Advertisment

ୱାଙ୍ଖେଡେ ଷ୍ଟାଡିୟମରେ ହେବ ସଚିନଙ୍କ ପ୍ରତିମୂର୍ତ୍ତି, ସ୍ଥାନ ଚିହ୍ନଟ କଲେ ନିଜେ ମାଷ୍ଟାରବ୍ଲାଷ୍ଟର

ନିଜେ ସଚିନ ଆଜି ମୁମ୍ବାଇ କ୍ରିକେଟ ଆସୋସିଏସନର ଅନୁରୋଧ ରକ୍ଷା କରି ୱାଙ୍ଖେଡେରେ ପହଞ୍ଚିବା ସହ କେଉଁ ସ୍ଥାନରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ, ତାହା ଚିହ୍ନଟ କରିଛନ୍ତି।

author-image
Hemant Lenka
Sachin Tendulkar

Sachin Tendulkar

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ ବଡ଼ ସମ୍ମାନ ଦେବାକୁ ଯାଉଛି ମୁମ୍ବାଇ କ୍ରିକେଟ ଆସୋସିଏସନ। ୱାଙ୍ଖେଡେରେ ପ୍ରତିଷ୍ଠା ହେବ ସଚିନଙ୍କ ବିଶାଳକାୟ (ଲାଇଫ ସାଇଜ) ପ୍ରତିମୂର୍ତ୍ତି। ନିଜେ ସଚିନ ଆଜି ମୁମ୍ବାଇ କ୍ରିକେଟ ଆସୋସିଏସନର ଅନୁରୋଧ ରକ୍ଷା କରି ୱାଙ୍ଖେଡେରେ ପହଞ୍ଚିବା ସହ କେଉଁ ସ୍ଥାନରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ, ତାହା ଚିହ୍ନଟ କରିଛନ୍ତି।

Advertisment

ସମ୍ଭବତଃ ପ୍ରଥମଥର ପାଇଁ କୌଣସି କ୍ରିକେଟରଙ୍କ ଏପରି ବିଶାଳକାୟ ପ୍ରତିମୂର୍ତ୍ତି ଅନାବରଣ ହେବ। ମୁମ୍ବାଇର ପ୍ରସିଦ୍ଧ ୱାଙ୍ଖେଡେ ଷ୍ଟାଡିୟମରେ ସଚିନ ତାଙ୍କ କ୍ରିକେଟ କ୍ୟାରିୟରର ଅନେକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏଠାରେ ନିଜର ପ୍ରଥମ ଓ ଶେଷ ମ୍ୟାଚ୍‌ ଖେଳିଥିଲେ। ସେହିପରି ୨୦୧୧ରେ ଏହି ଷ୍ଟାଡିୟମରେ ହିଁ ସେ ପ୍ରଥମଥର ପାଇଁ ଦିନିକିଆ ବିଶ୍ୱକପ ଟ୍ରଫି ଉଠାଇବାକୁ ସକ୍ଷମ ହୋଇଥିଲେ। ୱାଙ୍ଖେଡେ ସହ ସଚିନଙ୍କ ସମ୍ପର୍କ ବେଶ ପୂରୁଣା। ଏହି ସ୍ମୃତିକୁ ସବୁଦିନ ମନେ ରଖିବା ପାଇଁ ଏମସିଏ ସଚିନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯାଉଛି।

ଚଳିତ ବର୍ଷ ଏପ୍ରିଲ ୨୪ରେ ସଚିନ ୫୦ ତମ ଜନ୍ମ ଦିନ ପାଳିବେ। ଏହି ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଏମସିଏ ଲକ୍ଷ୍ୟ ରଖିଛି। ମଙ୍ଗଳବାର ସକାଳେ ସଚିନଙ୍କୁ ଏମସିଏ ସଭାପତି ଅମୋଲ କାଲେ ୱାଙ୍ଖେଡେକୁ ନିମନ୍ତ୍ର କରିଥିଲେ। ଏଥିସହ କେଉଁ ସ୍ଥାନରେ ପ୍ରତିମୂର୍ତ୍ତି ରଖରଯିବ, ସେ ବିଷୟରେ ପରାମର୍ଶ ମାଗିଥିଲେ।

Advertisment

ସଚିନ ଏମସିଏ ଲନ ବିପରୀତରେ ଥିବା ସ୍ଥାନକୁ ପ୍ରତିମୂର୍ତ୍ତି ପାଇଁ ବାଛିଛନ୍ତି। ସ୍ଥାନ ଚିହ୍ନଟ ହେବା ପରେ ସଚିନ କହିଛନ୍ତି, “କମିଟି ମୋତେ ସବୁ କିଛିରେ ଗାଇଡ କରିଥିଲା। ଏମସିଏ ଲନ ବାହାରେ ଷ୍ଟାଚ୍ୟୁ ରହିବ। ଏହାର ବ୍ୟାକଗ୍ରାଉଣ୍ଡରେ ଷ୍ଟାଡିୟମ ଅଛି ଓ ସେଠାରେ ସବୁ ପ୍ରକାରର ଆକ୍ସନ ହେବ। ଏହା ଏପରି ଗୋଟିଏ ସ୍ଥାନ ଯେଉଁଠାକୁ ଲୋକମାନେ ଆସି ପାରିବେ ଓ ଫଟୋ ଉଠାଇ ପାରିବେ। ଏଠାକୁ ଆସିବା ପାଇଁ ମଧ୍ୟ କୌଣସି କଟକଣା ନାହିଁ।”

ସଚିନଙ୍କୁ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୩ଟି ସ୍ଥାନ ଦେଖାଯାଇଥିଲା। ଗୋଟିଏ ବିସିସିଆଇ ମୁଖ୍ୟାଳୟ ବାହାରେ, ଅନ୍ୟଟି ଏମସିଏ ସଂଗ୍ରାହାଳୟର ବିଲଡିଂର ଗ୍ରାଉଣ୍ଡ ଫ୍ଲୋର ଓ ଶେଷ ସ୍ଥାନଟି ଥିଲା ଗରୱାରେ ପ୍ୟାଭିଲିୟନ ବାହାରେ ଥିବା ଏମସିଏ ଲନ୍‌। ସଚିନ ପତ୍ନୀ ଅଞ୍ଜଳୀଙ୍କ ସହ ୩ଟି ଯାକ ସ୍ଥାନ ଦେଖିବା ପରେ ପ୍ରତିମୂର୍ତ୍ତି ପାଇଁ ଏମସିଏ ଲନକୁ ବାଛିଛନ୍ତି।

Indian Cricket Team Cricket Sachin Tendulkar