Advertisment

T20 World Cup: ଆଇସିସି ସହ ଯୁଦ୍ଧରେ ନିରାଶ ପାକିସ୍ତାନକୁ ବଡ଼ ଝଟକା, ଆଭିମୁଖ୍ୟ ସ୍ପଷ୍ଟ କଲେ ଅନ୍ୟ ବୋର୍ଡ

ଅନ୍ୟ ଅନ୍ତର୍ଜାତୀୟ ବୋର୍ଡଗୁଡ଼ିକ ପକ୍ଷରୁ ପିସିବିକୁ କୌଣସି ପ୍ରକାରର ସକାରାତ୍ମକ ଉତ୍ତର ମିଳିନାହିଁ। ଏହି ପ୍ରସଙ୍ଗରେ ପାକିସ୍ତାନ ପାଖରେ କୌଣସି ପ୍ରକାରର ଆଇନଗତ ଅଧିକାରୀ ନଥିବା ସବୁ ବୋର୍ଡ ସଦସ୍ୟ ମତ ରଖିଛନ୍ତି।

author-image
Hemant Lenka
ICC

ଜୟ ଶାହ ଓ ମୋହଶିନ ନକଭୀ

ଭାରତ ବିପକ୍ଷ ଟି-୨୦ ବିଶ୍ୱକପ(T20 World Cup) ମୁକାବିଲା ଖେଳିବାକୁ ମନା କରିଥିବା ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ଼ ଝଟକା ଲାଗିଛି। ଭାରତ ବିପକ୍ଷ ମ୍ୟାଚ୍‌କୁ ବୟକଟ କରିବା ନିଷ୍ପତ୍ତି ସାର୍ବଜନୀନ କରି ପିସିବି ସିଧାସଳଖ ଆଇସିସିକୁ ଚ୍ୟାଲେଞ୍ଜ କରିଥିଲା। ଏହି ପ୍ରସଙ୍ଗରେ ପାକିସ୍ତାନ ଅନ୍ତର୍ଜାତୀୟ ସମର୍ଥନ ହାସଲ ଉଦ୍ଦେଶ୍ୟରେ ଆଇସିସିର ଏକାଧିକ ବୋର୍ଡ ସଦସ୍ୟଙ୍କୁ ଯୋଗାଯୋଗ କରୁଥିଲା।

Advertisment

କିନ୍ତୁ ପିସିବିକୁ ସେଠାରେ ମଧ୍ୟ ନିରାଶ ହେବାକୁ ପଡ଼ିଛି। କାରଣ କୌଣସି ଗୋଟିଏ ହେଲେ କ୍ରିକେଟ ବୋର୍ଡ ପାକିସ୍ତାନର ଆଭିମୁଖ୍ୟକୁ ସମର୍ଥନ କରିନାହାନ୍ତି। ତେଣୁ ଏବେ ପାକିସ୍ତାନ ଏକଘରକିଆ ସ୍ଥିତିରେ ରହିଛି। ପାକିସ୍ତାନ ସରକାର ସୋଶାଲ ମିଡିଆରେ ଭାରତ ବିପକ୍ଷ ମ୍ୟାଚ୍‌ ନିଜ ଦେଶ ଖେଳିବ ନାହିଁ ବୋଲି କହିଛନ୍ତି। କିନ୍ତୁ ପିସିବି ଏହି ବୟକଟ ନିଷ୍ପତ୍ତି ସମ୍ପର୍କରେ ଆଇସିସିକୁ ବିଧିବଦ୍ଧ ଭାବେ ଅବଗତ କରାଇ ନାହିଁ। ଆଇସିସି ସହ ପିସିବି ଏଯାଏ ଯୋଗାଯୋଗ କରୁ ନଥିବାରୁ ବିବାଦ ଆହୁରି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। 

ସୂତ୍ରରୁ ଜଣାପଡ଼ିଛି ଯେ ଅନ୍ୟ ଅନ୍ତର୍ଜାତୀୟ ବୋର୍ଡଗୁଡ଼ିକ ପକ୍ଷରୁ ପିସିବିକୁ କୌଣସି ପ୍ରକାରର ସକାରାତ୍ମକ ଉତ୍ତର ମିଳିନାହିଁ। ଏହି ପ୍ରସଙ୍ଗରେ ପାକିସ୍ତାନ ପାଖରେ କୌଣସି ପ୍ରକାରର ଆଇନଗତ ଅଧିକାରୀ ନଥିବା ସବୁ ବୋର୍ଡ ସଦସ୍ୟ ମତ ରଖିଛନ୍ତି। ବାଂଲାଦେଶର ଆବେଦନକୁ ଆଇସିସି ଗ୍ରହଣ ନ କରି ଟୁର୍ଣ୍ଣାମେଣ୍ଟରୁ ବାଦ ଦେଇଛି।

