Rohit
ଆଇପିଏଲର ୧୮ତମ ସଂସ୍କରଣର ଆରମ୍ଭରୁ ଖେଳୁଥିବା ରୋହିତ ଶର୍ମାଙ୍କ ବ୍ୟାଟିଂକୁ ବୋଧେ ସମସ୍ତେ ଗୁରୁବାର ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଦେଖିଥିବେ। ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ରନ ପାଇଁ ସଂଘର୍ଷ କରୁଥିବା ରୋହିତ ଗୁରୁବାର ସାମାନ୍ୟ ଭିନ୍ନ ଅନ୍ଦାଜରେ ଖେଳିଥିଲେ। ତାଙ୍କ ଶଟ ଚୟନରୁ ଏହା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା। ଏଯାଏ ୬ଟି ମ୍ୟାଚ୍ରେ ରୋହିତ ୮୨ ରନ କରିଥିବା ବେଳେ ତାଙ୍କ ବ୍ୟାଟିଂ ହାର ୧୩.୬୭ ରହିଛି। ତେବେ ରୋହିତଙ୍କ ଷ୍ଟ୍ରାଇକ ରେଟ୍ ୧୪୩.୮୫ ରହିଛି। ଏସବୁ ଭିତରେ ବି ରୋହିତ କାଲି ନିଜ ଶୈଳୀରେ ଆରମ୍ଭରୁ ବଡ଼ ଶଟ ମାରିଥିଲେ।
ମୁମ୍ବାଇର ୱାଙ୍ଖଡେକୁ ବ୍ୟାଟରଙ୍କ ଭୂସ୍ୱର୍ଗ ବୋଲି କୁହାଯାଏ। ଏଠାରେ ରନର ଭୋଜି ହୁଏ। କିନ୍ତୁ ଗୁରୁବାର ପିଚ୍ ସାମାନ୍ୟ ଧିମା ଥିଲା। ବ୍ୟାଟରଙ୍କ ଅପେକ୍ଷା ବୋଲରଙ୍କୁ ଏହା ସୁହାଇଥିଲା। ଏହାର ଝଲକ ହାଇଦ୍ରାବାଦର ବ୍ୟାଟିଂ ବେଳେ ବି ଦେଖାଯାଇଥିଲା। ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ହାଇଦ୍ରାବାଦର ଟ୍ରାଭିସ ହେଡ, ଅଭିଷେକ ଶର୍ମା, ଈଶାନ କିଶନ ଓ ହେନରିଚ୍ କ୍ଲାସେନଙ୍କ ଭଳି ଖେଳାଳି ରନ ପାଇଁ ସଂଘର୍ଷ କରିଥିଲେ। ବୋଲରମାନେ ସେମାନଙ୍କୁ ବଡ଼ ଶଟ ଖେଳିବାକୁ ଆଦୌ ସୁଯୋଗ ଦେଇ ନଥିଲେ। ପିଚ୍ ମଧ୍ୟ ଧିମା ରହିଥିଲା। ଏଥିଯୋଗୁ ବଡ଼ ଶଟ ଖେଳିବା ସହଜ ହୋଇ ନଥିଲା।
ହାଇଦ୍ରାବାଦ ୧୬୨ ରନ କରିବା ପରେ ରୋହିତ ମୁମ୍ବାଇ ପାଇଁ ରିୟାନ ରିକେଲଟନଙ୍କ ସହ ଆସିଥିଲେ। ଆରମ୍ଭରୁ ରୋହିତ ପିଚ୍ର ସ୍ଥିତିକୁ ବୁଝି ଦମଦାର ଢଙ୍ଗରେ ବଲକୁ ଡିଫେନ୍ସ କରିଥିଲେ। କିଛି ବଲକୁ ଦେଖିବା ପରେ ସେ ବଡ଼ ଶଟ ଖେଳିବାକୁ ଆଗେଇ ଆସିଥିଲେ। ପ୍ରଥମ ବଡ଼ ଶଟ ତାଙ୍କ ବ୍ୟାଟର ଏଡଜରେ ବାଜି ଥାର୍ଡ ମ୍ୟାନ ଅଞ୍ଚଳରେ ଛକା ହୋଇ ଯାଇଥିଲା। ଉକ୍ତ ଛକା ପରେ କୁହାଗଲା ଯେ ରୋହିତ ଲକି ଥିବାରୁ ଏହା କ୍ୟାଚ୍ ହେଲାନି। କିନ୍ତୁ ଏହାପରେ ରୋହିତ ଲକ ନୁହେଁ, ନିଜର କ୍ଲାସ ଦେଖାଇଥିଲେ।
ସେ ନିଜର ସିଗ୍ନେଚର ପୁଲ ଶଟ ଜରିଆରେ ବଲକୁ ଷ୍ଟାଣ୍ଡରେ ପହଞ୍ଚାଇଥିଲେ। ପ୍ରଥମେ ମହମ୍ମଦ ଶାମିଙ୍କୁ ଦୁଇଟି ଛକା ମାରିଥିବା ରୋହିତ ପରବର୍ତ୍ତୀ ଓଭରରେ ପାଟ କମିନ୍ସଙ୍କ ବଲଙ୍କୁ କେବଳ ଫ୍ଲିକ ଜରିଆରେ ବାଉଣ୍ଡରୀ ବାହାରକୁ ମାରି ଦେଇଥିଲେ। ଏଥିସହ ସେ ୧୫ ବଲରେ ୨୬ ରନରେ ପହଞ୍ଚି ଯାଇଥିଲେ। ଚଳିତ ଆଇପିଏଲରେ ଏହା ରୋହିତଙ୍କ ସର୍ବାଧିକ ସ୍କୋର। ଲାଗୁଥିଲା ରୋହିତ ଆଜି ଭଲ ଲୟରେ ରହିଛନ୍ତି। କିନ୍ତୁ ଆଣ୍ଟି-କ୍ଲାମାଟିକ ଫ୍ୟାଶନରେ ମୁମ୍ବାଇ ଇଣ୍ଡିଆନ୍ସର ଲିଜେଣ୍ଡ ଗୋଟିଏ ଫୁଲଟସ ବଲରେ ଟ୍ରାଭିସ ହେଡଙ୍କ ହାତକୁ କ୍ୟାଚ୍ ଦେଇଥିଲେ।
୨୬ ରନରେ ଆଉଟ ହୋଇଥିଲେ ହେଁ ରୋହିତଙ୍କ ବ୍ୟାଟିଂରେ କମବ୍ୟାକର ଝଲକ ରହିଥିଲା। ଖୁବଶୀଘ୍ର ତାଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବାକୁ ମିଳିବ ବୋଲି ହାଇଦ୍ରାବାଦ ମ୍ୟାଚ୍ରୁ ଏକ ପ୍ରକାରର ସ୍ପଷ୍ଟ ହୋଇଛି। ସମସ୍ତେ ଜାଣିଛନ୍ତି ଯେ ରୋହିତ ବଡ଼ ଶତକ ମାରିବାରେ ମାହିର। କ୍ରିକେଟରେ ଯେକୌଣସି ଫର୍ମାଟରେ ହେଇଥାଉ ନା କାହିଁକ, ଯଦି ଥରେ ରୋହିତ ସେଟ ହୋଇଗଲେ, ତାଙ୍କୁ ଆଉଟ କରିବା ବଡ଼ ମୁସ୍କିଲ।
କିନ୍ତୁ ବେଶ କିଛି ବର୍ଷ ହେବ ରୋହିତଙ୍କ ବ୍ୟାଟରୁ ସେମିତି ଗୋଟିଏ ଶତକ ଦେଖିବାକୁ ମିଳିନି। ଏହାର ପ୍ରମୁଖ କାରଣ ହେଲା, ରୋହିତ ସବୁବେଳେ ନିଜ ଟିମକୁ ଗୁରୁତ୍ୱ ଦେଉଛନ୍ତି। ସେ ନିଜ ରେକର୍ଡ କଥା ଆଦୌ ଚିନ୍ତା କରୁ ନାହାନ୍ତି। ଭାରତୀୟ ଟିମ ପାଇଁ ରୋହିତ ଏ କାମ ବେଶ କିଛି ବର୍ଷ ହେଲା କରି ଆସୁଛନ୍ତି। ସେ ଦଳକୁ ଭଲ ତଥା ଦ୍ରୁତ ଷ୍ଟାର୍ଟ ଦେବାକୁ ଉଦ୍ୟମ କରୁଛନ୍ତି।
ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ରୋହିତ ଜଣେ ଓପନର ଭାବେ ସମାନ ଆଭିମୁଖ୍ୟ ଦେଖାଇ ଚାଲିଛନ୍ତି। ସେ ୱିକେଟ ଅପେକ୍ଷା ଆରମ୍ଭରୁ ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଉଛନ୍ତି। ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ସେ ଶୀଘ୍ର ଆଉଟ ହୋଇଯାଉଛନ୍ତି ସତ, ହେଲେ ଖୁବଶୀଘ୍ର ତାଙ୍କ ବ୍ୟାଟରୁ ବଡ଼ ତଥା ବିସ୍ଫୋରକ ଇନିଂସ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା ରଖିଛନ୍ତି।
ପୂର୍ବତନ କ୍ରିକେଟର ମାଇକେଲ କ୍ଲାର୍କ ବେଶ ବିସ୍ତୃତ ଭାବେ ରୋହିତଙ୍କ ବ୍ୟାଟିଂ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି। ତାଙ୍କ କହିବା କଥା ଯେ ସ୍କୋର ଅପେକ୍ଷା ରୋହିତଙ୍କ ପାଇଁ ତାଙ୍କ ଭୂମିକା ବଡ଼। ରୋହିତ ଆରମ୍ଭରୁ ଟିମର ବିଜୟକୁ ନିଶ୍ଚିତ କରିବାକୁ ଚାହୁଁଛନ୍ତି। ଏହି ଉଦ୍ୟମ ଯୋଗୁ ସେ ବଡ଼ ସ୍କୋର କରିବାରେ ବିଫଳ ହେଉଛନ୍ତି। ଜଣେ ଫ୍ୟାନ ହିସାବରେ ରୋହିତ ବଡ଼ ସ୍କୋର କରନ୍ତୁ ବୋଲି ସମସ୍ତେ ଚାହୁଁଛନ୍ତି। ସେ ୮୦,୯୦ କିମ୍ବା ୧୦୦ କରନ୍ତୁ। ଏକଥା ଆମେ ସମସ୍ତେ ଭାବୁଥିବା ବେଳେ ରୋହିତ ନିଜ ଭୂମିକାକୁ ଗୁରୁତ୍ୱ ଦେଉଛନ୍ତି। ସେ ପ୍ରଥମେ ବିଜୟ କଥା ଭାବୁଛନ୍ତି। ସେ ଆରମ୍ଭରୁ ଦଳକୁ ଦ୍ରୁତ ରନ ଦେବାକୁ ସବୁବେଳେ ଚେଷ୍ଟା କରୁଛନ୍ତି। ସେ ପାୱାର ପ୍ଲେରେ ବ୍ୟାଟିଂ କରୁଥିବା ବେଳେ ଆକ୍ରମଣାତ୍ମକା ଓପନର ଭାବେ ବି ପରିଚିତ। ତାଙ୍କ ପାଇଁ ଷ୍ଟ୍ରାଇକ ରେଟ ଗୁରୁତ୍ୱପୂର୍ଣ୍ଣ। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କ୍ଲାର୍କ କହିଛନ୍ତି।
କ୍ଲାର୍କ ଆହୁରି କହିଛନ୍ତି, “ଗତ ୨/୩ଟି ମ୍ୟାଚ୍ରେ ରୋହିତ ଆଉଟ ହେବା ପରେ ନିଜର ହତାଶା ଭାବ ଦେଖାଇଛନ୍ତି। ବଲକୁ ସେ ଭଲ ଭାବେ ହିଟ କରିବା ସହ ଲୟରେ ରହିଥିବା ଜାଣିପାରୁ ଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହେବା ତାଙ୍କ ହତାଶା ଭାବକୁ ଦର୍ଶାଉଛି। ତେଣୁ ତାଙ୍କ ବ୍ୟାଟରୁ ବଡ଼ ଇନିଂସ ବାହାରିବାକୁ ଆଉ ବେଶୀ ଦିନ ବାକି ନାହିଁ। ଖୁବଶୀଘ୍ର ରୋହିତ ସ୍ପେଶାଲ ସମସ୍ତେ ଦେଖିବେ।
ଏଥିପାଇଁ ତାଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସାମାନ୍ୟ ସତର୍କତାର ସହ ବ୍ୟାଟିଂ କରିବାକୁ ପଡ଼ିବ। ଏହା ନିଶ୍ଚିତ ରୋହିତ ଶର୍ମାଙ୍କ ପାଇଁ ଭଲ ଫଳ ଆଣିବ। କିନ୍ତୁ ରୋହିତ ଯଦି ଇନିଂସକୁ ଗୁରୁତ୍ୱ ଦେବେ, ତା’ହେଲେ ଏହା ଟିମ ପାଇଁ ଆଦୌ ଭଲ ହୋଇ ନପାରେ। ତେଣୁ ରୋହିତ ଆରମ୍ଭରୁ ହିଁ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି।”
ରୋହିତ ୨୦୦୮ରୁ କ୍ରମାଗତ ଭାବେ ଆଇପିଏଲ ଖେଳି ଆସୁଛନ୍ତି। ଡେକାନ ଚାର୍ଜସରୁ କ୍ୟାରିୟର ଆରମ୍ଭ କରିଥିବା ରୋହିତ ୨୦୧୧ରୁ ମୁମ୍ବାଇ ସହ ରହିଛନ୍ତି। ରୋହିତଙ୍କ କ୍ୟାପ୍ଟେନ୍ସିରେ ମୁମ୍ବାଇ ୫ ଥର ଆଇପିଏଲ ଟ୍ରଫି ଜିତିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Rohit_1744967168.jpg)