Advertisment

ପୂରା ସିରିଜ୍ ଖେଳି ନପାରନ୍ତି ଶାମି, ଜାଡେଜାଙ୍କୁ ନେଇ ଦ୍ୱନ୍ଦ୍ୱ

ଆହତ କାରଣରୁ ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବା କେଏଲ୍ ରାହୁଲ ମଧ୍ୟ ଦ୍ୱିତୀୟ ଟେଷ୍ଟ ଖେଳୁ ନାହାନ୍ତି।

Mohammed Shami

Mohammed Shami

Advertisment

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍। ବିଶାଖାପାଟଣାରେ ଏହି ମ୍ୟାଚ୍ ଖେଳା ଯିବ। ୫ଟି ମ୍ୟାଚ୍ ବିଶିଷ୍ଟ ଚଳିତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଛି ଭାରତ। ଦ୍ୱିତୀୟ ମ୍ୟାଚ୍‌ ଜିତି ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବାକୁ ପ୍ରୟାସ କରିବ ଭାରତ। 

Advertisment

ଆହତ କାରଣରୁ ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବା କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ମ୍ୟାଚ୍ ଖେଳୁ ନାହାନ୍ତି। ଏଣୁ ଟିମ୍ ଉପରେ ଚାପ ରହିବ। ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆ ପାଇଁ ଆଉ ଦୁଇଟି ଖରାପ ଖବର ଆସିଛି। ପ୍ରଥମ ଦୁଇଟି ମ୍ୟାଚ୍‌ ପାଇଁ ଟିମ୍‌ରେ ନଥିବା ଦ୍ରୁତ ବୋଲର ମହମ୍ମଦ ଶାମି ପୂରା ସିରିଜ୍ ନ ଖେଳିପାରନ୍ତି। ‘କ୍ରିକ୍‌ବଜ୍‌’ରେ ଏମିତି ଏକ ରିପୋର୍ଟ ପ୍ରକାଶ ପାଇଛି।

ଏହି ରିପୋର୍ଟ ଅନୁଯାୟୀ, ମହମ୍ମଦ ଶାମି ଏବେ ଲଣ୍ଡନରେ ଅଛନ୍ତି। ତାଙ୍କ ଗୋଇଠିରେ ଏବେ ଅସ୍ତ୍ରୋପଚାର ହେବ ନାହିଁ। ଅସ୍ତ୍ରୋପଚାର ବଦଳରେ ଇଞ୍ଜେକ୍ସନ ଦେଇ ତାଙ୍କ ଗୋଇଠିର ଚିକିତ୍ସା କରାଯିବ। ଚଳିତ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ଅନ୍ୟ ମ୍ୟାଚ୍ ଗୁଡ଼ିକ ମଧ୍ୟ ସେ ଖେଳିପାରିବେ ନାହିଁ ବୋଲି ନିଶ୍ଚିତ ହୋଇସାରିଥିବା ଏହି ରିପୋର୍ଟ କହିଛି।  

Advertisment

ଦ୍ୱିତୀୟ ଖରାପ ଖବରଟି ହେଉଛି ଆହତ କାରଣରୁ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ରବୀନ୍ଦ୍ର ଜାଡେଜା ସିରିଜ୍‌ର ବାକି ସମସ୍ତ ମ୍ୟାଚ୍ ମଧ୍ୟ ଖେଳି ନପାରନ୍ତି। ତାଙ୍କ ଜଂଘର ମାଂସପେଶୀରେ ଆଘାତ ଲାଗିଛି। ସୁସ୍ଥ ହେବା ପାଇଁ ତାଙ୍କୁ ଆହୁରି କିଛି ସପ୍ତାହ ଲାଗିଯିବ। ସେ ରାଜକୋଟରେ ଖେଳା ଯିବାକୁ ଥିବା ତୃତୀୟ ମ୍ୟାଚ୍‌ରେ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି। ତେବେ ଫେବ୍ରୁଆରୀ ୨୩ରୁ ୨୭ ଯାଏଁ ରାଞ୍ଚିରେ ଖେଳା ଯିବାକୁ ଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍ ବେଳକୁ ଯଦି ସେ ଫିଟ୍ ହୋଇଯାଇଥିବେ, ତା’ହେଲେ ତାହା ଦଳ ପାଇଁ ବଡ଼ କଥା ହେବ। 

ଅନ୍ୟପକ୍ଷରେ ଆସନ୍ତାକାଲି ଖେଳାଯିବାକୁ ଥିବା ମ୍ୟାଚ୍‌ ପୂର୍ବରୁ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆର ୱିକେଟ୍ କିପର କେ.ଏସ୍ ଭାରତ କହିଛନ୍ତି ଯେ ପ୍ରଥମ ମ୍ୟାଚ୍‌ରେ ପରାଜୟ ସତ୍ତ୍ୱେ ଦଳର ଆତ୍ମବିଶ୍ୱାସ କମି ନାହିଁ। ଇଂଲଣ୍ଡର ମୁକାବିଲା କରିବା ପାଇଁ ଦଳ ନୂଆ ରଣକୌଶଳ ପ୍ରସ୍ତୁତ କରିଛି। ପ୍ରଥମ ମ୍ୟାଚ୍‌ ଅପେକ୍ଷା ଦଳରେ ଆହୁରି ଉନ୍ନତି ଆସିଛି। 

INDvsENG Ravindra Jadeja Mohammed Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe