Rohit Sharma
ବିଶ୍ୱକପ ଜିତିବା ପରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଅବସର ଘୋଷଣା କରିଛନ୍ତି। ଗୁଡ ବାଏ କହିବାକୁ ଏହା ଉପଯୁକ୍ତ ସମୟ ବୋଲି ରୋହିତ ଶନିବାର ଦିନ କହିଥିଲେ।
ମ୍ୟାଚ୍ ସରିବା କ୍ଷଣି ବିରାଟ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ବେଳେ ରୋହିତ ମ୍ୟାଚ ପରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସମାନ ପଦକ୍ଷେପ ଗ୍ରହଣ କରିଥିଲେ।
ସେ କହିଥିଲେ, “ଏହା ମୋର ଶେଷ ମ୍ୟାଚ୍ ଥିଲା। ଗୁଡବାଏ କହିବାକୁ ଏହା ଠାରୁ ଆଉ ଭଲ ସମୟ କିଛି ହୋଇ ନପାରେ। ମୁଁ ଟ୍ରଫି ପାଇଁ ବ୍ୟଗ୍ର ଥିଲି। ଏହାକୁ ଶବ୍ଦରେ ବୟାନ କରିବା ବେଶ କଷ୍ଟକର। ଏହାକୁ ମୁଁ ଚାହୁଁଥିଲି ଓ ଏହା ଘଟିଛି। ମୋ ଜୀବନରେ ଏଥିପାଇଁ ମୁଁ ଅପେକ୍ଷା କରି ରହିଥିଲି। ଏଥର ଆମେ ବିଜୟ ଲାଇନ ଅତିକ୍ରମ କରିଥିବାରୁ ବହୁତ ଖୁସି।”
୩୭ ବର୍ଷୀୟ ରୋହିତ ଶର୍ମା ୨୦୨୨ ଟି-୨୦ ବିଶ୍ୱକପରେ ମଧ୍ୟ ଭାରତର ନେତୃତ୍ୱ ନେଇଥିଲେ। ହେଲେ ଦଳକୁ ଇଂଲଣ୍ଡ ଠାରୁ ସେମି ଫାଇନାଲରେ ପରାସ୍ତ ହେବାକୁ ପଡ଼ିଥିଲା। ଗୋଟିଏ ବର୍ଷ ପରେ ରୋହିତଙ୍କ ନେତୃତ୍ୱରେ ଦିନିକିଆ ବିଶ୍ୱକପ ଫାଇନାଲ ମଧ୍ୟ ଭାରତ ଖେଳିଥିଲା। କିନ୍ତୁ ଫାଇନାଲରେ ଦଳ ଅଷ୍ଟ୍ରେଲିଆ ଠାରୁ ହାରି ଯାଇଥିଲା।
୨୦୨୪ ଫାଇନାଲରେ ରୋହିତଙ୍କ କ୍ୟାପ୍ଟେନ୍ସିରେ ଭାରତ ଟି-୨୦ ବିଶ୍ୱକପ ଜିତିଛି। ରୋହିତ ୧୫୯ ଟି-୨୦ ଅନ୍ତର୍ଜାତୀୟରେ ୪୨୩୧ ରନ କରିଛନ୍ତି। ଏଥିରେ ୫ଟି ଶତକ ଓ ୩୨ଟି ଅର୍ଦ୍ଧଶତକ ରହିଛି। ସେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିଲେ ହେଁ ଭାରତ ପାଇଁ ଟେଷ୍ଟ ଓ ଦିନିକିଆ ଖେଳିବା ଜାରି ରଖିବେ।
ତେବେ ରୋହିତ ଟି-୨୦ ବିଶ୍ୱକପ ଜିତିବା ପରେ ମଧ୍ୟ ଏହି ଫର୍ମାଟରୁ ଅବସର ନେବାକୁ କୌଣସି ଯୋଜନା କରି ନଥିଲେ ବୋଲି ସ୍ୱୀକାର କରିଛନ୍ତି। ସେ ଅବସର ନେବାକୁ ଚାହୁଁ ନଥିଲେ ହେଁ ଏମିତି କିଛି ସ୍ଥିତି ଆସିଥିଲା, ଯେଉଁଥି ପାଇଁ ସେ ଅନ୍ତର୍ଜାତୀୟ ଟି-୨୦କୁ ଅଲବିଦା କହିଥିବା ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି।
ରୋହିତ କହିଛନ୍ତି, “ମୁଁ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେବି ବୋଲି ଭାବି ନଥିଲି। କିନ୍ତୁ ଏବେ ସ୍ଥିତି ଏମିତି କିଛି ଆସିଗଲା, ଯେଉଁଥି ପାଇଁ ମୁଁ ଭାବିଲି ଯେ ଏବେ ଅବସର ନେବା ଉପଯୁକ୍ତ ହେବ। ଟ୍ରଫି ଜିତିବା ପରେ ଗୁଡବାଏ କହିବା ଠାରୁ ଭଲ ଆଉ କିଛି ହୋଇ ନପାରେ।”
ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଉଥିବାରୁ ତାଙ୍କ ସ୍ଥାନ ନେବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ୨୦୨୩ରେ ରୋହିତ ଅଧିକାଂଶ ଟି-୨୦ରେ ନଜର ଆସି ନଥିଲେ। ତାଙ୍କ ସ୍ଥାନରେ ପାଣ୍ଡ୍ୟା ଭାରତର କମାଣ ସମ୍ଭାଳିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1719833460.jpg)