Advertisment

ବାଂଲାଦେଶ ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ନାଟକୀୟ ବିଜୟ: ଟେଷ୍ଟ ସିରିଜ ୧-୧ରେ ଶେଷ

ମୀରପୁର ପରି ସ୍ପିନିଂ ଟ୍ରାକ୍‌ରେ ବାଂଲାଦେଶର ଅଧିନାୟକ ବଡ଼ ତ୍ରୁଟି କରିଥିଲେ। ଫିଲିପ୍ସ ଖାତା ଖୋଲି ନଥିବା ବେଳେ ତାଙ୍କ କ୍ୟାଚ୍‌କୁ ହାତ ଛଡ଼ା କରି ଦେଇଥିଲେ।

author-image
Hemant Lenka
NZ

NZ

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବେଶ ନାଟକୀୟ ଢଙ୍ଗରେ ଜିତି ନେଇଛି ନ୍ୟୁଜିଲ୍ୟାଣ୍ଡ। ଗ୍ଲେନ ଫିଲିପ୍ସ ଓ ମିଚେଲ ସାଣ୍ଟନରଙ୍କ ଲଢ଼ୁଆ ଇନିଂସ ବଳରେ ନ୍ୟୁଜିଲ୍ୟାଣ୍ଡ ମ୍ୟାଚକୁ ୪ ୱିକେଟରେ ଜିତିବାକୁ ସକ୍ଷମ ହୋଇଛି। ଏଥିସହ ବାଂଲାଦେଶ ବିପକ୍ଷ ୨ ଟିକିଆ ଟେଷ୍ଟ ସିରିଜକୁ ୧-୧ରେ ଶେଷ ହୋଇଛି। ବାଂଲାଦେଶ ପ୍ରଥମ ଟେଷ୍ଟକୁ ୧୫୦ ରନରେ ଜିତି ନେଇଥିଲା। କିନ୍ତୁ ମୀରପୁରରେ ଖେଳା ଯାଉଥିବା ଲୋକ ସ୍କୋରିଂ ମ୍ୟାଚ୍‌ରେ ଘରୋଇ ଟିମକୁ ହାରିବାକୁ ପଡ଼ିଛି।

Advertisment

ଫିଲିପ୍ସ ଓ ସାଣ୍ଟନର ବ୍ୟାଟିଂରେ କମାଲ କରିଥିବା ବେଳେ ବୋଲିଂରେ ଏଜାଜ ପଟେଲ ୬ ୱିକେଟ ଦଖଲ କରିଥିଲେ। ମ୍ୟାଚ୍‌ ଜିତିବାକୁ ୧୩୭ ରନର ଟାର୍ଗେଟ ପାଇଥିବା କ୍ୱିୱି ଟିମ ୬୯ ରନରେ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ଫିଲିପ୍ସ ଅପରାଜିତ ୪୦ ଓ ସାଣ୍ଟନର ଅପରାଜିତ ୩୫ ରନ କରି ଭ୍ରମଣକାରୀ ଟିମ ପାଇଁ ବିଜୟମୁଣ୍ଡି ମାରିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୀରପୁର ପରି ସ୍ପିନିଂ ଟ୍ରାକ୍‌ରେ ବାଂଲାଦେଶର ଅଧିନାୟକ ବଡ଼ ତ୍ରୁଟି କରିଥିଲେ। ଫିଲିପ୍ସ ଖାତା ଖୋଲି ନଥିବା ବେଳେ ତାଙ୍କ କ୍ୟାଚ୍‌କୁ ହାତ ଛଡ଼ା କରି ଦେଇଥିଲେ। ଶେଷରେ ସେ ଏହି ଜୀବନଦାନର ଫାଇଦା ଉଠାଇ ନ୍ୟୁଜିଲ୍ୟାଣ୍ଡକୁ ବିଜୟ କରାଇଛନ୍ତି।

Advertisment

ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ତା’ର ପ୍ରଥମ ଇନିଂସରେ ମାତ୍ର ୧୭୨ ରନ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ଗ୍ଲେନ ଫିଲିପ୍ସଙ୍କ ୭୨ ବଲରେ ୮୭ ରନ ବଳରେ ୧୮୦ ରନ କରିଥିଲା। ଫଳରେ ଦଳକୁ ପ୍ରଥମ ଇନିଂସରେ ୮ ରନର ଲିଡ ମିଳି ଯାଇଥିଲା।

ଦ୍ୱିତୀୟ ଇନିଂସରେ ବାଂଲାଦେଶ ପାଇଁ ଓପନର ଜାକିର ହାସନ ୫୯ ରନ କରିଥିଲେ ହେଁ ତାଙ୍କୁ ଆଉ କେହି ବି ସାଥ ଦେଇ ନଥିଲେ। ଶେଷରେ ବାଂଲାଦେଶ ୧୪୪ ରନରେ ଅଲଆଉଟ ହୋଇ ଯାଇଥିଲା।

ମ୍ୟାଚ୍‌ ଜିତିବା ପାଇଁ ୧୩୭ ରନର ଟାର୍ଗେଟକୁ ନ୍ୟୁଜିଲ୍ୟାଣ୍ଡ ବେଶ ସଂଘର୍ଷ କରି ହାସଲ କରିଛି। ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଫିଲିପ୍ସ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ସେହିପରି ପ୍ରଥମ ଟେଷ୍ଟରେ କମାଲ କରିଥିବା ବାଂଲାଦେଶର ତାଇଜୁଲ ଇସଲାମ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି। ସେ ପ୍ରଥମ ଟେଷ୍ଟରେ ୧୦ ୱିକେଟ ନେଇଥିଲେ।

Cricket Test Match