/odisha-reporter/media/post_attachments/uploadimage/library/16_9/16_9_0/Pakistan_1740389171.jpg)
Pakistan
ଚାମ୍ପିୟନ୍ସ ଟ୍ରଫିର ସବୁଠାରୁ ବଡ଼ ମୁକାବିଲା ରବିବାର ଶେଷ ହୋଇଛି। ରବିବାର ଦୁବାଇରେ ମୁହାଁମୁହିଁ ହୋଇଥିଲେ ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନର ରେକର୍ଡ ଭଲ ଥିଲେ ହେଁ ଭାରତ ଆଗରେ ଦଳ ରବିବାର ମ୍ୟାଚ୍ରେ ଧରାଶାୟୀ ହୋଇଛି। ଫର୍ମ ପାଇଁ ସଂଘର୍ଷ କରୁଥିବା ରନ ମେସିନ ବିରାଟ କୋହଲି ସ୍ମରଣୀୟ ଶତକ ହାସଲ କରିବାରୁ ଭାରତ ସାଢ଼େ ୭ ଓଭର ପୂର୍ବରୁ ପାକିସ୍ତାନକୁ ୬ ୱିକେଟରେ ହରାଇ ଦେଇଛି। ଏଥିସହ ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ଭାରତୀୟ ଟିମ ପାକିସ୍ତାନ ଠାରୁ ନେଇଛି। ୮ ବର୍ଷ ତଳେ ଖେଳା ଯାଇଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ୧୮୦ ରନରେ ଭାରତକୁ ହରାଇ ପ୍ରଥମଥର ପାଇଁ ଚାମ୍ପିୟନ ହୋଇଥିଲା।
ଏବେ ଭାରତ ୨୦୨୫ରେ ଏହା ବଦଲା ନେଇଛି। ରବିବାର ମ୍ୟାଚ୍ ସଂପୂର୍ଣ୍ଣ ଭାବେ ଏକତରଫା ରହିଥିଲା। ଭାରତୀୟ ଟିମର ରଣନୀତି ଆଗରେ ପାକିସ୍ତାନର କୌଣସି ଖେଳାଳି ଆଦୌ ତିଷ୍ଠି ନଥିଲେ। ଟସ୍ ଜିତି ପାକିସ୍ତାନ ପ୍ରଥମେ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୪୧ ରନ କରିଥିଲା। ଏହାର ଜବାବରେ ପାକିସ୍ତାନ ବୋଲରଙ୍କୁ ଭାରତୀୟ ବ୍ୟାଟରମାନେ ଜବରଦସ୍ତ ଧୂଲେଇ କରିଥିଲେ।
ଅଧିନାୟକ ରୋହିତ ଶର୍ମା ୧୫ ବଲରେ ୨୦, ଶୁବମନ ଗିଲ ୪୬, ବିରାଟ କୋହଲି ଅପରାଜିତ ୧୦୦, ଶ୍ରେୟସ ଆୟରଙ୍କ ୫୬, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୮ ଓ ଅକ୍ଷର ପଟେଲଙ୍କ ଅପରାଜିତ ୩ ରନ ବଳରେ ଭାରତ ମ୍ୟାଚ୍କୁ ୪୨.୩ ଓଭରରେ ଜିତି ନେଇଥିଲା। ଭାରତକୁ ଜିତିବା ପାଇଁ ୨ ରନ ଦରକାର ଥିବା ବେଳେ ବିରାଟ ଶତକ ଠାରୁ ୪ ରନ ଦୂରରେ ଥିଲେ। ଏତିକି ବେଳେ ସେ ଖୁସଦିଲ ଶାହଙ୍କୁ ଚୌକା ମାରି ନିଜ ଦିନିକିଆ କ୍ୟାରିୟରର ୫୧ତମ ଶତକ ହାସଲ କରିଥିଲେ। ୨୦୨୩ ଦିନିକିଆ ବିଶ୍ୱକପ ସେମି ଫାଇନାଲ ପରେ ବିରାଟ କୌଣସି ୫୦ ଓଭର ଫର୍ମାଟରେ ପ୍ରଥମ ସେଞ୍ଚୁରୀ ହାସଲ କରିଛନ୍ତି।
ତେବେ ଭାରତ ଠାରୁ ପୁଣି ଗୋଟିଏ ଆଇସିସି ଇଭେଣ୍ଟରେ ହାରିବା ପରେ ପାକିସ୍ତାନକୁ ଚାରିଆଡ଼ୁ ସମାଲୋଚନା ହେବାକୁ ପଡ଼ୁଛି। ବିଶେଷ କରି ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଥିବା ବେଳେ ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ଘଟଣାକୁ ଫ୍ୟାନ୍ସ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ପାକିସ୍ତାନ ଟିମ ଓ ଏହାର ଖେଳାଳିଙ୍କୁ ପୂର୍ବତନ କ୍ରିକେଟରଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ଛି ଛି କରିବାରେ ଲାଗିଛନ୍ତି।
କିଛି ଫ୍ୟାନ୍ସ ପାକିସ୍ତାନ ପରାଜୟକୁ ସହଜରେ ଗ୍ରହଣ ନ କରିପାରି କାନ୍ଦି ପକାଇଛନ୍ତି। ସେମାନେ ନିଜର ନିରାଶା ଭାବ ମଧ୍ୟ ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ଟିମ ତୁଳନାରେ ଭାରତୀୟ ଦଳ ବହୁତ ଆଗରେ ରହିଛି। ପାକିସ୍ତାନ ଟିମ ପୂରା ଚାପ ଓ ଭୟରେ ମ୍ୟାଚ ଖେଳିଛି। ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଜିତିବାର ଜୋଶ ଆଦୌ ନଥିଲା ବୋଲି ଫ୍ୟାନ୍ସମାନେ କହିଛନ୍ତି।
ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ନିଜ ଦେଶର ଖେଳାଳିଙ୍କୁ ସମାଲୋଚନା କରିବାକୁ ଆଦୌ ପଛାଇ ନାହାନ୍ତି। ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଓ କିମ୍ବଦନ୍ତୀ କ୍ରିକେଟର ୱାସିମ ଆକ୍ରମ ପରାଜୟ ପାଇଁ ସିଧାସଳଖ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟକୁ ତୀବ୍ର ସମାଲୋଚନା କରିଛନ୍ତି। ଭାରତ ଠାରୁ ହାରିବା ପରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିକୁ ଏକ ପ୍ରକାରର ବିଦାୟ ନେବା ନିଶ୍ଚିତ ହୋଇଛି। ଏଥିପାଇଁ ସମସ୍ତେ ଟିମକୁ ଆହୁରି ଜୋରରେ ଗାଳି ଦେଉଛନ୍ତି।
ପରାଜୟ ଯୋଗୁ ଅଖତର ପୂରା ଭାଙ୍ଗି ପଡ଼ିଛନ୍ତି। ସେ ପାକିସ୍ତାନ ଟିମ ଉପରେ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ସେ କହିଛନ୍ତି, “ମୋତେ ଟଙ୍କା ଦିଆଯାଇ ନଥିଲେ ମଧ୍ୟ ମୁଁ ପାକିସ୍ତାନ କ୍ରିକେଟ ବିଷୟରେ କିଛି ବି କହି ନଥାଆନ୍ତି। ସତ କଥା ହେଉଛି ଯେ ସେମାନଙ୍କ ସହ ମୋର କିଛି ବି ସମ୍ପର୍କ ନାହିଁ। ମୋତେ ଏଠାକୁ ଆସିବାକୁ ଅନୁରୋଧ କରାଯାଇଥିଲା ଓ ମୁଁ ଆସିଛି। ସେମାନଙ୍କ ସମ୍ପର୍କରେ କିଛି ଖରାପ କହିବାର ଏଜେଣ୍ଡା ମୋର ନାହିଁ। କାହିଁକି ମୁଁ ମୋର ସମୟ ନଷ୍ଟ କରିବି?”
ଅଖତର ନିଜ ଭିଡିଓ ବାର୍ତ୍ତାରେ ପାକିସ୍ତାନ ଟିମ ମ୍ୟାନେଜମେଣ୍ଟକୁ ତୀବ୍ର ସମାଲୋଚନା କରି ବ୍ରେନଲେସ ଓ କ୍ଲ୍ୟୁଲେସ ବୋଲି କହିଛନ୍ତି। ସେ କହିଛନ୍ତି, “ଆପଣମାନେ ଦୁଇ ଜଣ ଅଲରାଉଣ୍ଡରଙ୍କ ସହ ମ୍ୟାଚ୍ ଖେଳୁଛନ୍ତି। କିନ୍ତୁ ଏହା କେବଳ ବ୍ରେନଲେସ ଓ କ୍ଲ୍ୟୁଲେସ ମ୍ୟାନେଜମେଣ୍ଟ। ମୁଁ ପୂରା ମର୍ମାହତ। ପୂରା ବିଶ୍ୱ ୬ ଜଣ ବୋଲରଙ୍କୁ ନେଇ ଖେଳୁଥିବା ବେଳେ ପାକିସ୍ତାନ ୫ ଜଣଙ୍କୁ ଧରି ମୈଦାନକୁ ଓହ୍ଲାଉଛି।
ଦଳରେ ନେତୃତ୍ୱର ଅଭାବ ରହିଛି। ଆପଣ କେବେ ହେଲେ ଯୁବ ଖେଳାଳିଙ୍କୁ ଦୋଷ ଦେଇ ପାରିବେ ନାହିଁ। ସେମାନେ ଟିମ ମ୍ୟାନଜେମେଣ୍ଟ ଭଳି। ସେମାନେ କ’ଣ କରିବେ ନିଜେ ଜାଣି ନାହାନ୍ତି। ରୋହିତ ଶର୍ମା, ବିରାଟ କୋହଲି ଓ ଶୁବମନ ଗିଲଙ୍କ ଭଳି ସ୍କିଲ ସେମାନଙ୍କ ପାଖରେ ନାହିଁ। ସେମାନେ କିଛି ବି ଜାଣି ନାହାନ୍ତି। ମ୍ୟାନେଜମେଣ୍ଟ ମଧ୍ୟ କିଛି ଜାଣିନି। ଦଳ କ’ଣ କରିବ, ସେକଥା ମଧ୍ୟ କେହି ଜାଣି ନାହାନ୍ତି।”
ୱାସିମ ଆକ୍ରମ ବି ଅଖତରଙ୍କ କଥାରେ ଏକମତ ହୋଇଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡକୁ ସେ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି। ଆକ୍ରମ କହିଛନ୍ତି, “ବର୍ଷ ବର୍ଷ ଧରି ଆମେ ପ୍ରାଚୀନ କ୍ରିକେଟ ଧଳା ବଲ ମ୍ୟାଚ୍ରେ ଖେଳି ଆସୁଛୁ। ଏଥିରେ ପରିବର୍ତ୍ତନ ଆବଶ୍ୟକ। ଦୁର୍ଦ୍ଦଶ କ୍ରିକେଟର ଓ ଯୁବକମାନଙ୍କୁ ଟିମକୁ ଆଣନ୍ତୁ। ଯଦି ଏଥିପାଇଁ ଆପଣଙ୍କୁ ୫ରୁ ୬ ପରିବର୍ତ୍ତନ ଦରକାର, ତା’ହେଲେ କରନ୍ତୁ। ଆପଣଙ୍କୁ ୬ ମାସ ଯାଏ ହାରିବାକୁ ପଡ଼ିବ। କିନ୍ତୁ ଏବେଠାରୁ ୨୦୨୬ ଟି-୨୦ ବିଶ୍ୱକପର ପାଇଁ ଟିମ ତିଆରି କରନ୍ତୁ।”
ପାକିସ୍ତାନ ବୋଲିଂ ମଧ୍ୟ ଏବେ ଚିନ୍ତାର ବିଷୟ ବୋଲି ଆକ୍ରମ କହିବା ସହ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି, “ବହୁତ ହୋଇଗଲା। ଆପଣ ସେମାନଙ୍କୁ ଷ୍ଟାର କରିଛନ୍ତି। କିନ୍ତୁ ଶେଷ ୫ ଦିନିକିଆରେ ପାକିସ୍ତାନ ବୋଲରମାନେ ୬୦ ହାରରେ କେବଳ ୨୪ଟି ୱିକେଟ ନେଇଛନ୍ତି। ଏହାର ଅର୍ଥ ୬୦ ରନରେ ଗୋଟିଏ ୱିକେଟ। ଆମର ଆଭରେଜ ଓମାନ ଓ ଆମେରିକା ଠାରୁ ଖରାପ। ଦିନିକିଆ ଖେଳୁଥିବା ୧୪ଟି ଦଳ ମଧ୍ୟରୁ ପାକିସ୍ତାନର ବୋଲିଂ ହାର ସବୁଠାରୁ ଖରାପ।”
ଆକ୍ରମ ଭାରତ ବିପକ୍ଷ ମ୍ୟାଚ୍ରେ ପାକିସ୍ତାନର ଚୂଡ଼ାନ୍ତ ଏକାଦଶର ଚୟନକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡ ମୁଖ୍ୟ ମୋହସିନ ନକବୀ ଦଳର ଦୁର୍ବଳତାକୁ ଅଣଦେଖା କରିଥିବା ଆକ୍ରମ ମତ ରଖିଛନ୍ତି।
କେବଳ ଆକ୍ରମ କିମ୍ବା ଅଖତର ନୁହନ୍ତି ଆହୁରି ଅନେକ ପୂର୍ବତନ କ୍ରିକେଟ ମଧ୍ୟ ପାକିସ୍ତାନ ଟିମକୁ ତୀବ୍ର ସମାଲୋଚନା କରିଛନ୍ତି। ପାକିସ୍ତାନ ଫ୍ୟାନ୍ସ ମଧ୍ୟ ନିଜର ନିରାଶା ଭାବ ପ୍ରଦର୍ଶନ କରିଛନ୍ତି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଠାରୁ ହାରିବା ପରେ ପାକିସ୍ତାନ ଫ୍ୟାନ୍ସ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ସେମାନେ ନା କୋହ ସମ୍ଭାଳି ପାରିଛନ୍ତି ନା ନିଜର ଅସନ୍ତୋଷକୁ ମନ ଭିତରେ ରଖି ପାରିଛନ୍ତି।
ସେମାନେ ଗଣମାଧ୍ୟମ ଓ ସୋଶାଲ ମିଡିଆରେ ନିଜ ଦେଶର ଟିମକୁ ସାମାଲୋଚନା କରିଛନ୍ତି। ପାକିସ୍ତାନ ଫ୍ୟାନ୍ସ ଟିମ୍ ଇଣ୍ଡିଆକୁ ପ୍ରଶଂସା କରିବାକୁ ବି ପଛାଇ ନାହାନ୍ତି। ସେମାନେ ପାକିସ୍ତାନ ଟିମ୍ର ଖେଳିଙ୍କ ଫିଟ୍ନେସ ଉପରେ ପ୍ରଶ୍ନ ଉଠାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
