Advertisment

ପାଣ୍ଡ୍ୟା ନୁହେଁ, ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ ରୋହିତ ଶର୍ମା!

ଜୁନ ୧ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ଜୁନ ୫ ତାରିଖରେ ଖେଳାଯିବ।

author-image
Hemant Lenka
Rohit

Rohit

ଚଳିତ ବର୍ଷ ଜୁନ ୧ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପରେ ରୋହିତ ଶର୍ମା ହିଁ ଭାରତର ନେତୃତ୍ୱ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଦୀର୍ଘ ଗୋଟିଏ ବର୍ଷ ପରେ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟକୁ ଫେରିବାକୁ ଯାଉଛନ୍ତି।

Advertisment

ଆଗକୁ ବିଶ୍ୱକପ ଥିବା ବେଳେ ଭାରତ ତା’ର ଶେଷ ଅନ୍ତର୍ଜାତୀୟ ଟି-୨୦ ସିରିଜ ଆଫଗାନିସ୍ତାନ ସହ ଖେଳିବ। ଏହି ସିରିଜରେ ରୋହିତ ଶର୍ମା ଓ ବିରାଟ କୋହଲି ନଜର ଆସିବେ। ରବିବାର ବିସିସିଆଇ ଘୋଷଣା କରିଥିବା ୧୬ ଜଣିଆ ଭାରତୀୟ ସ୍କ୍ୱାଡରେ ରୋହିତ ଶର୍ମା ଅଧିନାୟକ ରହିଛନ୍ତି। ଠିକ ଟି-୨୦ ବିଶ୍ୱକପ ପୂର୍ବରୁ ରୋହିତ ଓ ବିରାଟ କମବ୍ୟାକ କରିଥିବାରୁ ଉଭୟ ଦଳରେ ରହିବା ଏକପ୍ରକାରର ନିଶ୍ଚିତ ହୋଇଛି।

ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ରେ ଭାରତର ନେତୃତ୍ୱ ନେଉଥିଲେ। ଲାଗୁଥିଲା ଆହତ ସମସ୍ୟାରୁ ମୁକୁଳିବା ପରେ ହାର୍ଦ୍ଦିକ ହିଁ ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବେ। ରୋହିତ ଶର୍ମା କିମ୍ବା ବିରାଟ କୋହଲି ଆଉ ଟି-୨୦ ଖେଳିବେ ନାହିଁ।

Advertisment

କିନ୍ତୁ ବିସିସିଆଇ ଏବେ ଦୁଇ ଭେଟରାନଙ୍କୁ ପୁଣି ଟି-୨୦ ସ୍କ୍ୱାଡରେ ସାମିଲ କରିଛି। ଏହାର ଅର୍ଥ ହାର୍ଦ୍ଦିକ ଯଦି ବି ବିଶ୍ୱକପ ପୂର୍ବରୁ ଫିଟ ହୁଅନ୍ତି ଓ ଦଳକୁ ଫେରନ୍ତି, ତା’ହେଲେ ବି ରୋହିତ ଶର୍ମା ହିଁ ବିଶ୍ୱକପରେ ଭାରତର କମାଣ ସମ୍ଭାଳିବେ।

ଆଇପିଏ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛନ୍ତି। ହେଲେ ଏବେ ରୋହିତ ଶର୍ମା ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେବାକୁ ଯାଉଛନ୍ତି।

ଭେଟରାନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, “ରୋହିତ ଶର୍ମା ଏବେ କ୍ୟାପ୍ଟେନ। ମୋର ବିଶ୍ୱାସ ସେ ବିଶ୍ୱକପରେ ମଧ୍ୟ ଭାରତର ନେତୃତ୍ୱ ନେବେ। ମୁଁ ଭାବୁଛି ଏହା ଏକ ଐତିହାସିକ ଚୟନ। ଯଦି ରୋହିତ କ୍ୟାପ୍ଟେନ ରହିବେ। ତା’ହେଲେ ସେ ବିଶ୍ୱକପ ଖେଳିବେ। ଯଦି ସେ ବିଶ୍ୱକପ ଖେଳିବେ, ତା’ହେଲେ ସେ ହିଁ ଭାରତର ନେତୃତ୍ୱ ନେବେ।”

ଆହତ ସମସ୍ୟାରୁ ମୁକୁଳିବା ପରେ ହାର୍ଦ୍ଦିକ ପୁଣି ଭାରତର ଟି-୨୦ କ୍ୟାପ୍ଟେନ ହେବେ ଚର୍ଚ୍ଚାକୁ ଆକାଶ ଚୋପ୍ରା ଅଗ୍ରାହ୍ୟ କରିଦେଇଛନ୍ତି। ସେ କହିଛନ୍ତି, “ହାର୍ଦ୍ଦିକ ଫେରିବା ପରେ ସେ କ୍ୟାପ୍ଟେନ ହେବେ ବୋଲି ମୁଁ ଭାବୁନି। ମୁଁ ଲିଖିତ ଭାବେ ଏହା ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି। ମୁଁ ଅବଶ୍ୟ କିଛିର ଗ୍ୟାରେଣ୍ଟୀ ଦେଉନି। କିନ୍ତୁ ରୋହିତ ଶର୍ମା ଟିମରେ ରହିବେ ଓ କ୍ୟାପ୍ଟେନ ହେବେ ନାହିଁ, ତା’ର ସମ୍ଭାବନା ବହୁତ କମ।”

ଜୁନ ୧ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେଉଥିବା ବେଳେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌ ଜୁନ ୫ ତାରିଖରେ ଖେଳାଯିବ।

ଆଫଗା ବିପକ୍ଷ ସିରିଜ ପାଇଁ ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ତିଲକ ବର୍ମା, ରିଙ୍କୁ ସିଂହ, ଜିତେଶ ଶର୍ମା(ୱିକେଟ କିପର), ସଞ୍ଜୁ ସାମସନ(ୱିକେଟ କିପର), ଶିବମ ଦୁବେ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଆବେଶ ଖାନ ଓ ମୁକେଶ କୁମାର।

Rohit Sharma ICC T20 World Cup T20 Cricket