Advertisment

ଏସିଆ କପରେ ରୋହିତଙ୍କ ହ୍ୟାଟ୍ରିକ ଅର୍ଦ୍ଧଶତକ, କିନ୍ତୁ ବିପର୍ଯ୍ୟୟ ସୃଷ୍ଟି କଲେ ୱେଲାଲାଗେ

ସେ ପଥିରାଣାଙ୍କୁ ଦମଦାର ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ରୋହିତଙ୍କ ଦିନିକିଆ କ୍ୟାରିୟର୍‌ରେ ୫୨ତମ ଅର୍ଦ୍ଧଶତକ।

author-image
Hemant Lenka
Rohit sharma

Rohit sharma

ପ୍ରଥମେ ନେପାଳ, ପରେ ପାକିସ୍ତାନ ଓ ଆଜି ଶ୍ରୀଲଙ୍କା ବିପକ୍ଷରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜ ଯାଦୁ ଦେଖାଇଛନ୍ତି। ସେ ଚଳିତ ଏସିଆ କପରେ କ୍ରମାଗତ ତୃତୀୟ ଥର ପାଇଁ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିସହ ରୋହିତ ଆଜି ତାଙ୍କ ଦିନିକିଆ କ୍ୟାରିୟର୍‌ରେ ୧୦ ହଜାର ରନ ମଧ୍ୟ ପୂରଣ କରିଛନ୍ତି।

Advertisment

କିନ୍ତୁ ରୋହିତଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଶ୍ରୀଲଙ୍କାର ବାମହାତୀ ସ୍ପିନର ଦୁନିଥ୍‌ ୱେଲାଲାଗେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ସେ ଏଯାଏ ୩ ଓଭର ବୋଲିଂ କରିଥିବା ବେଳେ ୩ଟି ୱିକେଟ ଦଖଲ କରି ଭାରତର ରନ ସଂଗ୍ରହ ହାରରେ ରୋକ ଲଗାଇ ଦେଇଛନ୍ତି।

ଭାରତ ପାଇଁ ରୋହିତ ଓ ଗିଲ ଭଲ ଆରମ୍ଭ କରିଥିଲେ। ପ୍ରଥମ ୱିକେଟ ପାଇଁ ଦୁହେଁ ୮୦ ରନ ମଧ୍ୟ ଯୋଡ଼ିଥିଲେ। କିନ୍ତୁ ୱେଲାଲାଗେ ବୋଲିଂ କରିବାକୁ ଆସିବା କ୍ଷଣି ସବୁ କିଛି ଓଲଟ ପାଲଟ ହୋଇ ଯାଇଛି। ସେ ୩ ଓଭରରେ ୪ ରନ ଦେଇ ୩ ୱିକେଟ ଝଡ଼ାଇ ଦେଇଛନ୍ତି। ରୋହିତ ଶର୍ମା ମଧ୍ୟ ୫୩ ରନ କରି ପ୍ୟାଭିଲିୟନ ଫେରିଛନ୍ତି।  

Advertisment

ସୋମବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଶେଷ ହୋଇଥିବା ବେଳେ ଆଜି ଭାରତୀୟ ଟିମ ଏସିଆ କପ ସୁପର ୪ରେ ଶ୍ରୀଲଙ୍କା ବିପକ୍ଷରେ ଲଢ଼େଇ କରୁଛି। ବିନା ବିଶ୍ରାମରେ ମୈଦାନକୁ ଓହ୍ଲାଇଥିବା ଟିମ ଇଣ୍ଡିଆ ତା’ର ଇନିଂସ ଠିକଠାକ ଆରମ୍ଭ କରିଥିଲା। 

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଅଧିନାୟକ ରୋହିତ ଓ ଶୁବମନ ଗିଲ୍‌ ଭଲ ଷ୍ଟାର୍ଟ ଦେଇଥିଲେ। ଅବଶ୍ୟ ଗିଲ୍‌ ଦଳୀୟ ସ୍କୋର ୮୦ ଥିବା ବେଳେ ବ୍ୟକ୍ତିଗତ ୧୯ ରନ କରି ଆଉଟ ହୋଇଥିଲେ। ବିରାଟ କୋହଲି ବି ଫେଲ ମାରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୧୧୨ ରନର ଅପାରଜିତ ଇନିଂସ ଖେଳିଥିଲେ। କିନ୍ତୁ ଆଜି ସେ ୩ ରନ କରି ଦୁନିତ ୱେଲ୍ଲାଲାଗେଙ୍କ ବଲରେ ଆଉ ହୋଇ ଯାଇଛନ୍ତି। 

