/odisha-reporter/media/post_attachments/uploadimage/library/16_9/16_9_0/Shami_1722001310.jpg)
Shami
୨୦୨୩ ଦିନିକିଆ ବିଶ୍ୱକପ୍ ପରଠାରୁ ମହମ୍ମଦ ଶାମି ଆଉ କୌଣସି ମ୍ୟାଚ୍ ଖେଳି ନାହାନ୍ତି। ଗୋଇଠିରେ ସମସ୍ୟା ଯୋଗୁ ସେ କ୍ରିକେଟରୁ ଦୂରେଇ ରହିଛନ୍ତି। ଇତିମଧ୍ୟରେ ତାଙ୍କ ଗୋଇଠିରେ ସର୍ଜରୀ ହୋଇସାରିଛି। କିନ୍ତୁ ସେ ସଂପୂର୍ଣ୍ଣ ଫିଟ୍ ହୋଇନାହାନ୍ତି। ଅବଶ୍ୟ ସେ ନେଟ୍ସରେ ବୋଲିଂ କରିବା ଆରମ୍ଭ କରିଛନ୍ତି। ଗତ ବିଶ୍ୱକପ୍ରେ ଦମଦାର ପ୍ରଦର୍ଶନ (୭ଟି ମ୍ୟାଚ୍ରେ ୨୪ଟି ୱିକେଟ) କରିଥିବା ଶାମି ପୁଣି ଥରେ ଟିମ୍ ଇଣ୍ଡିଆକୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହା ମଧ୍ୟରେ ତାଙ୍କୁ ନେଇ ଏକ ରୋଚକ କଥା ଜଣାପଡ଼ିଛି। ତାଙ୍କ ଘନିଷ୍ଠ ବନ୍ଧୁ ଉମେଶ କୁମାର ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଏହି ରୋଚକ କଥାଟି କହିଛନ୍ତି। ସେତେବେଳେ ସେଠାରେ ମହମ୍ମଦ ଶାମି ମଧ୍ୟ ଉପସ୍ଥିତ ଥିଲେ।
ଉମେଶ କୁମାର କହିଥିଲେ, ଶାମି ସବୁ ସହି ପାରିବ, କିନ୍ତୁ ସେ ମଟନ ବିନା ବଞ୍ଚି ପାରିବ ନାହିଁ। ବିନା ମଟନରେ ସେ ଗୋଟିଏ ଦିନ ଚଳେଇ ଦେବ। କିନ୍ତୁ ଦ୍ୱିତୀୟ ଦିନ ସେ ବିଦ୍ରୋହ କରି ଦେବ। ଆଉ ତୃତୀୟ ଦିନ ବେଳକୁ ତା’ ମୁଣ୍ଡ ଖରାପ ହୋଇଯିବ। ଯଦି ସେ (ଶାମି) ଦୈନିକ ୧ କେଜି ମଟନ ନଖାଇବ, ତା’ ବୋଲିଂର ଗତି ଘଣ୍ଟାପ୍ରତି ୧୫କିମି ହୋଇଯିବ।
ଏହି ସାକ୍ଷାତକାରରେ ଶାମିଙ୍କୁ ନେଇ ଉମେଶ କୁମାର ଆଉ ଏକ ଚାଞ୍ଚଲ୍ୟକର କଥା କହିଥିଲେ। ଯେତେବେଳେ ଶାମିଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆସିଥିଲା ଓ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା, ସେତେବେଳେ ସେ ଖୁବ୍ ଚାପଗ୍ରସ୍ତ ଥିଲେ। ଏମିତିକି ଶାମି ୧୯ ମହଲାରୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରିଥିଲେ ବୋଲି କହିଥିଲେ ଉମେଶ କୁମାର। ଫିକ୍ସିଂ ମାମଲାରେ କ୍ଲିନ୍ଚିଟ୍ ମିଳିବା ପରେ ଶାମିଙ୍କ ଖୁବ୍ ଖୁସି ହୋଇଥିଲେ ବୋଲି ସେ କହିଥିଲେ।
ଗୋଇଠି ଜନିତ ସମସ୍ୟା ଯୋଗୁ ୨୦୨୪ ଆଇପିଏଲ୍ ଓ ଟିଟ୍ୱେଣ୍ଟି ବିଶ୍ୱକପ୍ ଖେଳି ପାରି ନଥିବା ମହମ୍ମଦ ଶାମି ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ପୂରା ଫିଟ୍ ହୋଇଯାଇଥିବେ ବୋଲି ଆଶା ରଖିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
