Advertisment

ଛାତି ଧଡ଼ଧଡ଼ କରିଦେବା ଭଳି ମ୍ୟାଚ୍‌, ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ନାଟକୀୟ ବିଜୟ

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୮୨ ରନ କରିଥିଲା। ଏହାର ଜବାବରେ ଟିମ ସେଇର୍ଫଟଙ୍କ ବିସ୍ଫୋରକ ୪୮ ବଲରେ ୮୮ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ବଲ ପୂର୍ବରୁ ୬ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଛି।

New Zealand

New Zealand

Advertisment

ଅବିଶ୍ୱସନୀୟ, ରୋମାଞ୍ଚକର ଓ ଛାତି ଧଡ଼ଧଡ଼ କରିଦେବା ଭଳି ମ୍ୟାଚ୍‌। ଯେତେ ଯାହା କହିଲେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଶେଷ ହୋଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ ପାଇଁ ଶବ୍ଦ କମ ପଡ଼ିବ। କାରଣ ଭ୍ରମଣକାରୀ ଶ୍ରୀଲଙ୍କାକୁ ଟି-୨୦ ସିରିଜର ଶେଷ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବେଶ ନାଟକୀୟ ଢଙ୍ଗରେ ପରାସ୍ତ କରି ଟ୍ରଫି କବଜା କରିଛି।

Advertisment

ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୮୨ ରନ କରିଥିଲା। ଏହାର ଜବାବରେ ଟିମ ସେଇର୍ଫଟଙ୍କ ବିସ୍ଫୋରକ ୪୮ ବଲରେ ୮୮ ରନ ବଳରେ ନ୍ୟୁଜିଲ୍ୟାଣ୍ଡ ଗୋଟିଏ ବଲ ପୂର୍ବରୁ ୬ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଛି।

ଏକଦା ମ୍ୟାଚ୍‌ରେ ସହଜ ବିଜୟ ଅଭିମୁଖେ ଯାଉଥିବା ନ୍ୟୁଜିଲ୍ୟାଣ୍ଡ ଶେଷ ଭାଗରେ ହଡ଼ବଡ଼େଇ ଯାଇଥିଲା। ଫଳରେ ମ୍ୟାଚ୍‌ ଶେଷ ଓଭର ଯାଏ ଯାଇଥିଲା। ଶେଷ ଓଭରରେ ଦଳକୁ ଜିତିବା ପାଇଁ ୧୦ ରନ ଦରକାର ଥିବା ବେଳେ ଘରୋଇ ଟିମ ୩ଟି ୱିକେଟ ହରାଇଥିଲା। କିନ୍ତୁ ଶେଷରେ ରୋମାଞ୍ଚକର ବିଜୟ ମଧ୍ୟ ହାସଲ କରିଥିଲା। 

Advertisment

ଶ୍ରୀଲଙ୍କା ପାଇଁ ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଲାହିରୁ କୁମାରା। ତାଙ୍କର ପ୍ରଥମ ବଲକୁ ମାର୍କ ଚାମ୍ପମାନ ୬କା ମାରି ଦେଇଥିଲେ। ହେଲେ ପରବର୍ତ୍ତୀ ବଲରେ ସେ ଆଉଟ ହୋଇଯାଇଥିଲେ। ଏହାପରେ ଆସିଥିଲେ ଜିମ୍ମି ନୀଶମ। ଏହି ବଲଟି ୱାଇଡ ହୋଇଥିବା ବେଳେ ନୀଶମ ଅତିରିକ୍ତ ରନ ନେବା ଲୋଭରେ ରନ ଆଉଟ ହୋଇଯାଇଥିଲେ।

ଏହାର ଅର୍ଥ ନ୍ୟୁଜିଲ୍ୟାଣ୍ଡକୁ ଶେଷ ୪ ବଲରେ ୩ ରନ ଆବଶ୍ୟକ ରହିଥିଲା। କୁମାରାଙ୍କ ତୃତୀୟ ବଲର ସାମ୍ନା କରିଥିଲେ ୧୫ ରନ କରିଥିବା ଡାର୍ଲେ ମିଚେଲ। କିନ୍ତୁ ତାଙ୍କୁ ସେ ଆଉଟ କରି ନ୍ୟୁଜିଲ୍ୟାଣ୍ଡକୁ ୬ଷ୍ଠ ଝଟକା ଦେଇଥିଲେ। ୪ର୍ଥ ବଲ ଆଡାମ ମିଲନେଙ୍କ ବ୍ୟାଟରେ ମାଡ଼ ହୋଇ ନଥିଲା। ହେଲେ ସେ ଲେଗ ବାଇ ଜରିଆରେ ୧ ରନ ହାସଲ କରି ନେଇଥିଲେ। ଶେଷ ୨ ବଲରେ ଦଳକୁ ଦୁଇ ରନ ଦରକାର ଥିବା ବେଳେ ରଚିନ ରବୀନ୍ଦ୍ର ବେଶ ଚମତ୍କାର ଢଙ୍ଗରେ ଶଟ ମାରିଥିଲେ। ଡିପ୍‌ ପଏଣ୍ଟ ଅଞ୍ଚଳକୁ ବଲ ଚାଲି ଯିବାରୁ ସେ ସହଜରେ ୨ ରନ ହାସଲ କରି ଦଳକୁ ଗୋଟିଏ ବଲ ପୂର୍ବରୁ ବିଜୟୀ କରାଇଥିଲେ।

ନ୍ୟୁଜିଲ୍ୟାଣ୍ଡ ଟି-୨୦ ସିରିଜକୁ ୨-୧ରେ ସିରିଜ୍‌ ଜିତିଥିବା ବେଳେ ଏହାପୂର୍ବରୁ ଦିନିକିଆ ଓ ଟେଷ୍ଟ ସିରିଜ୍‌କୁ ମଧ୍ୟ କ୍ଲିନ ସୁଇପ କରିଥିଲା। ଶ୍ରୀଲଙ୍କା ୬ ସପ୍ତାହ ହେଲା ନ୍ୟୁଜିଲ୍ୟାଣ୍ଡରେ ଟେଷ୍ଟ, ଦିନିକିଆ ଓ ଟି-୨୦ ଖେଳିଥିଲେ ବି କେବଳ ଗୋଟିଏ ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି।

ଅକଲ୍ୟାଣ୍ଡରେ ଖେଳା ଯାଇଥିବା ଦ୍ୱିତୀୟ ଟି-୨୦କୁ ଭ୍ରମଣକାରୀ ଦଳ ସୁପର ଓଭରରେ ଜିତିବାକୁ ସକ୍ଷମ ହୋଇଥିଲା। ଏହି ଗୋଟିଏ ମ୍ୟାଚ୍‌କୁ ଛାଡ଼ି ଦେଲେ ଶ୍ରୀଲଙ୍କା ଟେଷ୍ଟ ସିରିଜକୁ ୦-୨, ଦିନିକିଆ ସିରିଜକୁ ୦-୩ ଓ ଶେଷରେ ଆଜି ଟି-୨୦ ସିରିଜକୁ ୧-୨ରେ ହାରିଛି।

Cricket Sri Lanka Newzealand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe