Advertisment

ବିରାଟଙ୍କ ସମକକ୍ଷ ହେଲେ ରୋହିତ ଶର୍ମା

ରୋହିତ ତାଙ୍କ ଇନିଂସରେ ଉଭୟ ସ୍ପିନର ଓ ପେସରଙ୍କୁ ବେଶ ଦମଦାର ମୁକାବିଲା କରି ୧୭୧ ବଲରେ ଶତକ ହାସଲ କରିଥିଲେ। ଏହାପରେ ସେ ଆଉ ୨୦ ରନ ଯୋଡ଼ି ପ୍ୟାଭିଲିୟନ ଫେରିଛନ୍ତି।

ଅଦ୍ୟତନ ହୋଇଛି
Rohit Sharma

Rohit Sharma

Advertisment

“ପିଚ୍‌କୁ ଏତେ ଦେଖନି, କ୍ରିକେଟ ଖେଳ।” ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ବିର୍ଦ୍ଦଭା କ୍ରିକେଟ ଆସୋସିଏସନ ଷ୍ଟାଡିୟମର ପିଚ୍‌କୁ ନେଇ ଅଷ୍ଟ୍ରେଲିଆ ମିଡିଆ ଓ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ପ୍ରଶ୍ନ ଉଠାଉଥିବା ବେଳେ ରୋହିତ ଏପରି ମତ ଦେଇଥିଲେ। ଏଥିସହ ରୋହିତ ଶର୍ମା ଦୁଇ ଦଳର ଖେଳାଳିଙ୍କୁ ବାହାରେ ଚାଲୁଥିବା ଆଲୋଚନାକୁ ଗୁରୁତ୍ୱ ନ ଦେବାକୁ ବି କହିଥିଲେ।

Advertisment

ଏବେ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ସମସ୍ତ ସମାଲୋଚନା ଓ ପିଚ୍‌କୁ ନେଇ ଚାଲିଥିବା ବିତର୍କ ଭିତରେ ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୧୭୭ ରନ କରି ଅଲଆଉଟ ହେବା ପରେ ଭାରତ ତା’ର ଇନିଂସ ଆରମ୍ଭ କରିଛି। ତେବେ ଦ୍ୱିତୀୟ ଦିନରେ ରୋହିତ ଶତକ ହାସଲ କରିଛନ୍ତି।

ରୋହିତ ତାଙ୍କ ଇନିଂସରେ ଉଭୟ ସ୍ପିନର ଓ ପେସରଙ୍କୁ ବେଶ ଦମଦାର ମୁକାବିଲା କରି ୧୭୧ ବଲରେ ଶତକ ହାସଲ କରିଥିଲେ। ଏହାପରେ ସେ ଆଉ ୨୦ ରନ ଯୋଡ଼ି ପ୍ୟାଭିଲିୟନ ଫେରିଛନ୍ତି। ଏହି ଇନିଂସରେ ସେ ୨ଟି ଛକା ଓ ୧୫ଟି ଚୌକା ମାରିଛନ୍ତି।

Advertisment

ରୋହିତ ଶର୍ମା ଅଧିନାୟକ ପଦ ସମ୍ଭାଳିବା ପରେ ଟେଷ୍ଟ କ୍ରିକେଟରେ ପ୍ରଥମ ଶତକ ହାସଲ କରିଛନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ସେ ପ୍ରଥମଥର ପାଇଁ ଶତକ ମାରିବାରେ ସକ୍ଷମ ହୋଇଛନ୍ତି। ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ରୋହିତଙ୍କ ସର୍ବାଧିକ ସ୍କୋର ୬୩ ରନ ଥିଲା। ସେ ୨୦୧୮ରେ ମେଲବର୍ଣ୍ଣରେ ଖେଳାଯାଉଥିବା ଟେଷ୍ଟରେ ୬୩ ରନ କରିଥିଲେ। ଏବେ ସେ ଶତକ ହାସଲ କରି ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି।

