ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ରୋହିତ! ଚାମ୍ପିୟନ ହେବାର ସମ୍ଭାବନା କେତେ?

ବିସିସିଆଇ ସ୍ପଷ୍ଟ ଭାବେ ରୋହିତ ଶର୍ମାଙ୍କୁ କହି ସାରିଛି ଯେ ଚାମ୍ପିୟନ୍ସ ଟ୍ରଫି ଶେଷ ହେବା ପରେ ସେ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ବୋର୍ଡକୁ ଅବଗତ କରାନ୍ତୁ।

Rohit

ରୋହିତ ଶର୍ମା (ଫାଇଲ ଫଟୋ)

Hemant Lenka
  • Published: Wednesday, 05 February 2025
  • , Updated: 05 February 2025, 03:16 PM IST

ଭାରତର ଦିନିକିଆ ଓ ଟେଷ୍ଟ ଟିମର କ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ୨୦୨୪ ଡିସେମ୍ବର ମାସରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଟି-୨୦ ବିଶ୍ୱକପ ଜିତିଥିଲା। ଏହାପରେ ରୋହିତ ଶର୍ମା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଏବେ ସମାନ ଘଟଣା ଆସନ୍ତା ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଦେଖିବାକୁ ମିଳିପାରେ। ପାକିସ୍ତାନ ଦିନିକିଆ ଫର୍ମାଟରେ ଖେଳା ଯାଉଥିବା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଛି। କିନ୍ତୁ ଭାରତ ତା’ର ମ୍ୟାଚ୍‌ଗୁଡ଼ିକ ଦୁବାଇରେ ଖେଳିବ।

ଏହି ଟୁର୍ଣ୍ଣାମେଣ୍ଟ ପରେ ରୋହିତ ଦିନିକିଆ ଫର୍ମାଟକୁ ବାଏବାଏ କହିପାରନ୍ତି। ବେଶ କିଛି ସମୟ ହେଲାଣି ରୋହିତ ଶର୍ମା ନିଜ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ସେ ଟେଷ୍ଟ ଫର୍ମାଟରୁ ଅବସର ନେବା ଏକପ୍ରକାରର ନିଶ୍ଚିତ ହୋଇଯାଇଥିଲା। କିନ୍ତୁ ସେ ନିଜ ନିଷ୍ପତ୍ତିକୁ ଶେଷ ମୁହୂର୍ତ୍ତରେ ବଦଳାଇ ଦେଇଥିଲେ।

କିନ୍ତୁ ଏବେ ବିସିସିଆଇ ସ୍ପଷ୍ଟ ଭାବେ ରୋହିତ ଶର୍ମାଙ୍କୁ କହି ସାରିଛି ଯେ ଚାମ୍ପିୟନ୍ସ ଟ୍ରଫି ଶେଷ ହେବା ପରେ ସେ ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ବୋର୍ଡକୁ ଅବଗତ କରାନ୍ତୁ। ବିସିସିଆଇ ଏବେଠାରୁ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ତେଣୁ ବୋର୍ଡ ରୋହିତଙ୍କ ଭବିଷ୍ୟତ ସମ୍ପର୍କରେ ଜାଣିବାକୁ ଚାହୁଁଛି। କାରଣ ଚାମ୍ପିୟନ୍ସ ଟ୍ରଫି ପରେ ଆଇସିସିର କୌଣସି ବଡ଼ ଦିନିକିଆ ଫର୍ମାଟ ନାହିଁ। ୨୦୨୬ରେ ଟି-୨୦ ବିଶ୍ୱକପ ଖେଳାଯିବ। ୨୦୨୭ରେ ଆଇସିସି ଦିନିକିଆ ବିଶ୍ୱକପ ଆୟୋଜନ କରିବ।

ରିପୋର୍ଟ ଅନୁସାରେ, ବିସିସିଆଇ ଦିନିକିଆ ଓ ଟେଷ୍ଟ ଟିମରେ ଟ୍ରାଞ୍ଜିସନ ଆରମ୍ଭ କରିବାକୁ ଚାହୁଁଛି। ବିସିସିଆଇ ଉଭୟ ଫର୍ମାଟରେ ସ୍ଥିର ଅଧିନାୟକ ପଦର ବିକଳ୍ପ ଖୋଜିବା ଆରମ୍ଭ କରିଛି। ରୋହିତ ଶର୍ମାଙ୍କୁ ନିଜର ଯୋଜନା ସମ୍ପର୍କରେ ବିସିସିଆଇ ପଚାରିଛି ସତ, କିନ୍ତୁ ବିରାଟ କୋହଲିଙ୍କୁ ନେଇ କୌଣସି ନିଷ୍ପତ୍ତି ନେଇନି। ସେ ଆଉ କିଛି ବର୍ଷ ଖେଳନ୍ତୁ ବୋଲି ବିସିସିଆଇ ଚାହୁଁଛି।

ବିସିସିଆଇ ସୂତ୍ରରେ କୁହାଯାଇଛି ଯେ “ଚୟନକର୍ତ୍ତା ଓ ବୋର୍ଡରେ ଥିବା ଅଧିକାରୀମାନେ ଶେଷ ଖେଳାଳି ବଛାଯିବା ମିଟିଂରେ ରୋହିତଙ୍କ ସହ ସବୁ କିଛି କଥା ହୋଇଛନ୍ତି। ଚାମ୍ପିୟନ୍ସ ଟ୍ରଫି ପରେ ସେ ନିଜର କ୍ରିକେଟିଂ ଭବିଷ୍ୟତକୁ ନେଇ କ’ଣ ସବୁ ଯୋଜନା କରିଛନ୍ତି, ସେକଥା ଜଣାନ୍ତୁ। ଟିମ ମ୍ୟାନେଜମେଣ୍ଟ ଚାମ୍ପିୟନ୍ସ ଟ୍ରଫି ପରେ ହିଁ ପରବର୍ତ୍ତୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଓ ଦିନିକିଆ ବିଶ୍ୱକପ ପାଇଁ ଯୋଜନା ଆରମ୍ଭ କରିବାକୁ ଚାହୁଁଛି। ଗୋଟିଏ ଭଲ ଟ୍ରାଞ୍ଜିସନ ପାଇଁ ସମସ୍ତେ ମିଳିତ ଭାବେ ନିଷ୍ପତ୍ତି ନେବା ସପକ୍ଷରେ ରହିଛନ୍ତି।”

ରୋହିତଙ୍କ ପରେ ଟେଷ୍ଟ କ୍ୟାପ୍ଟେନ୍ସି ଦୌଡ଼ରେ ସ୍ପିଡ ଷ୍ଟାର ଯଶପ୍ରୀତ ବୁମ୍ରା ୧ନଂ ସ୍ଥାନରେ ରହିଛନ୍ତି। କିନ୍ତୁ ତାଙ୍କ ଆହତ ସମସ୍ୟା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ତାଙ୍କ ପଛକୁ ଶୁବମନ ଗିଲ ଅଛନ୍ତି। ହେଲେ ତାଙ୍କ ଫର୍ମରେ ସ୍ଥିରତା ନ ରହିବା ବିସିସିଆଇକୁ ସାମାନ୍ୟ ଦ୍ୱନ୍ଦ୍ୱରେ ରଖିଛି। ଋଷଭ ପନ୍ତ ଓ ଯଶସ୍ୱୀ ଜୈସୱାଲଙ୍କୁ ଭବିଷ୍ୟତର ଲିଡରଶିପ ଭାବେ ମଧ୍ୟ ଦେଖାଯାଉଛି ବୋଲି ଏହି ସୂତ୍ରରେ କୁହାଯାଇଛି।

ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବାର ସମ୍ଭାବନା କେତେ?

ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ ଇଣ୍ଡିଆ ରେକର୍ଡ ତୃତୀୟ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟରେ ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପ୍ରବେଶ କରିବ। ବର୍ତ୍ତମାନ ସୁଦ୍ଧା ଭାରତ ଓ ଅଷ୍ଟ୍ରେଲିଆ ଦୁଇଟି ଟିମ, ଯିଏ ଦୁଇ ଥର ଚାମ୍ପିୟନ୍ସ ଟ୍ରଫି ଜିତିଛନ୍ତି। ଏମାନଙ୍କ ଠାରୁ କେହି ବି ଅଧିକ ଥର ଟ୍ରଫି ତୋଳି ଧରି ନାହାନ୍ତି। ଭାରତ ୨୦୦୨ ଓ ୨୦୧୩ରେ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା।

ଏଥର ଦଳ ରେକର୍ଡ କରିବା ଲକ୍ଷ୍ୟରେ ରହିଛି। ଚାମ୍ପିୟନ୍ସ ଟ୍ରଫିର ପ୍ରଦର୍ଶନକୁ ଦେଖିଲେ ଭାରତ ପୁଣି ଚାମ୍ପିୟନ ହେବାର ସମ୍ଭାବନା ଯଥେଷ୍ଟ ରହିଛି। ସବୁ ଦଳର ବିଜୟ ପ୍ରତିଶତକୁ ବିଚାରକୁ ନେଲେ ଭାରତ ୧ନଂରେ ରହିଛି। ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ ୬୯.୨ ବିଜୟ ପ୍ରତିଶତ ସହ ପ୍ରବେଶ କରିବ। କାରଣ ଏଯାଏ ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫିର ୨୯ଟି ମ୍ୟାଚ୍‌ରୁ ୧୮ଟିରେ ଜିତିଛି। ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଅଛି। ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ୬୦% ବିଜୟ ସହ ଦ୍ୱିତୀୟରେ ରହିଛି।

ଚାମ୍ପିୟନ୍ସ ଟ୍ରଫିର ଗଲା ଦୁଇଟି ଯାକ ସଂସ୍କରଣରେ ଭାରତ ଦମଦାର ପ୍ରଦର୍ଶନ କରିଛି। ୨୦୧୩ ଓ ୨୦୧୭ ଚାମ୍ପିୟନ୍ସ ଟ୍ରଫିରେ ଭାରତ କମାଲ କରିଥିଲା। ୨୦୧୭ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ ଫାଇନାଲରେ ପାକିସ୍ତାନ ଠାରୁ ହାରି ରନର୍ସ ଅପ ହୋଇଥିଲା। ୨୦୧୩ରେ ମହେନ୍ଦ୍ର ସିଂହ ଧୋନିଙ୍କ କ୍ୟାପ୍ଟେନ୍ସିରେ ଦଳ ଇଂଲଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା।

ଭାରତ ଏକମାତ୍ର ଟିମ ଯିଏ ସର୍ବାଧିକ ୪ଥର ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଖେଳିଛି। ୨୦୦୦ ମସିହାରେ ଦଳ ଫାଇନାଲରେ ହାରିଥିବା ବେଳେ ୨୦୦୨ରେ ଶ୍ରୀଲଙ୍କା ଓ ଭାରତ ଯୁଗ୍ମ ଭାବେ ବିଜେତା ଘୋଷିତ ହୋଇଥିଲେ। ୨୦୧୩ରେ ଭାରତ ଚାମ୍ପିୟନ ଓ ୨୦୧୭ରେ ରନର୍ସ ଅପ ହୋଇଥିଲା।

୨୦୨୫ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଥିବା ପାକିସ୍ତାନ ଗୋଟିଏ ଥର ଚାମ୍ପିୟନ ହୋଇଛି। ୨୦୧୭ରେ ଦଳ ଭାରତକୁ ହରାଇ ଟ୍ରଫି ଜିତିଥିଲା। ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ୨୩ଟି ମ୍ୟାଚ୍‌ରୁ ୧୧ଟିରେ ଜିତିଛି। ଦଳ ୪୭.୮ ବିଜୟ ପ୍ରତିଶତ ସହ ତାଲିକାର ୬ଷ୍ଠ ସ୍ଥାନରେ ରହିଛି। 

ପାକିସ୍ତାନ ୨୦୧୭ ପୂର୍ବରୁ କେବେ ହେଲେ ବି ଚାମ୍ପିୟନ୍ସ ଟ୍ରଫି ଫାଇନାଲକୁ ଯାଇ ପାରି ନଥିଲା। ଦଳ ୨୦୧୭ରେ ପ୍ରଥମଥର ଫାଇନାଲକୁ ଯିବା ସହ ଚାମ୍ପିୟନ ହୋଇଥିଲା। ଏବେ ଘରୋଇ ମାଟିରେ ପାକିସ୍ତାନ ଇତିହାସ ଦୋହରାଇବାକୁ ଲକ୍ଷ୍ୟ ରଖିଛି। 

ଅନ୍ୟପକ୍ଷରେ ଇଂଲଣ୍ଡ ୨୫ଟି ମ୍ୟାଚ୍‌ରୁ ୧୪ଟି ଜିତିଛି। ଦଳର ବିଜୟ ପ୍ରତିଶତ ୫୬ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ ୨୪ଟି ମ୍ୟାଚ୍‌ରୁ ୧୨ଟି ଜିତିଛି। ଦଳ ୫୪.୫% ବିଜୟ ପଏଣ୍ଟ ସହ ତାଲିକାର ୪ର୍ଥ ସ୍ଥାନରେ ରହିଛି। ଦକ୍ଷିଣ ଆଫ୍ରିକା ୫୦% ବିଜୟ ପଏଣ୍ଟ ସହ ୫ମ ସ୍ଥାନରେ ଅଛି। 

Related story