Advertisment

T20 World Cup: ହେଟମେୟରଙ୍କ ବିସ୍ଫୋରଣ ଓ ଶେଫର୍ଡଙ୍କ ହ୍ୟାଟ୍ରିକ, ହାରିଲା ସ୍କଟଲ୍ୟାଣ୍ଡ

ବ୍ୟାଟିଂରେ ହେଟମେୟର ୩୬ ବଲରେ ବିସ୍ଫୋରକ ୬୪ ରନର ଇନିଂସ ଖେଳିଥିଲେ। ବୋଲିଂରେ କମାଲ କରିଛନ୍ତି ଶେଫର୍ଡ। ସେ ଚଳିତ ଟି-୨୦ ବିଶ୍ୱକର ଅର୍ଜନ କରିଛନ୍ତି ପ୍ରଥମ ହ୍ୟାଟ୍ରିକ।

author-image
Hemant Lenka
Sherpord

ହ୍ୟାଟ୍ରିକ ପରେ ଶେଫର୍ଡ

ବିଜୟରୁ ନିଜର ଟି-୨୦ ବିଶ୍ୱକପ(T20 World Cup) ଅଭିଯାନ ଆରମ୍ଭ କରିଛି ୱେଷ୍ଟଇଣ୍ଡିଜ। କୋଲାକତାର ଇଡେନ ଗାର୍ଡେନ୍ସରେ ଦଳ ସ୍କଟଲ୍ୟାଣ୍ତକୁ ୩୫ ରନରେ ପରାସ୍ତ କରି ଦେଇଛି। ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡ ଚଳିତ ଟି-୨୦ ବିଶ୍ୱକପରେ ସ୍ଥାନ ପାଇଛି। ହେଲେ ଦଳକୁ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି।

Advertisment

ଇଣ୍ଡିଜ ଟିମର ଏହି ୩୫ ରନ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି ମଧ୍ୟକ୍ରମର ଦୁର୍ଦ୍ଦଶ ବ୍ୟାଟର ଶିମରନ ହେଟମେୟର ଓ ଅଲରାଉଣ୍ଡର ରୋମାରିଓ ଶେଫର୍ଡ। ବ୍ୟାଟିଂରେ ହେଟମେୟର ୩୬ ବଲରେ ବିସ୍ଫୋରକ ୬୪ ରନର ଇନିଂସ ଖେଳିଥିଲେ। ବୋଲିଂରେ କମାଲ କରିଛନ୍ତି ଶେଫର୍ଡ। ସେ ଚଳିତ ଟି-୨୦ ବିଶ୍ୱକର ଅର୍ଜନ କରିଛନ୍ତି ପ୍ରଥମ ହ୍ୟାଟ୍ରିକ। 

୧୭ତମ ଓଭର ବୋଲିଂ କରୁଥିବା ଶେଫର୍ଡ ଦ୍ୱିତୀୟ, ତୃତୀୟ ଓ ୪ର୍ଥ ବଲରେ ହାସଲ କରିଛନ୍ତି ହ୍ୟାଟ୍ରିକ। ସେହିପରି ଶେଷ ବଲରେ ବି ତାଙ୍କୁ ୱିକେଟ ମିଳିଛି। ସେ ଗୋଟିଏ ଓଭରରେ ୪ ୱିକେଟ ନେବା ସହ କେବଳ ୧ ରନ ଖର୍ଚ୍ଚ କରିଛନ୍ତି। ଶେଫର୍ଡ ପ୍ରଥମେ ୧୧ ରନ କରିଥିବା ମାଥ୍ୟୁ କ୍ରସଙ୍କୁ ଆଉଟ କରିଥିଲେ। ଏହାପରେ ମାଇକେଲ ଲିସ୍କ ଓ ପରବର୍ତ୍ତୀ ବଲରେ ଓଲିଭର ଡାଭିସନଙ୍କୁ ଆଉଟ କରି ହ୍ୟାଟ୍ରିକ ନେଇଥିଲେ। ଗୋଟିଏ ବଲ ପରେ ଓସାଫୟାନ ଶରିଫଙ୍କ ୱିକେଟ ମଧ୍ୟ ତାଙ୍କ ଶିକାର ବନିଥିଲେ। 

Advertisment

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୨ ରନ କରିଥିଲା। ହେଟମେୟରଙ୍କ ବ୍ୟତୀତ ବ୍ରାଣ୍ଡନ କିଙ୍ଗ ୩୫, ଅଧିନାୟକ ସାଇ ହୋପ ୧୯, ରୋଭମନ ପାୱେଲ ୧୪ ବଲରେ ୨୪, ଶେର୍ଫନ ରଥରଫୋର୍ଡ ୧୩ ୨୬ ରନର ଇନିଂସ ଖେଳିଥିଲେ। 

୧୮୩ ରନର ପିଛା କରୁଥିବା ସ୍କଟଲ୍ୟାଣ୍ଡ ଆରମ୍ଭରୁ ହିଁ ଝୁଣ୍ଟିଥିଲା। ବଡ଼ ଶଟ ଖେଳିବା ଲୋଭରେ ମାଇକେଲ ଜୋନ୍ସ କେବଳ ୧ ରନ କରି ଜାସନ ହୋଲ୍ଡରଙ୍କ ବଲରେ ଆଉଟ ହୋଇଥିଲେ। ବ୍ରାଣ୍ଡନ ମ୍ୟାକମୁଲେନ ୧୪ ଓ ଜର୍ଜ ମୁନସୀ କେବଳ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ। ମଧ୍ୟକ୍ରମରେ ଅଧିନାୟକ ରିଚି ବେରିଙ୍ଗଟୋନ(୪୫) ଓ ଟମ ବ୍ରୁସ(୩୫) ଲଢ଼େଇ କରିବାରୁ ସ୍କଟଲ୍ୟାଣ୍ଡ ନିଜକୁ ରନ ଚେଜରେ ବଜାୟୀ ରଖିଥିଲା। ହେଲେ ଉଭୟ ଆଉଟ ହେବା ପରେ ସ୍କଟଲ୍ୟାଣ୍ଡର ବ୍ୟାଟିଂ ଲାଇନ ଅପ ତାସର ଘର ଭଳି ଭୁଶୁଡ଼ି ପଡ଼ିଥିଲା।

୧୭ତମ ଓଭରରେ ଦଳ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶେଫର୍ଡଙ୍କ ହ୍ୟାଟ୍ରିକ ଓ ହୋଲ୍ଡରଙ୍କ ବୋଲିଂ ଆଗରେ ମାଟି କାମୁଡ଼ିଥିଲା ସ୍କଟଲ୍ୟାଣ୍ଡ।

ମାଥ୍ୟୁ କ୍ରସ ୧୧ ଓ ମାର୍କ ୱାଟ ୧୫ ରନ କରିଥିବା ବେଳେ ମାଇକେଲ ଲିସ୍କ, ଓଲିଭର ଡାଭିସନ ଓ ସାଫୟାନ ଶରିଫ ଖାତା ଖୋଲି ପାରି ନଥିଲେ। ଶେଷରେ ସ୍କଟଲ୍ୟାଣ୍ଡ ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନରେ ଅଟକି ଯାଇଥିଲା। 

ଇଣ୍ଡିଜ ଟିମ ପକ୍ଷରୁ ରୋମରିଓ ଶେଫର୍ଡ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ଜାସନ ହୋଲ୍ଡର ୩ଟି ଓ ଶାମର ଜୋସେଫ ଗୋଟିଏ ସଫଳତା ହାସଲ କରିଛନ୍ତି। 

T20 World Cup