Advertisment

ବର୍ଡର-ଗାଭାସ୍କର ଟ୍ରଫି ପରେ ଅବସର ଘୋଷାଣା କରିବେ ରୋହିତ ଶର୍ମା!

ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଏହି ଫର୍ମାଟକୁ ଅଲବିଦା କହିଥିଲେ। ସେ କେବଳ ଦିନିକିଆ ଓ ଟେଷ୍ଟ ଖେଳୁଛନ୍ତି। କିନ୍ତୁ ଟେଷ୍ଟରେ ରୋହିତଙ୍କ ସେହି ଜଲୱା ନାହିଁ।

author-image
Hemant Lenka
ଅଦ୍ୟତନ ହୋଇଛି
Rohit

Rohit

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। କ୍ୟାପ୍ଟେନ୍ସିରେ ମଧ୍ୟ ତାଙ୍କର ପୁରୁଣା ଚମକ ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଫ୍ଲପ ହେବା ପରେ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ କ୍ରମାଗତ ଭାବେ ଫେଲ ମାରିବାରେ ଲାଗିଛନ୍ତି।

Advertisment

ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଏହି ଫର୍ମାଟକୁ ଅଲବିଦା କହିଥିଲେ। ସେ କେବଳ ଦିନିକିଆ ଓ ଟେଷ୍ଟ ଖେଳୁଛନ୍ତି। କିନ୍ତୁ ଟେଷ୍ଟରେ ରୋହିତଙ୍କ ସେହି ଜଲୱା ନାହିଁ। ପିଙ୍କ ବଲ ଟେଷ୍ଟରେ ଭାରତ ହାରିଥିବା ବେଳେ ଗାବାରେ କଷ୍ଟମଷ୍ଟେ ମ୍ୟାଚ୍‌ ଡ୍ର ହୋଇଥିଲା। ଆଜି ମେଲବର୍ଣ୍ଣ ଟେଷ୍ଟରେ ଭାରତ ୧୮୪ ରନରେ ଅଷ୍ଟ୍ରେଲିଆ ଠାରୁ ହାରିଛି। ଏହି ପରାଜୟ ଭାରତୀୟଙ୍କୁ ବେଶ ବାଧିଛି। କାରଣ ଆଜିର ପରାଜୟ ପରେ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିବାର ସ୍ୱପ୍ନ ମଧ୍ୟ ଏକପ୍ରକାରର ଧୂଳିସାତ ହୋଇଯାଇଛି।

ମେଲବର୍ଣ୍ଣରେ ବୋଲରମାନେ ଭାରତକୁ କମବ୍ୟାକର ସୁଯୋଗ ଦେଇଥିଲେ। କିନ୍ତୁ ବ୍ୟାଟରମାନେ ପୁଣିଥରେ ସମସ୍ତଙ୍କୁ ନିରାଶ କରିଛନ୍ତି। ପ୍ରଥମ ଇନିଂସରେ ଫେଲ ମାରିଥିବା ରୋହିତ ଦ୍ୱିତୀୟ ଇନିଂସରେ ୪୦ ବଲରେ ସମ୍ମୁଖୀନ ହୋଇଥିଲେ। କିନ୍ତୁ ସେ କେବଳ ୯ ରନ କରିବାକୁ ସକ୍ଷମ ହୋଇଛନ୍ତି।

Advertisment

ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଆସିବା ପୂର୍ବରୁ ଭାରତ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୦-୩ରେ ହାରିଥିଲା। ଏହି ସିରିଜରେ ରୋହିତ ୬ଟି ଇନିଂସରେ ମାତ୍ର ୯୧ ରନ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର କେବଳ ୫୨ ରନ ରହିଥିଲା। ସେହିପରି ତାଙ୍କ କ୍ୟାପ୍ଟେନ୍ସି ଉପରେ ମଧ୍ୟ କ୍ରିକେଟ ପଣ୍ଡିତମାନେ ପ୍ରଶ୍ନ ଉଠାଇଥିଲେ।

ନ୍ୟୁଜିଲ୍ୟାଣ୍ଡ ଠାରୁ ଭାରତ ହାରିଥିଲେ ହେଁ ନୂଆ ଆଶା ନେଇ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ପ୍ରଥମ ଟେଷ୍ଟରେ ରୋହିତ ନଥିବାରୁ ଯଶପ୍ରୀତ ବୁମ୍ରା ଦଳର କମାଣ ସମ୍ଭାଳିଥିଲେ। ଭାରତ ମଧ୍ୟ ଚମତ୍କାର ଢଙ୍ଗରେ ଅଷ୍ଟ୍ରେଲିଆକୁ ମାତ ଦେଇଥିଲା। ଦ୍ୱିତୀୟ ମ୍ୟାଚ୍‌କୁ ରୋହିତ ଫେରିବା ସହ ଭାରତର ଅଧିନାୟକ ପଦ ପୁଣି ସମ୍ଭାଳିଥିଲେ। କିନ୍ତୁ ଭାରତର ପରାଜୟର ଧାରା ପିଙ୍କ ବଲ ଟେଷ୍ଟରୁ ଆରମ୍ଭ ହୋଇଥିଲା।

ବୁମ୍ରାଙ୍କ ସମୟରେ ଭାରତ ୫ ଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗରେ ଥିଲା। କିନ୍ତୁ ୪ର୍ଥ ମ୍ୟାଚ୍‌ ଶେଷ ବେଳକୁ ସ୍ଥିତି କଙ୍ଗାରୁ ଟିମ ସପକ୍ଷରେ ୨-୧ ହୋଇଯାଇଛି। ରୋହିତ ୬ଟି ଇନିଂସରେ କେବଳ ୩୧ ରନ କରିଛନ୍ତି। ସେହିପରି ଟିମ ଚୟନକୁ ନେଇ ମଧ୍ୟ ରୋହିତ କାଠଗଡ଼ାରେ ରହିଛନ୍ତି। ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟରେ କମବ୍ୟାକ ପାଇଁ ସୁଯୋଗ ଦେଇଥିଲା। କିନ୍ତୁ ରୋହିତଙ୍କ ଖରାପ କ୍ୟାପ୍ଟେନ୍ସି ପାଇଁ ଏହାର ଫାଇଦା ଦଳ ଉଠାଇ ପାରି ନଥିଲା ବୋଲି ମଧ୍ୟ କୁହାଯାଉଛି।

ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଏକଦା ୯୧ ରନରେ ୬ଟି ୱିକେଟ ହରାଇଥିଲା। ତଥାପି ଦଳ ୨୩୪ ଯାଏ ଯାଇଥିଲା। କଙ୍ଗାରୁ ଟିମର ଲୋୟର ଅର୍ଡର ବ୍ୟାଟରମାନେ ସ୍କୋର କରିଥିବା ବେଳେ ରୋହିତ ପ୍ରଭାବୀ ଢଙ୍ଗରେ ସେମାନଙ୍କ ବିରୋଧରେ କୌଣସି ରଣନୀତି କରିପାରି ନଥିଲେ। ଆଟାକିଂ କ୍ରିକେଟ ବଦଳରେ ସେ ଡିଫେନ୍ସ ଉପରେ ବେଶୀ ଫୋକସ କରିଥିଲେ। ଏଥିଯୋଗୁ ତାଙ୍କୁ କ୍ରିକେଟ ପଣ୍ତିତଙ୍କ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ିଛି।

ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଏ ପର୍ଯ୍ୟନ୍ତ ଖେଳିଥିବା ୬ ଇନିଂସରେ ମାତ୍ର ୩୧ ରନ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ଟୁରରେ ତାଙ୍କ ବ୍ୟାଟିଂ ହାର ମାତ୍ର ୬ ରହିଛି। ଏହା କୌଣସି ଭ୍ରମଣକାରୀ ଅଧନାୟକଙ୍କ କ୍ଷେତ୍ରରେ ସବୁଠାରୁ କମ।  ରୋହିତ ଦଳର ଜଣେ ପ୍ରମୁଖ ସଦସ୍ୟ ଓ ଅଧିନାୟକ। ତାଙ୍କର ଏପରି ପ୍ରଦର୍ଶନ କେବଳ ଦଳ ପାଇଁ କ୍ଷତିକାରକ ହେଉନାହିଁ, ବରଂ ସେ ଚୂଡ଼ାନ୍ତ ଏକାଦଶରେ ରହୁଥିବାରୁ ଅନେକ ଉଦୀୟମାନ ପ୍ରତିଭାବାନ ଖେଳାଳି ସାମ୍ନାକୁ ଆସି ପାରୁ ନଥିବା କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି। 

