/odisha-reporter/media/post_attachments/uploadimage/library/16_9/16_9_0/Rohit_1741170092.jpg)
Rohit
ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ପ୍ରବେଶ କରିଛି। ମଙ୍ଗଳବାର ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲରେ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୪ ୱିକେଟରେ ଅଷ୍ଟ୍ରେଲିଆକୁ ମାତ ଦେଇ ଐତିହାସିକ ସଫଳତା ହାସଲ କରିଛି। ଭାରତ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିବା କ୍ଷଣି ଅଧିନାୟକ ରୋହିତ ଶର୍ମାଙ୍କ ନାଁରେ ଯୋଡ଼ି ହୋଇ ଯାଇଛି ବିରଳ ରେକର୍ଡ। କ୍ରିକେଟ ଇତିହାସର କୌଣସି କ୍ୟାପ୍ଟେନ କରି ପାରି ନଥିବା ରେକର୍ଡ ଏବେ ରୋହିତ କରି ଦେଖାଇଛନ୍ତି।
ବିଶ୍ୱ କ୍ରିକେଟରେ ରୋହିତ ଏକମାତ୍ର ଅଧିନାୟକ ଯିଏ ନିଜ ଦଳକୁ ଆଇସିସି ପକ୍ଷରୁ ଆୟୋଜନ କରାଯାଉଥିବା ସମସ୍ତ ଟୁର୍ଣ୍ଣାମେଣ୍ଟର ଫାଇନାଲକୁ ନେଇ ପାରିଛନ୍ତି। ଆଇସିସି ପକ୍ଷରୁ ଦିନିକିଆ ବିଶ୍ୱକପ, ଟି-୨୦ ବିଶ୍ୱକପ, ଚାମ୍ପିୟନ୍ସ ଟ୍ରଫି ଓ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ବା WTC ଆୟୋଜନ କରାଯାଉଛି। ଭାରତ ରୋହିତଙ୍କ ନେତୃତ୍ୱରେ ଆଇସିସିର ୪ଟି ଯାକ ଟୁର୍ଣ୍ଣାମେଣ୍ଟର ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିଛି। ସେହିପରି ରୋହିତ ୩ ବର୍ଷର କ୍ୟାପ୍ଟେନ୍ସି ସମୟରେ ଏପରି ସଫଳତା ହାସଲ କରିଛନ୍ତି।
ରୋହିତ ୨୦୨୨ରେ ଭାରତୀୟ ଟିମର ନିୟମିତ ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଖେଳିଥିଲେ। ସେହିବର୍ଷ ଶେଷ ଭାଗରେ ଭାରତରେ ଆୟୋଜିତ ଦିନିକିଆ ବିଶ୍ୱକପ ଫାଇନାଲରେ ଦଳ ଲଢ଼େଇ କରିଥିଲା। କିନ୍ତୁ ଉଭୟ ଥର ଦଳକୁ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ୨୦୨୪ ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଥିଲା। ଦୀର୍ଘ ୧୧ ବର୍ଷ ପରେ ଭାରତ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା।
ସେହିପରି ୨୦୦୭ ପରେ ଭାରତର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତି ପାରିଥିଲା। ଏବେ ୨୦୨୫ରେ ଭାରତ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପ୍ରବେଶ କରିଛି। ୨୦୧୭ରେ ମଧ୍ୟ ଭାରତ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିଥିଲା। କିନ୍ତୁ ସେତେବେଳେ ବିରାଟ କୋହଲି ଅଧିନାୟକ ରହିଥିଲେ।
ଭାରତ ମଧ୍ୟ ରେକର୍ଡ ୫ମଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ୨୦୨୫ରେ ଖେଳିବାକୁ ଯାଉଛି। ଯଦି ଭାରତ ଚାମ୍ପିୟନ୍ସ ଟ୍ରଫି ଜିତି ନେବେ, ତା’ହେଲେ ରୋହିତ ଶର୍ମା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହେବେ। ୨୦୧୩ରେ ଧୋନିଙ୍କ ନେତୃତ୍ୱରେ ଭାରତ ଶେଷଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଧୋନି ମଧ୍ୟ ଟି-୨୦, ଦିନିକିଆ ଓ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତର ନେତୃତ୍ୱ ନେଇଛନ୍ତି। ତାଙ୍କ ନେତୃତ୍ୱରେ ମଧ୍ୟ ଦଳ ଟ୍ରଫି ଜିତିଛି। କିନ୍ତୁ ଧୋନିଙ୍କ ଖେଳ ଜୀବନ ସମୟରେ ଆଇସିସି WTC ଫାଇନାଲ ଖେଳା ଯାଉ ନଥିଲା। ତେଣୁ ଧୋନି WTC ଫାଇନାଲ ଖେଳିବାକୁ ସକ୍ଷମ ହୋଇ ନାହାନ୍ତି। ୨୦୨୧ରୁ ୨ ବର୍ଷ ମଧ୍ୟରେ ଦଳଗୁଡ଼ିକର ଟେଷ୍ଟ ପ୍ରଦର୍ଶନ ଆଧାରରେ ଶୀର୍ଷ ୨ ଟିମ WTC ଫାଇନାଲ ଖେଳୁଛନ୍ତି। ଭାରତ ୨୦୨୧ ଓ ୨୦୨୩ WTC ଫାଇନାଲ ଖେଳିଥିଲା। କିନ୍ତୁ ଉଭୟ ଥର ଦଳକୁ ଯଥାକ୍ରମେ ନ୍ୟୁଜିଲ୍ୟାଣ୍ତ ଓ ଅଷ୍ଟ୍ରେଲିଆ ଠାରୁ ହାରିବାକୁ ପଡ଼ିଥିଲା।
୨୦୦୨ ମସିହା ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ଭାରତ ଯାଇଥିଲା। କିନ୍ତୁ ଫାଇନାଲ ଖେଳାଯିବାକୁ ଥିବା ଦୁଇଟି ଯାକ ଦିନରେ ବର୍ଷା ବାଧା ସୃଷ୍ଟି କରିଥିଲେ। ତେଣୁ ଭାରତ ଓ ଶ୍ରୀଲଙ୍କାକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
