Advertisment

ଶେଫାଲି ବର୍ମାଙ୍କ ରେକର୍ଡ ବ୍ରେକିଂ ଡବଲ ଟନ୍‌, ଇତିହାସ ରଚିଲା ଭାରତୀୟ ମହିଳା ଟିମ୍‌

ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଦିନରେ ୨୦ ବର୍ଷୀୟ ଶେଫାଲି ମାତ୍ର ୧୯୪ ବଲରେ ଡବଲ ଟନ ମାରିଛନ୍ତି।

author-image
Hemant Lenka
Safali Verma

Safali Verma

ଭାରତୀୟ ମହିଳା ଦଳର ଡାଇନାମିକ ତଥା ଯୁବ ଓପନର ଶେଫାଲି ବର୍ମା ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ସେ ମହିଳା ଟେଷ୍ଟ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିବାର ରେକର୍ଡର ଅଧିକାରୀ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଏକମାତ୍ର ଟେଷ୍ଟର ପ୍ରଥମ ଦିନରେ ୨୦ ବର୍ଷୀୟ ଶେଫାଲି ମାତ୍ର ୧୯୪ ବଲରେ ଡବଲ ଟନ ମାରିଛନ୍ତି।

Advertisment

ଏହାପୂର୍ବରୁ ମହିଳା ଟେଷ୍ଟ କ୍ରିକେଟରେ ଦ୍ରୁତତମ ଦୁଇ ଶତକ ହାସଲ କରିବାର ରେକର୍ଡ ଅଷ୍ଟ୍ରେଲିଆର ଆନ୍ନାବେଲ ସଦରଲ୍ୟାଣ୍ତଙ୍କ ନାଁରେ ଥିଲା। ସେ ୨୪୮ ବଲରେ ଏପରି କୀର୍ତ୍ତିମାନ ହାସଲ କରିଥିଲେ।

ହେଲେ ଶେଫାଲି ୧୯୪ ବଲରେ ୨୦୦ ରନ କରି ତାଙ୍କୁ ପଛରେ ପକାଇ ଦେଇଛନ୍ତି। ଡବଲ ଟନ ହାସଲ କରିବା ପରେ ସେ  ଆଉ ୫ ରନ ପରେ ରନ ଆଉଟ ହୋଇ ପ୍ୟାଭିଲିନ ଫେରିଥିଲେ। ୧୯୭ ବଲରେ ସାମ୍ନା କରିଥିବା ଶେଫାଲି ୨୩ଟି ଚୌକା ଓ ୮ଟି ଛକା ମାରିଛନ୍ତି। ଶେଫାଳି ଆଜି ନିଜର ୫ମ ଟେଷ୍ଟ ମ୍ୟାଚରେ ଡବଲ ଟନ ହାସଲ କରିଛନ୍ତି। ଏହାପୂର୍ବରୁ ତାଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୯୬ ରନ ରହିଥିଲା। 

Advertisment

ଶେଫାଲି ଦ୍ୱିତୀୟ ଭାରତୀୟ ଭାବେ ମହିଳା ଟେଷ୍ଟ କ୍ରିକେଟର ଦୁଇ ଶତକ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମିତାଲି ରାଜ ପ୍ରାୟ ୨୨ ବର୍ଷ ତଲେ ଡବଲ ଟନ ହାସଲ କରିଥିଲେ। ସେ ୨୦୨୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୪୦୭ ବଲରେ ୨୧୪ ରନର ଇନିଂସ ଖେଳିଥିଲେ।

ଶେଫାଲିଙ୍କ ରେକର୍ଡ ବ୍ରେକିଂ ଡବଲ ଟନ୍‌ ଯୋଗୁ ଭାରତୀୟ ମହିଳା ଦଳ ଟେଷ୍ଟ କ୍ରିକେଟର ନୂଆ ଇତିହାସ ରଚିଛି। ଶେଫାଲିଙ୍କ ବ୍ୟତୀତ ସ୍ମୃତି ମନ୍ଧାନା ମଧ୍ୟ ୧୬୧ ବଲରେ ୧୪୯ ରନର ଇନିଂସ ଖେଳିଛନ୍ତି।

ଉଭୟ ପ୍ରଥମ ୱିକେଟ ପାଇଁ ମାତ୍ର ୫୨ ଓଭରରେ ୨୯୨ ରନର ଯୋଡ଼ିଥିଲେ। ଏହା ମଧ୍ୟ ଏକ ରେକର୍ଡ। ଏହା ପୂର୍ବରୁ ଭାରତ କେବେ ହେଲେ ଟେଷ୍ଟ କ୍ରିକେଟରେ ପ୍ରଥମ ୱିକେଟ ପାଇଁ ଏତେ ରନ ଯୋଡ଼ି ନଥିଲା ଭାରତ। ସେହିପରି ପ୍ରଥମଥର ପାଇଁ ଦୁଇ ଜଣା ଯାକ ଓପନର ୧୦୦ରୁ ଅଧିକ ରନ କରିଛନ୍ତି।

ଶେଫାଲି ଓ ମନ୍ଧାନାଙ୍କ ଦମଦାର ବ୍ୟାଟିଂ ଯୋଗୁ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୪ ୱିକେଟ ହରାଇ ୫୨୫ ରନ କରି ନେଇଛି। ଏପରି ସ୍କୋର ପରେ ଭାରତୀୟ ମହିଳା ଦଳ ୮୯ ବର୍ଷର ରେକର୍ଡ ଭାଙ୍ଗିଛି।

କୌଣସି ଟେଷ୍ଟରେ ପ୍ରଥମ ଦିନରେ ଏତେ ସ୍କୋର କେବେ ହୋଇ ନଥିଲା। ଶେଷଥର ପାଇଁ ଇଂଲଣ୍ଡ ମହିଳା ଦଳ ୧୯୩୫ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଦିନରେ ୨ ୱିକେଟ ହରାଇ ୪୩୧ ରନ କରିଥିଲା। ହେଲେ ଭାରତୀୟ ମହିଳା ଦଳ ଏହା ଠାରୁ ଅଧିକ ୯୪ ରନ କରି ନେଇଛି।

ଭାରତ ପାଇଁ ଶେ‍ଫାଳି ୨୦୫ ରନ, ମନ୍ଧାନା ୧୪୯ ରନ, ଶୁଭା ସତୀଶ ୧୫ ରନ, ଜେମିମା ରୋଡ୍ରିଗସ ୫୫ ରନ କରି ପ୍ରଥମ ଦିନରେ ଆଉଟ ହୋଇଛନ୍ତି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଅଧିନାୟକ ହରମନପ୍ରୀତ କୌର ୭୬ ବଲରେ ୪୨ ଓ ୱିକେଟ କପିର ରିଚା ଘୋଷ ୩୩ ବଲରେ ୪୩ ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ମହିଳା ଟିମ ୭ ଜଣ ବୋଲରଙ୍କୁ ଚେନ୍ନାଇର ଚିଦାମ୍ବରମ ଷ୍ଟାଡିମୟରେ ବ୍ୟବହାର କରିଥିଲେ ହେଁ କେହି ବି ଭାରତୀୟ ବ୍ୟାଟରଙ୍କୁ ଆଦୌ ଅଡ଼ୁଆରେ ପକାଇ ପାରି ନାହାନ୍ତି।

Women Cricket Test Cricket Test Match Indian Women Cricket Team Shafali Verma