କୁହାଯାଉଛି ଯେ ରୋହିତ ଶର୍ମା ଟେଷ୍ଟରୁ ଅବସର ଘୋଷଣା କରିବାର ସମୟ ଆସି ଯାଇଛି। ଏହି ଚର୍ଚ୍ଚାକୁ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଖୋରାକ ଯୋଗାଇଛନ୍ତି। ରୋହିତଙ୍କ ଭଳି ବିରାଟ କୋହଲି ମଧ୍ୟ କ୍ରମାଗତ ଫେଲ ମାରି ଚାଲିଛନ୍ତି। ହେଲେ ସେ ଆହୁରି ୩ରୁ ୪ ବର୍ଷ ଖେଳିବେ ବୋଲି ଶାସ୍ତ୍ରୀ ଆଶା ରଖିଛନ୍ତି। ପର୍ଥ ଟେଷ୍ଟରେ ବିରାଟ ଶତକ ମାରି ନିଜ ସମାଲୋଚକଙ୍କ ମୁହଁ ବନ୍ଦ କରିଥିଲେ।

ଶାସ୍ତ୍ରୀ କହିଛନ୍ତି, “ମୁଁ ଭାବୁଛି ବିରାଟ ଆହୁରି କିଛି ବର୍ଷ ଖେଳିବେ। ସେ ଏବେ ଯେଉଁଭଳି ଆଉଟ ହେଉଛନ୍ତି, ସେକଥା ଭୁଲି ଯାଅନ୍ତୁ। ମୁଁ ଭାବୁଛି ସେ ଆହୁରି ୩ରୁ ୪ ବର୍ଷ ଖେଳିବେ। ରୋହିତଙ୍କ କଥା ବିଚାରକୁ ନେଲେ, ନିଷ୍ପତ୍ତି ନେବାର ସମୟ ଆସି ଯାଇଛି। ଟପ ଅର୍ଡର ଫୁଟୱର୍କର ଗୁରୁତ୍ୱ ରହିଥାଏ। ରୋହିତଙ୍କ ପାଖରେ ସେ ଫୁଟୱର୍କ ଆଉ ନାହିଁ। ସେ ଏମିତି ଏକ ସମୟରେ ପହଞ୍ଚି ଯାଇଛନ୍ତି, ଯେଉଁଠି ବଲକୁ ମିଟ କରିବାରେ ବିଳମ୍ବ ହେଉଛନ୍ତି। ତେଣୁ ସିରିଜ ଶେଷରେ ରୋହିତ ହିଁ ତାଙ୍କ କ୍ୟାରିୟରକୁ ନେଇ ନିଷ୍ପତ୍ତି ନେବେ।”

ଶାସ୍ତ୍ରୀଙ୍କ ଏପରି ବୟାନ ପରେ ରୋହିତ ବର୍ଡର-ଗାଭାସ୍କର ଟ୍ରଫି ପରେ ଅବସର ଘୋଷଣା କରିପାରନ୍ତି ବୋଲି କୁହାଯାଉଛି। ହେଲେ ରୋହିତ ନିଜ ଅବସର ସମ୍ପର୍କରେ ଓଲଟା କଥା କହିଛନ୍ତି। ବାହାରେ ଅନେକ କଥା କୁହାଯାଉଥିଲେ ହେଁ ସେ ସିଡ୍‌ନୀରେ ଖେଳା ଯିବାକୁ ଥିବା ନ୍ୟୁ ୟର ଟେଷ୍ଟରେ ଭାରତର କମାଣ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି।

ରୋହିତ ଆଜି ମ୍ୟାଚ୍‌ ପରେ କହିଛନ୍ତି, “ମୁଁ ସେହି ଠାରେ ରହିଛି, ଯେଉଁଠାରେ ମୁଁ ଆଜି ରହିଛି। ଅତୀତରେ କ’ଣ ସବୁ ହୋଇଛି, ସେସବୁ ଭାବିବାର କିଛି କାରଣ ନାହିଁ। ନିଶ୍ଚିତ ଭାବେ କିଛି ମ୍ୟାଚ୍‌ର ରେଜଲ୍ଟ ଆମ ସପକ୍ଷରେ ଯାଇନାହିଁ। ଅଧିନାୟକ ହିସାବରେ ଏହା ନିରାଶଜନକ। ବ୍ୟାଟର ଭାବେ ମଧ୍ୟ ନିରାଶ କରିଛି। ମୁଁ ଅନେକ ଜିନିଷ ଚେଷ୍ଟା କରିଥିଲେ ହେଁ ଏହାର ରେଜଲ୍ଟ ମିଳିନାହିଁ।”

Bcci Rohit Sharma Border-Gavaskar Trophy