Rohit
ପୁଣେ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶସ୍ତାରେ ଆଉଟ ହୋଇଥିବା ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ବ୍ୟାଟିଂରେ ନିଜର ଯାଦୁ ଦେଖାଇବାରେ ବିଫଳ ହୋଇଥିବା ରୋହିତ କିନ୍ତୁ ଫିଲ୍ଡିଂରେ ନିଜର ଯାଦୁ ଦେଖାଇ ଇଂଲିଶ ଓପନର ଜେସନ ରୟଙ୍କୁ ରନ୍ ଆଉଟ କରିଦେଇଛନ୍ତି।
ଏଥିସହ ସେ ତାଙ୍କ ଫିଲ୍ଡିଂ ଯୋଗୁ ଭାରତ ଉକ୍ତ ମ୍ୟାଚ୍ରେ ପ୍ରଥମ ସଫଳତା ମଧ୍ୟ ପାଇଥିଲା। ଭାରତ ଦେଇଥିବା ୩୩୭ ରନ୍ର ଟାର୍ଗେଟ ପିଛା କରୁଥିବା ଇଂଲର୍ଡ ପକ୍ଷରୁ ଦୁଇ ଓପନର ଜନ୍ନି ବେୟାରଷ୍ଟୋ ଓ ଜେସନ ରୟ କ୍ରମାଗତ ଦୁଇ ଥର ପାଇଁ ୧୦୦ରୁ ଅଧିକ ରନ୍ ବିନା ୱିକେଟରେ ହାସଲ କରିଥିଲେ।
ଏହି ପାର୍ଟରଶିପ୍କୁ ଭାଙ୍ଗିବା ପାଇଁ ଭାରତୀୟ ବୋଲର ସବୁ ପ୍ରକାରର ଉଦ୍ୟମ କରିଥିଲେ। ତେବେ ରନ୍ ଆଉଟ୍ ରୂପରେ ମ୍ୟାଚ୍ର ୧୭ତମ ଓଭର୍ରେ ଭାରତକୁ ସଫଳତା ମିଳିଥିଲା। କୁଲଦୀପ ଯାଦବଙ୍କ ବଲ୍କୁ ଶର୍ଟ ମିଡ୍ ୱିକେଟ୍ ଅଞ୍ଚଳରେ ଖେଳି ବେୟାରଷ୍ଟୋ ଏକ ରନ୍ ନେବାକୁ ଚେଷ୍ଟା କରିଥିଲେ। ତେବେ ସେଠାରେ ଫିଲ୍ଡିଂ କରିଥିବା ରୋହିତ ଶର୍ମା ଶୂନ୍ୟରେ ନିଜ ଡାହାଣ ପଟକୁ ଡାଇଭ୍ ମାରି ବଲ୍ଟିକୁ ଗୋଟିଏ ହାତରେ ଧରି ପକାଇଥିଲେ।
ଏହାପରେ ସେ ୱିକେଟ କିପର ଋଷଭ ପନ୍ତଙ୍କୁ ଥ୍ରୋ କରିଥିଲେ। ସେ ତୁରନ୍ତ ଏହାକୁ ରନ୍ ଆଉଟ୍ରେ ପରିଣତ କରାଇଥିଲେ। ରୋହିତ ବଲ୍ ଧରିବା ବେଳେ ବେୟାରଷ୍ଟୋ ଓ ଜେସନ ରୟ ଅଧା ପିଚ୍ରେ ରହିଥିଲେ। ଶେଷରେ ବେୟାରଷ୍ଟୋ ବୋଲିଂ ଏଣ୍ଡରେ ପହଞ୍ଚିବାରୁ ବେଶ ନିରାଶ ହୋଇ ଜେସନ ରୟ(୫୫) ପ୍ୟାଭଲିୟନ ଫେରିଥିଲେ।
ରୟ ଆଉଟ ହେବା ପରେ ବେୟାରଷ୍ଟୋ ଆହୁରି ଆକ୍ରମଣତ୍ମାକ ଢଙ୍ଗରେ ବ୍ୟାଟିଂ କରି ନିଜର ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରର ୫ମ ଶତକ ଥିଲା। ଏହାକୁ ଆଧାର କରି ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଦମଦାର ବିଜୟ ହାସଲ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/03/Rohit-1.jpg)