ଡିସେମ୍ବର ୮ ତାରିଖ। ଆଜି ହେଉଛି ରବିବାର। ଭାରତୀୟ କ୍ରିକେଟ ପାଇଁ ରବିବାର ସାଜିଛି ଦୁଃଖଦ। ଗୋଟିଏ ଦିନରେ ଭାରତୀୟ କ୍ରିକେଟକୁ ଲାଗିଛି ଟ୍ରିପଲ ଝଟକା।
ଅଷ୍ଟ୍ରେଲିଆରୁ ଭାରତୀୟ କ୍ରିକେଟ ପାଇଁ ଦୁଇଟି ନିରାଶଜନକ ଖବର ଆସିଥିବା ବେଳେ ଦୁବାଇରେ ହୃଦୟ ଭାଙ୍ଗିଛି। ସିନୟ ଠାରୁ ଆରମ୍ଭ କରି ମହିଳା ଓ ଶେଷରେ ଜୁନିୟର ଟିମ ମଧ୍ୟ ନିଜ ମ୍ୟାଚ ହାରି ଲଜ୍ଜାଜନକ ଯଶ ମୁଣ୍ଡାଇଛି। ଗୋଟିଏ ଦିନରେ କ୍ରିକେଟରୁ ଆସିଥିବା ୩ଟି ନିରାଶଜନକ ଘଟଣା ଭାରତୀୟ ଫ୍ୟାନ୍ସକୁ ମାର୍ମାହତ କରିଛି।
ପ୍ରଥମେ ଭାରତୀୟ କ୍ରିକେଟର ସିନିୟର ଟିମକୁ ପିଙ୍କ ବଲ ଟେଷ୍ଟରେ ହାରିବାକୁ ପଡ଼ିଥିଲା। ଶୁକ୍ରବାର ଠାରୁ ଆଡିଲେଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ଅଢ଼େଇ ଦିନ ଭିତରେ ଶେଷ ହୋଇଛି। ଦିବରାତ୍ର ଟେଷ୍ଟରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ଦଳ ପ୍ରଥମ ଇନିଂସରେ କେବଳ ୧୮୦ ରନ କରିପାରି ଥିଲା।
ଏହାପରେ ଅଷ୍ଟ୍ରେଲିଆ ଟ୍ରାଭିସ ହେଡ୍ଙ୍କ ଚମତ୍କାର ୧୪୦ ରନ ବଳରେ ୩୩୭ ରନ କରି ପାରିଥିଲା। ଏଥିସହ ୧୫୭ ରନର ଗୁରୁତ୍ୱପୂର୍ଣ୍ଣ ଲିଡ ହାସଲ କରିଥିଲା। ଭାରତ ଦ୍ୱିତୀୟ ଦିନରେ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। କିନ୍ତୁ ଶନିବାର ଖେଳ ଶେଷ ହେବା ବେଳକୁ ଦଳ ୧୨୮ ରନରେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।
ଆଜି ୧ ଘଣ୍ଟାରୁ ସାମାନ୍ୟ ଅଧିକ ସମୟ ଭିତରେ ବାକି ୫ ବ୍ୟାଟର ଆଉଟ ହୋଇଯାଇଥିଲା। ଭାରତୀୟ ଟିମ ୧୭୫ ରନରେ ଅଟକି ଯିବାରୁ ଅଷ୍ଟ୍ରେଲିଆକୁ ମ୍ୟାଚ୍ ଜିତିବା ପାଇଁ କେବଳ ୧୯ ରନର ଟାର୍ଗେଟ ମିଳିଥିଲା। ଏହାକୁ କଙ୍ଗାରୁ ଟିମ ବିନା ୱିକେଟରେ ହାସଲ କରିନେଇଥିଲା।
ଭାରତକୁ ଦ୍ୱିତୀୟ ଟେଷ୍ଟରେ ହରାଇ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫିକୁ ୧-୧ ସ୍ଥିତିକୁ ଆଣି ଦେଇଛି। ୧୦ ୱିକେଟର ପରାଜୟ ପରେ ଭାରତୀୟ ଟିମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ମଧ୍ୟ ଖସି ଯାଇଛି। ଏବେ ଭାରତର ଫାଇନାଲ ଆଶା ଆଶଙ୍କା ମଧ୍ୟକୁ ଠେଲି ହୋଇ ଯାଇଛି।
ଗୋଟିଏ ପଟେ ଭାରତୀୟ ପୁରୁଷ ଟିମ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ମହିଳା ଟିମ କଙ୍ଗାରୁ ବାହିନୀ ବିପକ୍ଷରେ ଦିନିକିଆ ସିରିଜ ଖେଳିଛି। ହେଲେ ଦ୍ୱିତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଏକତରଫା ଭାବେ ଭାରତୀୟ ମହିଳା ଟିମକୁ ୧୨୨ ରନରେ ହରାଇ ଦେଇଛି।
ପ୍ରଥମ ଦିନିକିଆକୁ ଅଷ୍ଟ୍ରେଲିଆର ମହିଳା ଦଳ ଦମଦାର ଢଙ୍ଗରେ ଜିତିଥିଲା। ଆଜି ମଧ୍ୟ ଘରୋଇ ଟିମ ଭାରତୀୟ ମହିଳା ଦଳକୁ ଦ୍ୱିତୀୟ ଦିନିକିଆରେ ବୃହତ୍ତ ୧୨୨ ରନରେ ହରାଇ ଦେଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ କବଜା କରି ନେଇଛି।
ବ୍ରିସବେନରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଜର୍ଜିଆ ଭୋଲ୍ଲଙ୍କ ୧୦୧ ଓ ଅଭିଜ୍ଞ ଏଲିସ ପେରୀଙ୍କ ୭୫ ବଲରେ ୧୦୫ ରନର ଇନିଂସ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ବିଶାଳ ୩୭୧ ରନ କରିଥିଲା। ଏହାର ଜବାବରେ ଭାରତ ୪୪.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୪୯ ରନ କରିପାରିଛି। ଫଳରେ ଅଷ୍ଟ୍ରେଲିଆ ୧୨୨ ରନରେ ମ୍ୟାଚ ସହ ସିରିଜ କବଜା କରିଛି।
ସିନିୟର ପୁରୁଷ ଓ ମହିଳା ଟିମ ପାଖରୁ ମିଳିଥିବା ନିରାଶଜନକ ଖବର ସତ୍ତ୍ୱେ ସମସ୍ତଙ୍କ ନଜର ଅଣ୍ଡର ୧୯ ଏସିଆ କପ ଫାଇନାଲ ଉପରେ ରହିଥିଲା। ଫାଇନାଲରେ ୮ଥରର ବିଜେତା ଡିଫେଣ୍ଡିଂ ଚାମ୍ପିୟନ ବାଂଲାଦେଶକୁ ଭେଟିଥିଲା। ଲାଗୁଥିଲା ଭାରତ ୯ମ ଥର ପାଇଁ ଚାମ୍ପିୟନ ହେବ। ସେହିପରି ୨୦୨୦ ଅଣ୍ତର ୧୯ ବିଶ୍ୱକପ ଫାଇନାଲ ପରାଜୟର ପ୍ରତିଶୋଧ ବାଂଲାଦେଶ ଠାରୁ ନେବ।
ଦଳ ବୋଲିଂରେ ଠିକଠାକ ପ୍ରଦର୍ଶନ କରି ବାଂଲାଦେଶକୁ ୪୯.୧ ଓଭରରେ ୧୯୮ ରନରେ ଅଟକାଇ ମଧ୍ୟ ଦେଇଥିଲା। ହେଲେ ବ୍ୟାଟିଂରେ ଦଳ ସମସ୍ତଙ୍କୁ ନିରାଶ କରିଥିଲା। ଶେଷରେ ୧୯୯ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଜୁନିୟର ଭାରତୀୟ ଟିମ ୩୫.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୩୯ ରନ କରିପାରିଛି।
ଭାରତକୁ ୫୯ ରନର ବୃହତ୍ତ ବ୍ୟବଧାନରେ ହରାଇ ଜୁନିୟର ଟାଇଗର୍ସ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଣ୍ଡର ୧୯ ଏସିଆ କପ ଦଖଲ କରିପାରିଛି।