Advertisment

ଏହାକୁ ବିରୋଧ କରି ତଥା ବାଂଲାଦେଶ ସମର୍ଥନରେ ପାକିସ୍ତାନ ଟି-୨୦ ବିଶ୍ୱକପର ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବ ନାହିଁ ବୋଲି କହିଛି। ହେଲେ ବୋର୍ଡ ସଦସ୍ୟ ଏହାକୁ ଗୋଟିଏ ମନଗଢ଼ା କାହାଣୀ ଭାବେ ଚିତ୍ରଣ କରିଛନ୍ତି। ଯଦି ବାଂଲାଦେଶ ସହ ପାକିସ୍ତାନ ରହିଛି, ତା’ହେଲେ ପୂରା ଟୁର୍ଣ୍ଣାମେଣ୍ଟ ବଦଳରେ କେବଳ ଭାରତ ବିପକ୍ଷ ମ୍ୟାଚ୍‌କୁ ବୟକଟ କରିବାକୁ ଚାହୁଁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। 

ପାକିସ୍ତାନର ବୟକଟ ନିଷ୍ପତ୍ତିରେ ଏକାଧିକ ପରସ୍ପରର ବିରୋଧ ଆଚରଣ କରୁଥିବା ଆଭିମୁଖ୍ୟ ମଧ୍ୟ ସାମ୍ନାକୁ ଆସିଛି। ନିକଟରେ ପାକିସ୍ତାନର ଅଣ୍ଡର ୧୯ ଟିମ ଭାରତ ବିପକ୍ଷ ମ୍ୟାଚ୍‌କୁ ବିନା ବିରୋଧ କିମ୍ବା ବୟକଟ ଧମକ ବିନା ଖେଳିଥିଲେ। ସେହିପରି ପାକିସ୍ତାନ ମହିଳା ଏ ଟିମ ଓ ଭାରତ ମହିଳା ଏ ଟିମ ମଧ୍ୟରେ ବି ଫେବୃଆରୀ ୧୫ରେ ମ୍ୟାଚ୍‌ ହେବାର ଅଛି। ପାକିସ୍ତାନ କ୍ରିକେଟ ବୋର୍ଡ ଏହାକୁ ବିରୋଧ କରି ନାହିଁ। 

ଏପରି ସ୍ଥିତିରେ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍‌କୁ ପାକିସ୍ତାନ କାହିଁକି ବୟକଟ କରିବାକୁ ଚାହୁଁଛି, ସେକଥା ବୋର୍ଡ ସଦସ୍ୟମାନେ ଓଲଟା ପ୍ରଶ୍ନ କରିଛନ୍ତି। ବାଂଲାଦେଶ ସୁରକ୍ଷାର ଆଳ ଦେଖାଇ ଭାରତ ଗସ୍ତରେ ଯିବ ନାହିଁ ବୋଲି କହିଥିଲା। କିନ୍ତୁ ପାକିସ୍ତାନର ମ୍ୟାଚ୍‌ ନିରପେକ୍ଷ ସ୍ଥାନରେ ରହିଛି। ଏପରି ସ୍ଥିତିରେ ପାକିସ୍ତାନ ସୁରକ୍ଷାକୁ ମଧ୍ୟ ଆଳ କରିପାରିବ ନାହିଁ ବୋଲି ବୋର୍ଡ ସଦସ୍ୟମାନେ କହିବା ପରେ ପିସିବିର ଚିନ୍ତା ବଢ଼ି ଯାଇଛି। 

ବୋର୍ଡ ରୁମରେ ପାକିସ୍ତାନକୁ କେହି ସମର୍ଥନ କରି ନଥିବା ବେଳେ ଆଇସିସି ଦୀର୍ଘ କାଳୀନ କଟଣକାର ଧମକ ଦେଇ ସାରିଛି। ତେଣୁ ପାକିସ୍ତାନର ନିର୍ଦ୍ଦିଷ୍ଟ ମ୍ୟାଚ୍‌ ବୟକଟ ନିଷ୍ପତ୍ତି ବୁମେରାଂ ହେବାର ଯଥେଷ୍ଟ ଆଶଙ୍କା ରହିଛି। 

T20 World Cup