ ହେବନି। ବିଶେଷ କରି ଯୁବ ବ୍ୟାଟର ଯଶସ୍ୱୀ ଜୈସୱାଲଙ୍କ ଆଗରେ କାଗିସୋ ରବାଡା, ଲୁଙ୍ଗି ଏନଗିଡି, ମାର୍କୋ ୟାନସେନ ଓ ଗେରାଲ୍ଡ କୋଏଜି ଚ୍ୟାଲେଞ୍ଜ ସୃଷ୍ଟି କରିବେ। ଅତି ଉଚ୍ଚ ବାଉନ୍ସ ଓ ପିଚ୍‌ର ଅପ୍ରତ୍ୟାଶିତ ବ୍ୟବହାର ନିଶ୍ଚିତ ଭାବେ ଭାରତୀୟ ବ୍ୟାଟରଙ୍କ ଆଗରେ ପ୍ରଶ୍ନ ସୃଷ୍ଟି କରିବ।

ସବ କଣ୍ଟିନେଣ୍ଟାଲ ପିଚ୍‌ରେ ନିଜର ଦମ ଦେଖାଇଥିବା ଶୁବମନ ଗିଲ ଓ ଶ୍ରେୟସ ଆୟର ନିଜର ବ୍ୟାଟିଂର ସ୍ତରକୁ ଦକ୍ଷିଣ ଆଫ୍ରିକାରେ ବୃଦ୍ଧି କରିବାକୁ ହେବ। ଶଟ ବଲ ଆୟରଙ୍କ ଦୁର୍ବଳତା। ତେଣୁ ତାଙ୍କୁ ଏହାର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବାକୁ ହେବ।

ମୁଖ୍ୟ କୋଚ ରାହୁଲ ଡ୍ରାଭିଡ ସବୁବେଳେ ଜୈସୱାଲ ଓ ଗିଲଙ୍କୁ ନିଜର ଷ୍ଟାଇଲ କାଏମ ରଖିବାକୁ ଉତ୍ସାହିତ କରୁଛନ୍ତି। କିନ୍ତୁ ସେ ଉଭୟଙ୍କୁ ମ୍ୟାଚ୍‌ର ସ୍ଥିତି ଓ ପରିବେଶକୁ ମଧ୍ୟ ଖାପ୍ପ ଖୁଆଇ ବ୍ୟାଟିଂ କରିବାକୁ ପରାମର୍ଶ ଦେଇଛନ୍ତି।

ତେବେ ମ୍ୟାଚ୍‌ର ସବୁ କିଛି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ନିର୍ଭର କରୁଛି। ଏହି ଦୁଇ ବରିଷ୍ଠ ଖେଳାଳି ମ୍ୟାଚ୍‌କୁ କେମିତି ପରିଚାଳନା କରୁଛନ୍ତି, ତାହା ଭାରତର ଇନିଂସକୁ ନିର୍ଦ୍ଧାରଣ କରିବ। ସେହିପରି ମହମ୍ମଦ ଶାମିଙ୍କ ଅନୁପସ୍ଥିତିରେ ନବାଗତ ମୁକେଶ କୁମାର କେମିତି ପ୍ରଦର୍ଶନ କରୁଛନ୍ତି, ତାହା ମଧ୍ୟ ଦେଖିବାକୁ ବାକି ରହିଛି।

ପିଚ୍‌ରେ ଅତିରିକ୍ତ ବାଉନ୍ସ ରହିବ। ତେଣୁ ମୁକେଶ କୁମାରଙ୍କ ବଦଳରେ ପ୍ରସିଦ୍ଧ କ୍ରିଷ୍ଣା ଭଲ ବିକଳ୍ପ ହୋଇପାରନ୍ତି। କେଏଲ ରାହୁଲ ପ୍ରଥମ ଟେଷ୍ଟରେ ୱିକେଟ କିପିଂ କରିବେ। ଏକଥା ଡ୍ରାଭିଡ ସ୍ପଷ୍ଟ କରି ସାରିଛନ୍ତି। ଏହାର ଅର୍ଥ ରାହୁଲ ୬ନଂରେ ଓ ଆୟର ୫ନଂରେ ବ୍ୟାଟିଂ କରିବେ। ଗିଲ ଓପନ କରିବେ ନା ରୋହିତ ଓ ଜୈସୱାଲ ଇନିଂସ ଆରମ୍ଭ କରିବେ, ତା’ହା ମଧ୍ୟ ବଡ଼ ପ୍ରଶ୍ନ

ଦକ୍ଷିଣ ଆଫ୍ରିକା ପାଖରେ ବଭୂମାଙ୍କ ସହ ଡିନ ଏଲଗର, ଷ୍ଟାଇଲିଶ ଏଡେନ ମାର୍କରମ, ଯୁବ ତାରକା ଟୋନୀ ଡେ ଜୋରଜି ଓ କୀଗାନ ପିଟରସନ ପ୍ରମୁଖ ରହିଛନ୍ତି। ସେମାନେ ଭାରତୀୟ ବୋଲରଙ୍କ ପାଇଁ ନିଶ୍ଚିତ ଚ୍ୟାଲେଞ୍ଜ ସୃଷ୍ଟି କରିବେ। 

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ ରାହୁଲ(ୱିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ମୁକେଶ କୁମାର, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର, କେଏସ ଭାରତ ଓ ଅଭିମନ୍ୟୁ ଈଶ୍ୱରନ(ଦ୍ୱିତୀୟ ଟେଷ୍ଟ)।

ଦକ୍ଷିଣ ଆଫ୍ରିକା ସ୍କ୍ୱାଡ: ତେମ୍ବା ବଭୂମା(ଅଧିନାୟକ), ଏଡେନ ମାର୍କରମ, ଟୋନି ଡେ ଜୋରଜି, ଡିନ ଏଲଗର, କୀଗାନ ପିଟରସନ, କାୟଲ ଭେରୀୟନେ(ୱିକେଟ କିପର), ତ୍ରିଷ୍ଟାନ ଷ୍ଟବ୍ସ, ନାନ୍ଦ୍ରେ ବୁରଗେର, ମାର୍କୋ ୟାନସେନ, ୱିଆନ ମୁଲଡେର, ଗେରାଲ୍ଟ କୋଏଜି, କେଶବ ମହାରାଜ, କାଗିସୋ ରବାଡା, ଲୁଙ୍ଗି ଏନଗିଡି ଓ ଡାଭିଡ ବେଡିଂହାମ।

Rohit Sharma India Vs South Africa Shubman Gill Test Match