୯୦ ରନରେ ଭାରତ ଦ୍ୱିତୀୟ ୱିକେଟ ହରାଇଥିଲା। ଏହାର ୧ ରନ ପରେ ରୋହିତ ୫୩ ରନ କରି ୱେଲାଲାଗେଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। କିନ୍ତୁ ଏହା ପୂର୍ବରୁ ସେ ୭ଟି ଚୌକା ଓ ୨ଟି ଛକା ବଳରେ ୫୩ ରନର ଇନିଂସ ଖେଳିଥିଲେ। 

ସେ ଚଳିତ ଏସିଆ କପରେ ହ୍ୟାଟ୍ରିକ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥିସହ ଦିନିକିଆ କ୍ରିକେଟରେ ସେ ବ୍ୟକ୍ତିଗତ ଭାବେ ୧୦ ହଜାର ରନ ପୂରଣ କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୨୩ ରନ କରିବା କ୍ଷଣି ୧୦ ହଜାର କ୍ଲରେ ପ୍ରବେଶ କରିଥିଲେ। ରୋହିତ ୨୪୧ ଇନିଂସରେ ୧୦ ହଜାର ରନ ପୂରଣ କରିଥିବା ବେଳେ ତାଙ୍କ ଉପରେ ବିରାଟ କୋହଲି ରହିଛନ୍ତି। ବିରାଟ ୨୦୫ଟି ଇନିଂସରେ ତାଙ୍କ ଦିନିକିଆ କ୍ୟାରିୟର୍‌ରେ ୧୦ ହଜାର ରନ ପୂରଣ କରିଥିଲେ। ତୃତୀୟ ସ୍ଥାନରେ ୨୬୭ ଇନିଂସ ସହ ସଚିନ ତେନ୍ଦୁଲକର ରହିଛି।

ଆଜିର ମ୍ୟାଚ୍‌ କଥା ବିଚାରକୁ ନେଲେ ରୋହିତ ଆରମ୍ଭରୁ ହିଁ ଆଟାକିଂ ଶଟ ସବୁ ଖେଳି ଚାଲିଥିଲେ। ପଥିରାଣାଙ୍କ ଠାରୁ ଆରମ୍ଭ କରି ଦସୁନ ଶଣକା ଓ ତିକଶାନା କେହି ବି ରୋହିତଙ୍କୁ ଅଡ଼ୁଆରେ ପକାଇ ପାରି ନଥିଲେ।

ଶେଷରେ ସେ ପଥିରାଣାଙ୍କୁ ଦମଦାର ଚୌକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହା ରୋହିତଙ୍କ ଦିନିକିଆ କ୍ୟାରିୟର୍‌ରେ ୫୨ତମ ଅର୍ଦ୍ଧଶତକ। ସେହିପରି ସେ ଏସିଆ କପରେ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ପ୍ରଥମେ ରୋହିତ ନେପାଳ ବିପକ୍ଷରେ ଅପରାଜିତ ୭୪ ରନ କରିଥିଲେ। ସେହିପରି ପାକିସ୍ତାନ ବିପକ୍ଷରେ ୫୬ ରନର ଇନିଂସ ଖେଳିଥିଲେ। ରିପୋର୍ଟ ଲେଖା ହେବା ବେଳକୁ ଭାରତ ୧୮ ଓଭରରେ ୩ଟି ୱିକେଟ ହରାଇ ୧୦୩ ରନ କରିଛି। କେଏଲ ରାହୁଲ ଓ ସହ ଈଶାନ କିଶନ ବ୍ୟାଟିଂ କରୁଛନ୍ତି। 

Rohit Sharma Asia Cup Cricket Asia Cup 2023