Advertisment

ଏହି ଷ୍ଟାର ଖେଳାଳି ଆହତ, ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ସର୍ଫରାଜ !

ଗିଲ ଯଦି କାଲି ମ୍ୟାଚ୍‌ ଖେଳିବାକୁ ଫିଟ ନ ହେବେ, ତା’ହେଲେ ତାଙ୍କ ସ୍ଥାନରେ ସର୍ଫରାଜ ଖାନଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

author-image
Hemant Lenka
Sarfaraz Khan

Sarfaraz Khan

ଆସନ୍ତକାଲି ଠାରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ବେଙ୍ଗାଲୁରୁରେ ଖେଳା ଯିବାକୁ ଥିବା ଏହି ଟେଷ୍ଟ ପୂର୍ବ ବଡ଼ ଖବର ସାମ୍ନାକୁ ଆସିଛି। ଭାରତୀୟ ଟିମର ଷ୍ଟାର ବ୍ୟାଟର ଶୁବମନ ଗିଲ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମିସ୍‌ କରିପାରନ୍ତି।

Advertisment

୨୫ ବର୍ଷୀୟ ଗିଲ୍‌ ସୋମବାର ଠାରୁ ବେକ ଓ କାନ୍ଧ ଯନ୍ତ୍ରଣା ଅନୁଭବ କରୁଥିବା ଟିମ ମ୍ୟାନେଜମେଣ୍ଟକୁ ଅବଗତ କରାଇଛନ୍ତି। ଏଥିଯୋଗୁ ସେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଭ୍ୟାସ ମଧ୍ୟ କରିନାହାନ୍ତି। ତେବେ ଗିଲ ଚୂଡ଼ାନ୍ତ ଏକାଦଶରେ ରହିବେ କି ନାହିଁ, ତା’ର ନିଷ୍ପତ୍ତି ଆସନ୍ତାକାଲି ସକାଳେ ହିଁ ନିଆଯିବ ବୋଲି ଜଣାପଡ଼ିଛି।

ଗିଲଙ୍କ ଅନୁପସ୍ଥିତି ସର୍ଫରାଜ ଖାନ କିମ୍ବା ଧ୍ରୁବ ଜୁରେଲଙ୍କ ପାଇଁ ସୁଯୋଗ ସୃଷ୍ଟି କରିପାରେ। ଗିଲ ଯଦି କାଲି ମ୍ୟାଚ୍‌ ଖେଳିବାକୁ ଫିଟ ନ ହେବେ, ତା’ହେଲେ ତାଙ୍କ ସ୍ଥାନରେ ସର୍ଫରାଜ ଖାନଙ୍କୁ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି।

Advertisment

ଗିଲ୍‌ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ୩ନଂରେ ବ୍ୟାଟିଂ କରୁଛନ୍ତି। ନିକଟରେ ଶେଷ ହୋଇଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିଥିଲା। ୨୦୨୦ ପରଠାରୁ ଦ୍ୱିତୀୟ ଇନିଂସରେ ସମସ୍ତ ଭାରତୀୟ ବ୍ୟାଟରଙ୍କ ତୁଳନାରେ ଗିଲ୍‌ଙ୍କ ବ୍ୟାଟିଂ ହାର ସବୁଠାରୁ ଅଧିକ।

ଅନ୍ୟପକ୍ଷରେ ସର୍ଫରାଜ ଖାନ ମୁମ୍ବାଇ ପାଇଁ ଇରାନୀ କପରେ ଡବଲ ଟନ ହାସଲ କରିଥିଲେ। ତେଣୁ ଗିଲଙ୍କ ସ୍ଥାନ ସେ ନେବାର ଯଥେଷ୍ଟ ସମ୍ଭାବନା ରହିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ମଧ୍ୟ ସର୍ଫରାଜ ବାଂଲାଦେଶ ବିପକ୍ଷ ସିରିଜରେ ଗୋଟିଏ ବି ମ୍ୟାଚ୍‌ ଖେଳିବାର ସୁଯୋଗ ପାଇ ନଥିଲେ।

ଆହତ ସମସ୍ୟାରୁ କେଏଲ ରାହୁଲ ଫେରିବାରୁ ଟିମ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଅଧିକ ଭରସା ଦେଖାଇଛି। ସେ ବାଂଲାଦେଶ ବିପକ୍ଷ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଥିଲେ। ତେଣୁ ସର୍ଫରାଜଙ୍କୁ ବେଞ୍ଚରେ ବସିବାକୁ ପଡ଼ିଥିଲା।

ଯଦି ସର୍ଫରାଜ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଆନ୍ତି, ତା’ହେଲେ ବ୍ୟାଟିଂ ଅର୍ଡର ପରିବର୍ତ୍ତନ କରିବାକୁ ପଡ଼ିବ। ଗିଲଙ୍କ ବଦଳରେ ୩ନଂ ସ୍ଥାନରେ କିଏ ଖେଳିବେ, ତା’ହା ଏବେ ବଡ଼ ପ୍ରଶ୍ନ। କାରଣ ସର୍ଫରାଜ ୫ନଂ କିମ୍ବା ୪ନଂରେ ବ୍ୟାଟିଂ କରନ୍ତି।

୪ନଂରେ ବିରାଟ କୋହଲି ଥିବା ବେଳେ ୫ନଂରେ ଋଷଭ ପନ୍ତ ଓ ୬ନଂରେ କେଏଲ ରାହୁଲ ବ୍ୟାଟିଂ କରୁଛନ୍ତି। ତେଣୁ ଏହି ବ୍ୟାଟରଙ୍କ ମଧ୍ୟରୁ ଜଣଙ୍କୁ ୩ନଂରେ ଖେଳିବାକୁ ପଡ଼ିବ। ସର୍ଫରାଜ ୫ କିମ୍ବା ୬ନଂରେ ବ୍ୟାଟିଂ କରିପାରିବେ।

Test Cricket Test Match Sarfaraz Khan