ଏହାବାଦ ରୋହିତ ଶର୍ମା ଶତକ ହାସଲ କରି ବିରାଟ କୋହଲିଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ସେ ପ୍ରଥମଥର କ୍ୟାପ୍ଟେନ୍ସି କରୁଥିବା ବେଳେ ପ୍ରଥମ ଶତକ ହାସଲ କରିଛନ୍ତି। ବିରାଟ କୋହଲି ତାଙ୍କ ପ୍ରଥମ ଟେଷ୍ଟ କ୍ୟାପ୍ଟେନ୍ସିରେ ୨ଟି ଶତକ ହାସଲ କରିଥିଲେ। ୨୦୧୪ ଆଡିଲେଡ୍‌ ଟେଷ୍ଟରେ ସେ ଏପରି କୀର୍ତ୍ତିମାନ ହାସଲ କରିଥିଲେ।

ଅନ୍ୟପକ୍ଷରେ ରୋହିତ ଭାରତର ୧୦ମ ଅଧିନାୟକ ଭାବେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଶତକ ହାସଲ କରିଛନ୍ତି। ରୋହିତ ଭାରତର ପ୍ରଥମ ଅଧିନାୟକ ଯିଏ, କ୍ରିକେଟର ୩ଟି ଯାକ ଫର୍ମାଟରେ ଶତକ ହାସଲ କରିଛନ୍ତି। ସେହିପରି ଏହା ରୋହିତଙ୍କ ଟେଷ୍ଟ କ୍ୟାରିୟରର ୯ମ ଶତକ।

ନାଗପୁର ଟେଷ୍ଟରେ ଭାରତର ଅନ୍ୟ ବ୍ୟାଟରମାନେ ଅଷ୍ଟ୍ରେଲିଆର ସ୍ପିନ ବୋଲିଂ ଯୋଗୁ ସଂଘର୍ଷ କରୁଥିବା ବେଳେ ରୋହିତ ବେଶ ଭଲ ଭାବେ ଏହାରକୁ ମୁକାବିଲା କରି ରନ ସଂଗ୍ରହ କରିଥିଲେ। ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ନାଇଟ ୱାଚ୍‌ ମ୍ୟାନ୍‌ ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ଖେଳାଳି ଭାବେ ଆଉଟ ହୋଇଥିଲେ। ସେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିଥିବା ଟଡ୍‌ ମର୍ଫୀଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଟଡ୍‌ ମର୍ଫୀ ପ୍ରଥମ ଦିନରେ କେଏଲ ରାହୁଲଙ୍କ ୱିକେଟ ନେଇଥିଲେ। 

ଚେତେଶ୍ୱର ପୂଜାର ଓ ବିରାଟ କୋହଲି ମଧ୍ୟ ମର୍ଫୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଭାରତ ପାଇଁ ଡେବ୍ୟୁ କରିଥିବା ସୂର୍ଯ୍ୟ କୁମାର ୮ ରନ କରିଥିବା ବେଳେ ନାଥନ ଲାୟନଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ରୋହିତ ତାଙ୍କ ସ୍ୱାଭାବିକ ଖେଳ ଜାରି ରଖିଥିଲେ।

ତାଙ୍କୁ ରବୀନ୍ଦ୍ର ଜାଡେଜା ଭରପୂର ସହଯୋଗ କରିଥିଲେ। ଉଭୟ ୬ ୱିକେଟ ପାଇଁ ୫୭ ରନ ଯୋଡ଼ିଥିଲେ। ଇତି ମଧ୍ୟରେ ରୋହିତ ମଧ୍ୟ ୧୭୧ ବଲରେ ନିଜର ଶତକ ହାସଲ କରିଥିଲେ। ଶତକ ହାସଲ କରିବା ପରେ ସେ କିଛି ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ନାଗପୁର ପିଚ୍‌ରେ ଏହା ସମ୍ଭବ ହୋଇ ନଥିଲେ। ଶେଷରେ ସେ ୧୨୦ ରନ କରିଥିବା ବେଳେ ପ୍ୟାଟ କମିନ୍ସଙ୍କ ବଲରେ ଆଉଟ ହୋଇଯାଇଥିଲେ। 

Bcci Indian Cricket Team Rohit Sharma India Vs Australia INDvsAUS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe