Advertisment

ପାକିସ୍ତାନ ଟେଷ୍ଟ ଟିମ କ୍ୟାପ୍ଟେନ ପଦରୁ ତଡ଼ା ଖାଇବେ ଶାନ ମସୁଦ!

ଶାନ ମସୁଦଙ୍କ ନେତୃତ୍ୱରେ ପାକିସ୍ତାନ କ୍ରମାଗତ ୬ଟି ମ୍ୟାଚ୍‌ ହାରି ସାରିଲାଣି। ଗତବର୍ଷ ନଭେମ୍ବର ମାସରେ ମସୁଦଙ୍କୁ ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ କରାଯାଇଥିଲା।

author-image
Hemant Lenka
Shan Masood

Shan Masood

ପାକିସ୍ତାନର ଟେଷ୍ଟ ଟିମର କ୍ୟାପ୍ଟେନ ପଦରୁ ବିଦା ହେବେ ଶାନ ମସୁଦ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ମସୁଦଙ୍କୁ ଏହି ପଦରୁ ହଟାଇବା ପାଇଁ ନିଷ୍ପତ୍ତି ନେଇ ସାରିଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଶାନ ମସୁଦଙ୍କ କ୍ୟାପ୍ଟେନ୍ସିରେ ପାକିସ୍ତାନ ଘରୋଇ ମାଟିରେ କୌଣସି ବି ଟେଷ୍ଟ ଏଯାଏ ଜିତିବାକୁ ସକ୍ଷମ ହୋଇନାହିଁ।

Advertisment

ଇଂଲଣ୍ଡ ଠାରୁ ମୁଲତାନରେ ଲଜ୍ଜାଜନକ ଭାବେ ପାକିସ୍ତାନ ପ୍ରଥମ ଟେଷ୍ଟରେ ହାରିବା ପରେ ମସୁଦଙ୍କ ଅଡ଼ୁଆ ବଢ଼ି ଯାଇଛି। ମ୍ୟାଚ୍‌ ପରେ ଅଧିନାୟକ ଭାବେ ମସୁଦ ମଧ୍ୟ ଇନିଂସ ପରାଜୟକୁ ନେଇ ନିଜର ହତାଶା ଭାବ ଦେଖାଇଛନ୍ତି।

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ କୌଣସି ଟିମ ପ୍ରଥମ ଇନିଂସରେ ୫୫୦ରୁ ଅଧିକ ରନ କରିବା ପରେ ଇନିଂସ ପରାଜୟ ବରଣ କରିଛି। ପାକିସ୍ତାନ ପ୍ରଥମ ଇନିଂସରେ ୫୫୬ ରନ କରିଥିଲା। ଏହାପରେ ଦଳ ଇଂଲଣ୍ଡ ଠାରୁ ଗୋଟିଏ ଇନିଂସ ଓ ୪୭ ରନରେ ହାରି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି।

Advertisment

ଏପରି ଘଟଣା ପରେ ପାକିସ୍ତାନର ସାମା ଟିଭିରେ ବଡ଼ ଖବର ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଇଂଲଣ୍ଡ ବିପକ୍ଷ ୩ ଟିକିଆ ଟେଷ୍ଟ ସିରିଜ ପରେ ଶାନ ମସୁଦଙ୍କୁ ଅଧିନାୟକ ପଦରୁ ହଟାଯିବ। ତାଙ୍କ ବଦଳରେ ସୌଦ ଶକୀଲ, ମହମ୍ମଦ ରିଜୱାନ ଓ ସଲମାନ ଅଲୀ ଆଘାଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଟେଷ୍ଟ ଟିମର କମାଣ ସମ୍ଭାଳିବେ। ତେବେ ଏ ସମ୍ପର୍କରେ ପିସିବି ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମସୁଦ ୧୫୧ ରନ କରିଥିଲେ। ଦଳ ୫୫୬ ରନ କରି ଅଲଆଉଟ ହେବା ପରେ ଇଂଲିଶ ଟିମ ଇନିଂସ ଆରମ୍ଭ କରିଥିଲା। ହ୍ୟାରୀ ବ୍ରୁକଙ୍କ ୩୧୭ ଓ ଜୋ ରୁଟଙ୍କ ୨୬୨ ରନ ବଳରେ ୭ ୱିକେଟ ହରାଇ ୮୨୩ କରିବା ପରେ ପାଳି ଘୋଷଣା କରିଥିଲା। ୨୬୭ ରନ ପଛରେ ଥିବା ପାକିସ୍ତାନ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୨୦ ରନରେ ଅଲଆଉଟ ହୋଇଯାଇଥିଲା।

ଶାନ ମସୁଦଙ୍କ ନେତୃତ୍ୱରେ ପାକିସ୍ତାନ କ୍ରମାଗତ ୬ଟି ମ୍ୟାଚ୍‌ ହାରି ସାରିଲାଣି। ଗତବର୍ଷ ନଭେମ୍ବର ମାସରେ ମସୁଦଙ୍କୁ ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ କରାଯାଇଥିଲା। ପ୍ରଥମେ ତାଙ୍କ ନେତୃତ୍ୱରେ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଥିଲା।

ସେଠାରେ ଦଳକୁ ୦-୩ରେ ହାରିବାକୁ ପଡ଼ିଥିଲା। ଏହାପରେ ବାଂଲାଦେଶ ଠାରୁ ପାକତସ୍ତାନରେ ୦-୨ରେ ଲଜ୍ଜାଜନକ ପରାଜୟ ବରଣ କରିବାକୁ ପଡ଼ିଥିଲା। ଏବେ ଇଂଲଣ୍ଡ ଠାରୁ ୩ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ହାରିବାକୁ ପଡ଼ିଛି।

Pakistan Test Cricket Shan Masood