Advertisment

ସଞ୍ଜୁ ସାମସନଙ୍କ ଶତକ, ନିର୍ଣ୍ଣାୟକ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୨୯୭ ରନର ଟାର୍ଗେଟ

ସାମସନ ୧୦୮ ରନ କରିଥିବା ବେଳେ ତିଲକ ବର୍ମା ୫୨ ରନର ଇନିଂସ ଖେଳିଛନ୍ତି। ସେହିପରି ରିଙ୍କୁ ସିଂହ ଶେଷ ଭାଗରେ ୨୭ ବଲରେ ବିସ୍ଫୋରକ ୩୮ ରନ କରିଛନ୍ତି।

author-image
Hemant Lenka
samson

samson

ଦକ୍ଷିଣ ଆଫ୍ରିକା ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଦମ ଦେଖାଇଛନ୍ତି ଟିମ ଇଣ୍ଡିଆର ସଞ୍ଜୁ ସାମସନ। ସେ ଶତକ ହାସଲ କରିବାରୁ ଭାରତୀୟ ଟିମ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ହରାଇ ୨୯୬ ରନ କରିଛି। ଫଳରେ ଦିନିକିଆ ସିରିଜକୁ ୨-୧ରେ କବଜା କରିବା ପାଇଁ ଘରୋଇ ଟିମକୁ ୨୯୭ ରନର ଟାର୍ଗେଟ ମିଳିଛି।

Advertisment

ସାମସନ ୧୦୮ ରନ କରିଥିବା ବେଳେ ତିଲକ ବର୍ମା ୫୨ ରନର ଇନିଂସ ଖେଳିଛନ୍ତି। ସେହିପରି ରିଙ୍କୁ ସିଂହ ଶେଷ ଭାଗରେ ୨୭ ବଲରେ ବିସ୍ଫୋରକ ୩୮ ରନ କରିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ଆଜି ସାଇ ସୁଦର୍ଶନଙ୍କ ସହ ଡେବ୍ୟୁଟାଣ୍ଟ ରଜତ ପଟିଦାର ଇନିଂସ ଆରମ୍ଭ କରିଥିଲେ। ସୁଦର୍ଶନ ସତର୍କତାର ସହ ବ୍ୟାଟିଂ କରିଥିଲେ ମଧ୍ୟ ପଟିଦାର କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ସେ ୧୬ ବଲରେ ୨୨ ରନ କରି ନାନ୍ଦ୍ରେ ବୁରଗେରଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ।

Advertisment

ପ୍ରଥମ ଦୁଇଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଥିବା ସୁଦର୍ଶନ ଆଜି କେବଳ ୧୦ ରନ କରିବାକୁ ସକ୍ଷମ ହୋଇଛନ୍ତି। ଅଧିନାୟକ କେଏଲ ରାହୁଲ(୨୧) ଭଲ ଲୟରେ ଥିଲେ ମଧ୍ୟ ବଡ଼ ଶଟ ଖେଳିବାକୁ ଯାଇ ପ୍ୟାଭିଲିୟନ ଫେରିଛନ୍ତି। ଭାରତର ୧୦୧ ରନରେ ୩ଟି ୱିକେଟ ହରାଇ ସାମାନ୍ୟ ଚାପରେ ପଡ଼ିଥିଲା।

ଏତିକି ବେଳେ ସଞ୍ଜୁ ସାମସନ ଓ ତିଲକ ବର୍ମା ସ୍ଥିତି ସମ୍ଭାଳିଥିଲେ। ଉଭୟ ୱିକେଟ ରଖିବା ସହ ଦଳର ସ୍କୋରକୁ ଆଗକୁ ନେଇଥିଲେ। ବିଶେଷ କରି ସାମସନଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ତିଲକ ବର୍ମା ମଧ୍ୟ ତାଙ୍କର ଭରପୂର ସାଥ ଦେଇଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିବା ସହ ୪ର୍ଥ ୱିକେଟ ପାଇଁ ୧୧୬ ରନ ଯୋଡ଼ିଥିଲେ।

ଅର୍ଦ୍ଧଶତକ ହାସଲ କରିବା ପରେ ତିଲକ ବଡ଼ ଶଟ ଖେଳିବେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ସେ ୫୨ ରନରେ ହିଁ କେଶବ ମହାରାଜଙ୍କ ବଲରେ ଆଉଟ ହୋଇଯାଇଥିଲେ। ତିଲକ ଆଉଟ ହୋଇଥିଲେ ମଧ୍ୟ ସାମସନ ଲଢ଼େଇ କରିବା ଜାରି ରଖିଥିଲେ। ଏଥିସହ ପ୍ରଥମ ଥର ପାଇଁ ନିଜର ଦିନିକିଆ କ୍ୟାରିୟରରେ ଶତକ ହାସଲ କରିଥିଲେ।

ଶତକ ହାସଲ ପରେ ସେ ଗୋଟିଏ ଛକା ମାରିଥିଲେ। କିନ୍ତୁ ଏହାପରେ ସେ ୧୦୮ ରନ କରି ଆଉଟ ହୋଇଯାଇଥିଲେ। ୧୧୪ ବଲରେ ସାମ୍ନା କରିଥିବା ସାମସନ ୬ଟି ଚୌକା ଓ ୩ଟି ଛକା ମାରିଛନ୍ତି।

ସାମାସନ ଆଉଟ ହେବା ପରେ ସବୁ ଦାୟିତ୍ୱ ରିଙ୍କୁ ସିଂହ ନିଜ କାନ୍ଧକୁ ନେଇଥିଲେ। ସେ ଗୋଟିଏ ପଟେ ଶଟ ମାରି ଚାଲିଥିବା ବେଳେ ଅନ୍ୟପଟେ ଅକ୍ଷର ପଟେଲ(୧) ଓ ୱାଶିଂଟନ ସୁନ୍ଦର(୧୪) ଆଉଟ ହୋଇଥିଲେ। ଶେଷ ଓଭରର ପ୍ରଥମ ୨ବଲରେ ସେ ୧୦ ରନ କରିଥିଲେ। କିନ୍ତୁ ତୃତୀୟ ବଲରେ ବଡ଼ ଶଟ ଖେଳିବାକୁ ଯାଇ ଆଉଟ ହୋଇଯାଇଥିଲେ।

ସେ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୨୯୩ ଥିଲା। ଶେଷ ୩ ବଲରେ ଅର୍ଶଦୀପ ସିଂହ ଓ ଆବେଶ ଖାନ ୩ ରନ କରିଥିଲେ। ଏଥିଯୋଗୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୯୬ ରନ କରିବାକୁ ସକ୍ଷମ ହୋଇଛି।

ଦକ୍ଷିଣ ଆଫ୍ରିକା ପକ୍ଷରୁ ବେଉରନ ହେଣ୍ଡ୍ରିକ୍ସ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବୁରଗେର ୨ଟି, ଲିଜାଡ ୱିଲିୟମସ, ୱିୟାନ ମୁଲଡେର ଓ କେଶବ ମହାରାଜ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

Indian Cricket Team Cricket India Vs South Africa Sanju Samson