Advertisment

ଭାରତ ଚାମ୍ପିୟନ୍ସ ଟ୍ରଫି ହାରିଗଲେ ଅବସର ନେଇ ଯିବେ ରୋହିତ ଶର୍ମା?

ଚାମ୍ପିୟନ୍ସ ଟ୍ରଫିରେ ରୋହିତଙ୍କ ସର୍ବାଧିକ ସ୍କୋର ହେଉଛି ୪୧। ସେ ବାଂଲାଦେଶ ବିପକ୍ଷରେ ଏହି ରନ କରିଥିଲେ। ଏହାପରେ ପାକିସ୍ତାନ ବିପକ୍ଷରେ ୨୦, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୫ ଓ ଅଷ୍ଟ୍ରେଲିଆ ବିପକ୍ଷ ସେମିରେ କେବଳ ୨୮ ରନ କରିପାରିଥିଲେ।

author-image
Hemant Lenka
Rohit

Rohit

ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ଭାରତ ହାରିବା ପରେ ରୋହିତ ଶର୍ମାଙ୍କ କ୍ରିକେଟିଂ ଭବିଷ୍ୟତକୁ ନେଇ ବେଶ ବିତର୍କ ଦେଖାଯାଇଥିଲା। ତାଙ୍କ ଅବସର ଚର୍ଚ୍ଚା ଶୀର୍ଷରେ ପହଞ୍ଚିଥିଲା। କିନ୍ତୁ ରୋହିତ ସେମିତି କିଛି ଘୋଷଣା କରି ନଥିଲେ। ରୋହିତ ଆଉ ୨ ମାସ ପରେ ୩୮ ବର୍ଷ ବୟସରେ ପାଦ ଦେବେ। ସେ ଅନ୍ତର୍ଜାତୀୟ ଟି-୨୦ରୁ ମଧ୍ୟ ଅବସର ଘୋଷଣା କରି ସାରିଛନ୍ତି। ଭାରତ ଗତବର୍ଷ ଜୁଲାଇରେ ଟି-୨୦ ବିଶ୍ୱକପ ଜିତିବା ପରେ ରୋହିତ ଏହି ଫର୍ମାଟକୁ ଅଲବିଦା କହିଥିଲେ।

Advertisment

ଟି-୨୦ ବିଶ୍ୱକପ ପରେ ରୋହିତଙ୍କ ସହ ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ମଧ୍ୟ କ୍ରିକେଟର ଏହି ଛୋଟିଆ ଫର୍ମାଟକୁ ଛାଡ଼ିଥିଲେ। ସେମାନେ କେବଳ ଟେଷ୍ଟ ଓ ଦିନିକିଆରେ ଫୋକସ କରିବେ ବୋଲି କହିଛନ୍ତି। ରୋହିତଙ୍କ ନେତୃତ୍ୱରେ ଭାରତ ଏବେ ଦିନିକିଆ ଫର୍ମାଟରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ଯାଇଛି। ଏହାପରେ କେବଳ କ୍ରିକେଟରେ ଟି-୨୦କୁ ଫୋକସ କରାଯିବ। କାରଣ ଆଗକୁ ଏସିଆକ କପ ଓ ଟି-୨୦ ବିଶ୍ୱକପ ଖେଳାଯିବ। ଏଥର ଏସିଆ କପ ଟି-୨୦ ଫର୍ମାଟରେ ଖେଳାଯିବାକୁ ଥିବାରୁ ରୋହିତ, ବିରାଟ ଓ ଜାଡେଜା ନଜର ଆସିବେ ନାହିଁ।

ସେହିପରି ଭାରତର ପରବର୍ତ୍ତୀ ଟେଷ୍ଟ ସିରିଜ ଜୁନ ମାସରେ ରହିଛି। ଏହି ସମୟରେ ଦଳ ଇଂଲଣ୍ଡ ଗସ୍ତ କରିବ। ଭାରତର ପରବର୍ତ୍ତୀ ବଡ଼ ଦିନିକିଆ ଟୁର୍ଣ୍ଣାମେଣ୍ଟ ହେଉଛି ୨୦୨୭ ବିଶ୍ୱକପ। ବର୍ତ୍ତମାନ ଚାଲିଥିବା ଚାମ୍ପିୟନ୍ସ ଟ୍ରଫି ଓ ଦିନିକିଆ ବିଶ୍ୱକପ ମଧ୍ୟରେ ବହୁତ ସମୟ ରହିଛି। ତେଣୁ ଚାମ୍ପିୟନ୍ସ ଟ୍ରଫି ପରେ ଭାରତୀୟ ଟିମରେ ଟ୍ରାଞ୍ଜିସନ ପ୍ରକ୍ରିୟା ଆରମ୍ଭ ହେବ ବୋଲି କ୍ରିକେଟ ପଣ୍ଡିତମାନେ ମତ ରଖିଛନ୍ତି। ବିଶେଷ କରି ଦିନିକିଆ ଫର୍ମାଟରେ ଟ୍ରାଞ୍ଜିସନ ହୋଇପାରେ। 

Advertisment

ହେଲେ ଟ୍ରାଞ୍ଜିସନ ପ୍ରକ୍ରିୟା ବେଳେ ବି ଓପନର ଭାବେ ରୋହିତଙ୍କ ପ୍ରଭାବ ଓ ତାଙ୍କ ପାଖରେ ଥିବା ବିସ୍ଫୋରକ ବ୍ୟାଟିଂ ଶୈଳୀ ସମ୍ଭବତଃ ତାଙ୍କୁ ଦଳରେ ଅଣଦେଖା କରିବା ସହଜ ହେବନି। ସେ ୨୦୨୭ ବିଶ୍ୱକପ ମଧ୍ୟ ଖେଳିବା ଦରକାର ବୋଲି ଫ୍ୟାନ୍ସ କହୁଛନ୍ତି। ଏସବୁ ଚର୍ଚ୍ଚା ଓ ଆଲୋଚନା ଭିତରେ ବିସିସିଅଇ ସୂତ୍ରକୁ ଆଧାର କରି ଗୋଟିଏ ରିପୋର୍ଟ ପ୍ରକାଶ ପାଇଛି।

ଏଥିରେ ଦାବି କରାଯାଇଛି ଯେ ରବିବାର ଭାରତ ଦୁବାଇରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ। ଯଦି ଭାରତ ଫାଇନାଲରେ ହାରି ଯାଉଛି, ତା’ହେଲେ ରୋହିତ ସମ୍ଭବତଃ ଦିନିକିଆ କ୍ରିକେଟକୁ ଅଲବିଦା କହି ପାରନ୍ତି। ଯଦି ଭାରତ ଚାମ୍ପିୟନ୍ସ ଟ୍ରଫି ୧୨ ବର୍ଷ ପରେ ଜିତି ନେବ, ତା’ହେଲେ ରୋହିତ କୌଣସି ପ୍ରକାରର ଅବସର ଘୋଷଣା କରି ନ ପାରନ୍ତି। ଏପରି ସ୍ଥିତିରେ ସବୁ କିଛି ରୋହିତଙ୍କ ଉପରେ ନିର୍ଭର କରିବ। ସେ ହିଁ ତାଙ୍କ ତରଫରୁ ନିଜର ଅବସର ସମ୍ପର୍କରେ ନିଷ୍ପତ୍ତି ନେବେ।

ରିପୋର୍ଟରେ ଆହୁରି ଦାବି କରାଯାଇଛି ଯେ ଯଦି ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲ ଜିତି ଯାଉଛି, ତା’ହେଲେ ରୋହିତ ଆଗକୁ କ୍ରିକେଟ ଖେଳିବା ଜାରି ରଖିବେ। କିନ୍ତୁ ସେ ଅଧିନାୟକ ପଦ ଛାଡ଼ି ଦଳରେ ଜଣେ ସାଧାରଣ ଖେଳାଳି ଭାବେ ରହିବେ। କ୍ୟାପ୍ଟେନ୍ସି ଦାୟିତ୍ୱ ଜଣେ ଯୁବ ଖେଳାଳିଙ୍କୁ ହସ୍ତାନ୍ତର କରାଯିବ। ରୋହିତଙ୍କ ଉତ୍ତରାଧିକାରୀ ହେବାକୁ ଦୌଡ଼ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶୁବମନ ଗିଲ ରହିଛନ୍ତି। ରୋହିତ ଯେତେ ଦିନ ଯାଏ ଚାହିଁବେ ସେତେଦିନ ଯାଏ ତାଙ୍କୁ ଟିମରେ ରଖାଯିବ। ସେ ଓ ବିରାଟ କୋହଲି ମିଳିତ ଭାବେ ଯୁବ ଖେଳାଳିଙ୍କୁ ଦଳରେ ସେଟ କରିବା ପରେ ଯାଇ ଅବସର ଘୋଷଣା କରିପାରନ୍ତି ବୋଲି ଏହି ସୂତ୍ରରେ କୁହାଯାଇଛି।

ଚାମ୍ପିୟନ୍ସ ଟ୍ରଫିରେ ରୋହିତ ବଡ଼ ସ୍କୋର କରି ନଥିଲେ ହେଁ ନିଜର ବିସ୍ଫୋରକ ବ୍ୟାଟିଂ ଯୋଗୁ ଦଳକୁ କିଛି ମାତ୍ରାରେ ଭଲ ଷ୍ଟାର୍ଟ ଦେଇପାରୁଛନ୍ତି। କିନ୍ତୁ ସେ ୨୦-୨୫ ରନ ଅପେକ୍ଷା ଫାଇନାଲରେ ବଡ଼ ଇନିଂସ ଖେଳିବାକୁ ଚେଷ୍ଟା କରନ୍ତୁ। କାରଣ ସେ ପିଚ୍‌ରେ ଲମ୍ବା ସମୟ ଧରି ରହିଲେ, ଏହା ମ୍ୟାଚ୍‌ର ମୋଡ଼ ବଦଳାଇ ଦେବ। ଚାମ୍ପିୟନ୍ସ ଟ୍ରଫିରେ ରୋହିତଙ୍କ ସର୍ବାଧିକ ସ୍କୋର ହେଉଛି ୪୧। ସେ ବାଂଲାଦେଶ ବିପକ୍ଷରେ ଏହି ରନ କରିଥିଲେ। ଏହାପରେ ପାକିସ୍ତାନ ବିପକ୍ଷରେ ୨୦, ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୫ ଓ ଅଷ୍ଟ୍ରେଲିଆ ବିପକ୍ଷ ସେମିରେ କେବଳ ୨୮ ରନ କରିପାରିଥିଲେ।

ଯଦି ରୋହିତ ଶର୍ମା ୨୫ ଓଭର ଯାଏ ବ୍ୟାଟିଂ କରିବେ, ତା’ହେଲେ ଭାରତର ସ୍କୋର ୧୮୦ରୁ ୨୦୦ରେ ପହଞ୍ଚି ଯାଇଥିବ। ଏହି ସମୟରେ ଯଦି ଭାରତ କେବଳ ୨ଟି ୱିକେଟ ହରାଇଥିବ, ତା’ହେଲେ ଦଳୀୟ ସ୍କୋର ୫୦ ଓଭର ଶେଷ ବେଳକୁ କେଉଁଠି ପହଞ୍ଚିବ, ସେକଥା ଭାବନ୍ତୁ। ଭାରତ ୫୦ ଓଭରରେ ୩୫୦ କିମ୍ବା ତା’ ଠାରୁ ଅଧିକ ରନ କରିବାକୁ ସକ୍ଷମ ହେବ।

ରୋହିତ ଆକ୍ରମଣାତ୍ମକ ଶଟ ଖେଳୁଥିଲେ ହେଁ ତାଙ୍କୁ ଅଧିକ ସମୟ କେମିତି ପିଚ୍‌ରେ ରହିବାକୁ ପଡ଼ିବ, ତା’ ଉପରେ ମଧ୍ୟ ଫୋକସ କରିବାକୁ ପଡ଼ିବ। ଯଦି ସେ ଅଧିକ ସମୟ ପିଚ୍‌ରେ ରହିଯିବେ, ତେବେ ପ୍ରତିପକ୍ଷ ଦଳ ଚାପରେ ରହିବେ। ମ୍ୟାଚ୍‌ର ମୋଡ଼ ମଧ୍ୟ ବଦଳି ଯିବ।

Rohit Sharma India Vs New Zealand Champions Trophy