Advertisment

Shreyas Iyer: ଆଇସିୟୁରେ ମ୍ୟାଚ୍‌ ବେଳେ ଆହତ ହୋଇଥିବା ଶ୍ରେୟସ ଆୟର, ପୁଅକୁ ଦେଖିବାକୁ ବାପା ମା’ ବିକଳ

ସେ ଆଲେକ୍ସ କେରୀଙ୍କ କ୍ୟାଚ୍‌ ଧରିବା ବେଳେ ତାଙ୍କ ବାମ ପଟ ପିଞ୍ଜରାରେ ଗଭୀର ଆଘାତ ଲାଗିଥିଲା। କେରୀ ଆଉଟ ହୋଇଥିଲେ ହେଁ ଆହତ ସମସ୍ୟା ଯୋଗୁ ତୁରନ୍ତ ପଡ଼ିଆ ଛାଡ଼ିଥିଲେ ଆୟର।

author-image
Hemant Lenka
Shreyas Iyer

ଆହତ ଶ୍ରେୟସ ଆୟର

ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଟିମ ଇଣ୍ଡିଆର ନୂଆ ଉପ ଅଧିନାୟକ ଶ୍ରେୟସ ଆୟର। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳେ ଆହତ ହୋଇଥିବା ଶ୍ରେୟସ ଆୟର(Shreyas Iyer)ଙ୍କ ଚିକିତ୍ସା ଏବେ ସିଡ୍‌ନୀର ଗୋଟିଏ ହସ୍ପିଟାଲରେ ଚାଲିଛି। ଅଷ୍ଟ୍ରେଲିଆ(Australia) ବିପକ୍ଷ ତୃତୀୟ ଦିନିକିଆ(ODI)ରେ ଆହତ ହୋଇଥିଲେ ଶ୍ରେୟସ।

Advertisment

ସେ ଆଲେକ୍ସ କେରୀଙ୍କ କ୍ୟାଚ୍‌ ଧରିବା ବେଳେ ତାଙ୍କ ବାମ ପଟ ପିଞ୍ଜରାରେ ଗଭୀର ଆଘାତ ଲାଗିଥିଲା। କେରୀ ଆଉଟ ହୋଇଥିଲେ ହେଁ ଆହତ ସମସ୍ୟା ଯୋଗୁ ତୁରନ୍ତ ପଡ଼ିଆ ଛାଡ଼ିଥିଲେ ଆୟର। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆସିୟୁରେ ଭର୍ତ୍ତି କରାଯାଇଛି। 

ଟିମ ଇଣ୍ଡିଆ ସୂତ୍ରରୁ ଜଣାପଡ଼ିଛି ଯେ ଶନିବାର ଠାରୁ ଆୟର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପିଞ୍ଜରରେ ମାଡ଼ ଯୋଗୁ ତାଙ୍କର ସ୍କାନ ହୋଇଥିଲା। ଆଭ୍ୟନ୍ତରୀଣ ରକ୍ତସ୍ରାବ କଥା ରିପୋର୍ଟରୁ ଜଣାପଡ଼ିବା ପରେ ଶନିବାର ଠାରୁ ହିଁ ଆୟର ଆସିୟୁରେ ରହିଛନ୍ତି। ଏବେ ସେ ୭ ଦିନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ହସ୍ପିଟାଲରେ ରହିବେ। ରକ୍ତସ୍ରାବ ଯୋଗୁ ସଂକ୍ରମଣର ଭୟ ସୃଷ୍ଟି ହୋଇଛି। ତେଣୁ ତାଙ୍କୁ ଆସିୟୁରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଥିବା ଏହି ସୂତ୍ରରେ କୁହାଯାଇଛି। 

Advertisment

ଶନିବାର ମ୍ୟାଚ୍‌ ବେଳେ ଆହତ ହୋଇଥିବା ଶ୍ରେୟସ କିଛି ସମୟ ଡ୍ରେସିଂ ରୁମରେ ରହିଥିଲେ। ଏହି ସମୟରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟେଙ୍ଗରେ ସମସ୍ୟା ଦେଖାଯାଇଥିଲା। ଏହା ଉପରେ ନଜର ରଖିଥିବା ବିସିସିଆଇର ମେଡିକାଲ ଟିମ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇଥିଲା। ଟିମ ଡାକ୍ତର ଓ ଫିଜିଓ କୌଣସି ପ୍ରକାରର ରିକ୍ସ ନନେଇ ଆୟରଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।

ଏବେ ସେଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଯଦି ଠିକଣା ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନଥାଆନ୍ତା, ତା’ହେଲେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାର ଆଶଙ୍କା ରହିଥିଲା। ଆୟର ଯଥାଶୀଘ୍ର ସୁସ୍ଥ ହୋଇ ଭାରତ ଫେରିବେ ବୋଲି ମଧ୍ୟ ବିସିସିଆଇ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି। 

ପିଞ୍ଜରରେ ଆଘାତ ଯୋଗୁ ପ୍ରଥମେ ଆୟର ୩ ସପ୍ତାହ କ୍ରିକେଟ(Cricket) ପଡ଼ିଆରୁ ଦୂରେଇ ରହିବେ ବୋଲି କୁହାଯାଉଥିଲା। କିନ୍ତୁ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁ ସେ ଫିଟ ହେବାକୁ ଅଧିକ ସମୟ ଲାଗିପାରେ। ସେ କେବେ କ୍ରିକେଟ ପଡ଼ିଆକୁ ଫେରିବେ, ସେକଥା କହିବା ବେଶ ମୁସ୍କିଲ ବୋଲି ଜଣାପଡ଼ିଛି। 

ଅନ୍ୟପକ୍ଷରେ ଆୟର ଆସିୟୁରେ ରହିଥିବା ବିସିସିଆଇ ନିଶ୍ଚିତ କରିବା ପରେ ଭାରତରେ ଥିବା ତାଙ୍କ ବାପା ମା’ ପୂରା ବିଚଳିତ ହୋଇପଡ଼ିଛନ୍ତି। ସେମାନେ ସିଡ୍‌ନୀ ଯାଇ ପୁଅକୁ ଦେଖାକରିବାକୁ ଚାହୁଁଛନ୍ତି। ଏଥିପାଇଁ ଉଭୟ ତତ୍କାଳ ଭିସା ପାଇଁ ଆବେଦନ କରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଆୟରଙ୍କ ବାପା ମା’ଙ୍କ ଭିସା ଆବେଦନକୁ ଗ୍ରହଣ କରାଯାଇଛି କି ନାହିଁ, ସେକଥା ଜଣାପଡ଼ିନାହିଁ। 

ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ବୋର୍ଡର ମେଡିକାଲ ଟିମ ଏବେ ସିଡ୍‌ନୀ ଓ ଭାରି ସ୍ପେଶାଲିଷ୍ଟ ଡାକ୍ତରଙ୍କ ଯୋଗାଯୋଗରେ ରହିଛି। ଡାକ୍ତରୀ ଟିମ ବେଶ ତୀକ୍ଷ୍ଣ ଭାବେ ଆୟରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଟିମ ଇଣ୍ଡିଆ(Indian Cricket Team)ର ଡାକ୍ତର ସିଡ୍‌ନୀରେ ଆୟରଙ୍କ ସହ ରହିଛନ୍ତି। ସେ ପୂରା ସ୍ଥିତି ଉପରେ ନଜର ରଖିଛନ୍ତି। 

Indian Cricket Team Cricket Australia Shreyas Iyer ODI