Advertisment

ଟିମ ଇଣ୍ଡିଆରୁ ରୋହିତ ଶର୍ମା ଆଉଟ, ଏହି ଖେଳାଳି ସିଡ୍‌ନୀ ଟେଷ୍ଟ ଖେଳିବେ!

ରୋହିତ ବର୍ଡର-ଗାଭାସ୍କର ଟ୍ରଫିରେ ଏଯାଏ ୩ଟି ଟେଷ୍ଟ ଖେଳିଥିବା ବେଳେ କେବଳ ୩୧ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ମାତ୍ର ୬ ରହିଛି। ଏଥିପାଇଁ ରୋହିତଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା।

author-image
Hemant Lenka
rohit

rohit

ଆସନ୍ତାକାଲି ଠାରୁ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ମ୍ୟାଚ୍‌ ସିଡ୍‌ନୀରେ ଆରମ୍ଭ ହେବ। ଏହି ମ୍ୟାଚ୍‌ରେ ନଜର ଆସିବେ ନାହିଁ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା। ନିଜର ଫର୍ମ ଓ କ୍ୟାପ୍ଟେନ୍ସ ପାଇଁ ସମାଲୋଚନାର ଶିକାର ହୋଇ ଚାଲିଥିବା ରୋହିତ ଶେଷରେ ଟିମ ଇଣ୍ଡିଆରୁ ବାଦ ପଡ଼ିଛନ୍ତି। ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଇଥିବାରୁ ସେ ମଧ୍ୟ ଖୁବଶୀଘ୍ର ଟେଷ୍ଟ କ୍ରିକେଟକୁ ଅଲବିଦା କହିବେ ବୋଲି ଜଣାପଡ଼ିଛି।

Advertisment

ରୋହିତ ବର୍ଡର-ଗାଭାସ୍କର ଟ୍ରଫିରେ ଏଯାଏ ୩ଟି ଟେଷ୍ଟ ଖେଳିଥିବା ବେଳେ କେବଳ ୩୧ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ମାତ୍ର ୬ ରହିଛି। ଏଥିପାଇଁ ରୋହିତଙ୍କୁ ତୀବ୍ର ସମାଲୋଚନା ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ରୋହିତଙ୍କୁ ଟିମ ଇଣ୍ଡିଆରୁ ବାଦ ଦେବାକୁ ନିଷ୍ପତ୍ତି ହୋଇଛି।

ସିଡ୍‌ନୀ ଟେଷ୍ଟ ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ନଜର ଆସିଥିଲେ। ସେ ମଧ୍ୟ ରୋହିତ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ ରହିବେ କି ନାହିଁ, ତା’ର ଉତ୍ତର ଦେଇନାହାନ୍ତି। ପିଚ୍‌କୁ ଦେଖି ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ ହେବ ବୋଲି କହିବା ପରେ ରୋହିତ ଦଳରେ ନଥିବା ସ୍ପଷ୍ଟ ହୋଇଛି।

Advertisment

ଆଜି ପ୍ରେସ କନଫରେନ୍ସ ପରେ ଗମ୍ଭୀର ଟିମ ଇଣ୍ଡିଆର ଅଭ୍ୟାସ ଶିବିରରେ ପହଞ୍ଚିଥିଲେ। ସେଠାରେ ରୋହିତଙ୍କୁ ସ୍ଲିପ କର୍ଡନରେ ଦେଖିବାକୁ ମିଳି ନଥିଲା। ବିରାଟ ପ୍ରଥମ ସ୍ଲିପରେ ଥିବା ବେଳେ କେଏଲ ରାହୁଲ ଦ୍ୱିତୀୟ ଓ ନୀତୀଶ କୁମାର ରେଡ୍ଡୀ ତୃତୀୟ ସ୍ଲିପରେ ରହିଥିଲେ। ଏହି ଫିଲ୍ଡିଂ ଅଭ୍ୟାସରୁ ମଧ୍ୟ ସ୍ପଷ୍ଟ ହୋଇଛି ଯେ ରୋହିତ ଆସନ୍ତାକାଲି ଚୂଡ଼ାନ୍ତ ଏକାଦଶରେ ରହିବେ ନାହିଁ।

ଚଳିତ ଟେଷ୍ଟ ଋତୁରେ ରୋହିତଙ୍କ ବ୍ୟାଟ ଆଦୌ ଚାଲିନାହିଁ। ୩ଟି ସିରିଜର ୧୫ଟି ଇନିଂସରେ ସେ କେବଳ ୧୦.୯୩ ହାରରେ ୧୬୪ ରନ କରିଛନ୍ତି। ଏଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି।

ଅନ୍ୟପକ୍ଷରେ ରୋହିତଙ୍କୁ ଯଦି ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଉଛି, ତା’ହେଲେ ପର୍ଥ ଟେଷ୍ଟ ଭଳି ଯଶପ୍ରୀତ ବୁମ୍ରା ଦଳର କମାଣ ସମ୍ଭାଳିବେ। ସେହିପରି ଶୁବମନ ଗିଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯିବ।

ପର୍ଥ ଟେଷ୍ଟରେ ଯେଉଁଭଳି ରାହୁଲ ଓ ଯଶସ୍ୱୀ ଜୈସୱାଲ ଓପନ କରିଥିଲେ, ସିଡ୍‌ନୀରେ ମଧ୍ୟ ସେମିତ ହେବ। ଗିଲ ୩ନଂରେ ଖେଳିବେ। ଆହତ କାରଣରୁ ଆକାଶ ଦୀପ ସିଡ୍‌ନୀ ଟେଷ୍ଟରୁ ବାଦ ପଡ଼ିଛନ୍ତି। ତେଣୁ ପ୍ରସିଦ୍ଧ କ୍ରିଷ୍ଣା କିମ୍ବା ହର୍ଷତ ରାଣାଙ୍କ ମଧ୍ୟରୁ ଜଣେ ଚୂଡ଼ାନ୍ତ ଏକାଦଶରେ ରହିବେ।

Rohit Sharma Border-Gavaskar Trophy