Advertisment

ଦୀପାବଳିରେ ଭାରତର ରନ ବର୍ଷା, ଶ୍ରେୟସ ଓ ରାହୁଲଙ୍କ ବିସ୍ଫୋରକ ଶତକ

ବିଶେଷ କରି ଶ୍ରେୟସ ଆୟର ଓ କେଏଲ ରାହୁଲ ଖେଳିଛନ୍ତି ଶତକୀୟ ଇନିଂସ। ଆୟର ଶେଷ ଯାଏ ୧୨୮ ରନ କରି ନଟଆଉଟ ରହିଥିବା ବେଳେ ରାହୁଲ ୬୪ ବଲରେ ୧୦୨ ରନର ଇନିଂସ ଖେଳିଛନ୍ତି।

author-image
Hemant Lenka
KL Rahul

KL Rahul

ଚଳିତ ବିଶ୍ୱକପରେ ଏଯାଏ ଅପରାଜେୟ ଥିବା ଟିମ ଇଣ୍ଡିଆ ଶେଷ ମ୍ୟାଚ୍‌ରେ ମଧ୍ୟ ଦମ ଦେଖାଇଛନ୍ତି। ଦୀପାବଳି ଅବସରରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀରେ ଦଳ ମ୍ୟାଚ୍‌ ଖେଳୁଥିବା ବେଳେ ବ୍ୟାଟରମାନେ କମାଲ କରିଛନ୍ତି। ବ୍ୟାଟରଙ୍କ ଭୂସ୍ୱର୍ଗ କୁହାଯାଉଥିବା ଚିନ୍ନାସ୍ୱାମୀରେ ଗର୍ଜିଛି ଭାରତୀୟ ବ୍ୟାଟରଙ୍କ ବ୍ୟାଟ। ଦେଖିବାକୁ ମିଳିଛି ରନ ବର୍ଷା।

Advertisment

ବିଶେଷ କରି ଶ୍ରେୟସ ଆୟର ଓ କେଏଲ ରାହୁଲ ଖେଳିଛନ୍ତି ଶତକୀୟ ଇନିଂସ। ଆୟର ଶେଷ ଯାଏ ୧୨୮ ରନ କରି ନଟଆଉଟ ରହିଥିବା ବେଳେ ରାହୁଲ ୬୪ ବଲରେ ୧୦୨ ରନର ଇନିଂସ ଖେଳିଛନ୍ତି। ଶ୍ରେୟସ ଓ ରାହୁଲ ଚଳିତ ବିଶ୍ୱକପରେ ନିଜ ନିଜର ପ୍ରଥମ ଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି।

ଭାରତର ଟପ ୫ ବ୍ୟାଟରଙ୍କ ୫୦ରୁ ଅଧିକ ରନ କରି ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ଏଭଳି ରେକର୍ଡ ଭାରତ ବିରୋଧରେ ଦୁଇ ଥର କରିଥିଲା। ଆଜି ଭାରତର ଟପ୍‌ ୫ ବ୍ୟାଟର ଡଚ୍‌ ