Advertisment

କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହ ଏମିତି ରେକର୍ଡ କଲେ ସାଣ୍ଟନର

ପ୍ରଥମ ଇନିଂସରେ ୭ ୱିକେଟ ନେବା ପରେ ସାଣ୍ଟନର ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି।

author-image
Hemant Lenka
Mitchell Santner

Mitchell Santner

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ମିଚେଲ ସାଣ୍ଟନର। ସେ ଭାରତ ବିପକ୍ଷରେ ୭ ୱିକେଟ ଦଖଲ କରି ନୂଆ ରେକର୍ଡ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ୫ଫର।

Advertisment

ଅର୍ଥାତ ସେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ୫ କିମ୍ବା ତା’ ଠାରୁ ଅଧିକ ୱିକେଟ ନେଇଛନ୍ତି। ପୁଣେରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟରେ ସାଣ୍ଟରନ ମାତ୍ର ୫୩ ରନ ଦେଇ ୭ ୱିକେଟ ନେଇଛନ୍ତି। ତାଙ୍କର ଏପରି ଘାତକ ବୋଲିଂ ଯୋଗୁ ଭାରତୀୟ ଟିମ ପ୍ରଥମ ଇନିଂସରେ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଛି। ଏଥିସହ ମ୍ୟାଚ୍‌କୁ ବଞ୍ଚାଇବା ପାଇଁ ଦଳ ସଂଘର୍ଷ କରୁଛି।

ଭାରତ ୧୫୬ ରନରେ ଅଲଆଉଟ ହେବାରୁ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ୧୦୩ ରନ ଲିଡ ପାଇଥିଲା। ଦ୍ୱିତୀୟ ଇନିଂସରେ ଦଳ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୧୯୮ ରନ କରି ନେଇଛି। ଏହାର ଅର୍ଥ ଦଳ ଏବେ ୩୦୧ ରନ ଲିଡ ହାସଲ କରି ସାରିଲାଣି। ତେଣୁ ପୁଣେର ସ୍ପିନିଂ ଟ୍ରାକରେ ଭାରତ କେମିତି ମ୍ୟାଚ ବଞ୍ଚାଇବ, ତା’ ଉପରେ ସମସ୍ତଙ୍କ ନଜର।

Advertisment

ମିଚେଲ ସାଣ୍ଟନର ପ୍ରଥମ ଇନିଂସେ ୭ ୱିକେଟ ନେଇଥିବାରୁ ଦ୍ୱିତୀୟ ଇନିଂସରେ ସେ ପୁଣି ଭାରତୀୟ ବ୍ୟାଟରଙ୍କୁ ଘାଇଲା କରିବାର ଆଶଙ୍କା ରହିଛି। ତେବେ ପ୍ରଥମ ଇନିଂସରେ ୭ ୱିକେଟ ନେବା ପରେ ସାଣ୍ଟନର ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି।

ସେ ନ୍ୟୁଜିଲ୍ୟାଣ୍ଡର ପଞ୍ଚମ ସ୍ପିନର ଭାବେ ଭାରତ ମାଟିରେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଛନ୍ତି। ଏଜାଜ ପଟେଲଙ୍କ ପରେ ସେ ଭାରତରେ ଦ୍ୱିତୀୟ କ୍ୱିୱି ସ୍ପିନର ଭାବେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏଜାଜ ପଟେଲ ୨୦୨୧ ମୁମ୍ବାଇ ଟେଷ୍ଟରେ ଐତିହାସିକ ୧୦ ୱିକେଟ ଦଖଲ କରିଥିଲେ। ଏବେ ଦ୍ୱିତୀୟ ସ୍ଥାନରେ ସାଣ୍ଟନର ୭ ୱିକେଟ ସହ ରହିଛନ୍ତି।

ସାଣ୍ଟନର ଶୁକ୍ରବାର ମର୍ଣ୍ଣିଂ ସେସନ୍ସରେ ୪ଟି ୱିକେଟ ନେଇଥିବା ବେଳେ ଲଞ୍ଚ ପରେ ଆଉ ୩ ବ୍ୟାଟରଙ୍କୁ ଆଉଟ କରିଥିଲେ। ରବୀନ୍ଦ୍ର ଜାଡେଜା(୩୮)ଙ୍କୁ ଛାଡ଼ି ଦେଲେ କ୍ୱିୱି ଟିମର ସ୍ପିନରଙ୍କୁ ଆଉ କୌଣସି ଭାରତୀୟ ବ୍ୟାଟର ସାମ୍ନା କରି ପାରି ନଥିଲେ।

ସାଣ୍ଟନର ଓ ଏଜାଜ ପଟେଲଙ୍କ ବ୍ୟତୀତ ଭାରତ ମାଟିରେ ୫ କିମ୍ବା ତା’ଠାରୁ ଅଧିକ ୱିକେଟ ନେଇଥିବା ଅନ୍ୟ ବୋଲରମାନେ ହେଲେ ଜନ ବ୍ରେସୱେଲ, ଡାନିଏଲ ଭିଟୋରି ଓ ହେଡଲୀ ହୋୱାର୍ଥ। ଭିଟୋରୀ ୧୯୯୯ରେ କାନପୁର ଟେଷ୍ଟରେ ୬ଟି ୱିକେଟ ଓ ୨୦୧୦ ହାଇଦ୍ରାବାଦ ଟେଷ୍ଟରେ ୫ଟି ୱିକେଟ ନେଇଥିଲେ। ବ୍ରେସୱେଲ ୧୯୮୮ରେ ୱାଙ୍ଖେଡେରେ ୬ଟି ୱିକେଟ ନେଇଥିଲେ। ସେହିପରି ୧୯୬୯ରେ ହେଡଲୀ ନାଗପୁର ଟେଷ୍ଟରେ ୫ ସଫଳତା ହାସଲ କରିଥିଲେ।

ସାଣ୍ଟନର ପ୍ରଥମେ ଶୁବମନ ଗିଲ୍(୩୦)ଙ୍କୁ ଆଉଟ କରିଥିଲେ। ଏହାପରେ ସେ ବିରାଟ କୋହଲି(୦), ସର୍ଫରାଜ ଖାନ(୧୧), ରବୀନ୍ଦ୍ର ଜାଡେଜା(୩୮), ରବି ଅଶ୍ୱିନ(୪), ଆକାଶ ଦୀପ (୬) ଓ ଯଶପ୍ରୀତ ବୁମ୍ରା(୦)ଙ୍କ ୱିକେଟ ନେଇଥିଲେ। ସାଣ୍ଟନରଙ୍କ ବ୍ୟତୀତ ଗ୍ଲେନ ଫିଲପ୍ସ ୩୦ ରନ କରିଥିବା ଯଶସ୍ୱୀ ଜୈସୱାଲ ଓ ୧୮ ରନ କରିଥିବା ଋଷଭ ପନ୍ତଙ୍କ ୱିକେଟ ନେଇଛନ୍ତି।

India Vs New Zealand Test Cricket Test Match Mitchell Santner