Advertisment

ଗିଲଙ୍କ ୯୨, ବିରାଟଙ୍କ ୮୮ ଓ ଆୟରଙ୍କ ବିସ୍ଫୋରକ ୮୨: ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ

ଭାରତ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ହରଇ ୩୫୭ ରନ କରିଛି।

India

India

Advertisment

ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଗର୍ଜିଛି ୩ ଭାରତୀୟଙ୍କ ବ୍ୟାଟର। ଶୁବମନ ଗିଲଙ୍କ ୯୨, ବିରାଟ କୋହଲିଙ୍କ ୮୮ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ୮୨ ରନ ବଳରେ ମୁମ୍ବାଇର ୱାଙ୍ଖେଡେରେ ବଡ଼ ସ୍କୋର କରିଛି ଟିମ ଇଣ୍ଡିଆ। ଶ୍ରୀଲଙ୍କାର ଦ୍ରୁତ ବୋଲର ଦିଲସାନ ମଧୁଶଙ୍କାଙ୍କ ୫ ସଫଳତା ସତ୍ତ୍ୱେ ଭାରତ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ ହରଇ ୩୫୭ ରନ କରିଛି। ଫଳରେ ଶ୍ରୀଲଙ୍କାକୁ ବିଶ୍ୱକପର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଜିତିବା ପାଇଁ ୩୫୮ ରନର ଟାର୍ଗେଟ ମିଳିଛି। ମଧୁଶଙ୍କା ପ୍ରଥମଥର ପାଇଁ ବିଶ୍ୱକପରେ ୫ ୱିକେଟ ସଫଳତା ପାଇଛନ୍ତି।

Advertisment

ଟସ୍‌ ହାରି ମୁମ୍ବାଇର ୱାଙ୍ଖେଡେରେ ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ଇନିଂସର ଦ୍ୱିତୀୟ ବଲରେ ହିଁ ଅଧିନାୟକ ରୋହିତ ଶର୍ମା(୪)ଙ୍କୁ ହରାଇଥିଲା। ତାଙ୍କ ୱିକେଟ ମଧୁଶଙ୍କା ନେଇଥିଲେ। ଏହାପରେ ବିରାଟ କୋହଲି ଓ ଶୁବମନ ଗିଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଦ୍ରୁତଗତିରେ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ଏଥିସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଅର୍ଦ୍ଧଶତକ ହାସଲ କରିବା ପରେ ଉଭୟ ଗିୟର ବଦଳାଇଥିଲେ। ଲାଗୁଥିଲା ଗିଲ ଓ ବିରାଟ ଶତକ ହାସଲ କରିବେ। କିନ୍ତୁ ପ୍ରଥମେ ଗିଲ ୯୨ ବଲରେ ୯୨ ରନ କରି ମଧୁଶଙ୍କାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ତା’ ପରେ ସେ ବିରାଟ କୋହଲି(୮୮)ଙ୍କ ୱିକେଟ ମଧ୍ୟ ନେଇଥିଲେ।

Advertisment

ଦଳୀୟ ସ୍କୋର ୧୯୬ ଥିବା ବେଳେ ଦଳ ବିରାଟଙ୍କୁ ହରାଇଥିଲା। ଏତିକି ବେଳେ ଆୟର ଓ କେଏଲ ରାହୁଲ କାଉଣ୍ଟର ଆଟାକ ଆରମ୍ଭ କରିଥିଲେ। ବିଶେଷ କରି ଆୟରଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ରାହୁଲ ତାଙ୍କୁ ସାଥ ଦେବାକୁ ଚେଷ୍ଟା କରିଥିଲେ ହେଁ କେବଳ ୨୧ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଦୁଷ୍ମନ୍ତ ଚାମୀରାଙ୍କ ଖାତାକୁ ଯାଇଛି।

ସୂର୍ଯ୍ୟ କୁମାର ଯାଦବ ୨ଟି ଚୌକା ମାରିଥିଲେ ହେଁ କେବଳ ୧୨ ରନ କରିଥିଲେ। ତାଙ୍କ ୱିକେଟ ବି ମଧୁଶଙ୍କା ନେଇଥିଲେ। ଭାରତ ଲଗାତର ଦୁଇଟି ୱିକେଟ ହରାଇଥିଲେ ହେଁ ଆୟର ବଡ଼ବଡ଼ ଶଟ ଖେଳିବା ବନ୍ଦ କରି ନଥିଲେ। ଏଥିସହ ଚଳିତ ବିଶ୍ୱକପରେ ନିଜର ଦ୍ୱିତୀୟ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ସେ ଶତକ ଆଡ଼କୁ ଯାଉଥିବା ବେଳେ ୪୮ତମ ଓଭର ବୋଲିଂ କରିବାକୁ ଆସିଥିଲେ ମଧୁଶଙ୍କା। ତାଙ୍କର ପ୍ରଥମ ଦୁଇଟି ବଲରେ ୨ଟି ଛକା ମାରି ଆୟର ନିଜର ବିସ୍ଫୋରକ ରୂପ ଦେଖାଇଥିଲା। କିନ୍ତୁ ତୃତୀୟ ବଲରେ ସେ ବଡ଼ ଶଟ ମାରିବାକୁ ଯାଇ ଆଉଟ ହୋଇଯାଇଥିଲେ। ଆୟରଙ୍କୁ ଆଉଟ କରି ମଧୁଶଙ୍କା ନିଜର ୫ମ ୱିକେଟ ଦଖଲ କରିଥିଲେ।

୫୬ ବଲରେ ୮୨ ରନର ଇନିଂସ ଖେଳିଥିବା ଆୟର ୬ଟି ଛକା ଓ ୩ଟି ଚୌକା ମାରିଛନ୍ତି। ଆୟରଙ୍କ ପରେ ମହମ୍ମଦ ଶାମିଙ୍କୁ ସାଥୀ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ ରବୀନ୍ଦ୍ର ଜାଡେଜା। ସେ ଗୋଟିଏ ଚୌକା ଓ ଛକା ମାରି ୪୯ ଓଭର ସୁଦ୍ଧା ଦଳୀୟ ସ୍କୋରକୁ ୩୫୨ରେ ପହଞ୍ଚାଇ ଦେଇଥିଲେ। ଶେଷ ଓଭର ବୋଲିଂ କରିବାବୁକ ଆସିଥିଲେ କସୁନ ରଜିଥା।

ପ୍ରଥମ ବଲରେ ଜାଡେଜା ୨ ରନ ହାସଲ କରିଥିଲେ। କିନ୍ତୁ ଦ୍ୱିତୀୟ ବଲରେ ସେ ଏକ ରନ ନେଇଥିଲେ। ଫଳରେ ଶାମିଙ୍କୁ ଷ୍ଟ୍ରାଇକ ମିଳିଥିଲା। ତୃତୀୟ ବଲରେ ଶାମି ରନ ଆଉଟ ହୋଇଯାଇଥିଲେ। ପରବର୍ତ୍ତୀ ବଲ ସାମ୍ନା କରିବାକୁ ଆସିଥିବା ଯଶପ୍ରୀତ ବୁମ୍ରା ୧ ରନ ନେଇଥିଲେ।

୫ମ ବଲରେ ଜାଡେଜା କୌଣସି ରନ କରିପାରି ନଥିଲେ। ଶେଷ ବଲରେ ସେ ୨ ରନ ନେବାକୁ ଚେଷ୍ଟା କରି ରନ ଆଉଟ ହୋଇଯାଇଥିଲେ। ଜାଡେଜା ଆଜି ୨୪ ବଲରେ ୩୫ ରନର ଇନିଂସ ଖେଳିଛନ୍ତି। ଭାରତ ୮ ୱିକେଟ ହରାଇ ୩୫୭ ରନ କରିଥିବାରୁ ଏବେ ଶ୍ରୀଲଙ୍କାକୁ ୩୫୮ ରନର ଟାର୍ଗେଟ ମିଳିଛି। 

ICC India Vs Sri Lanka ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe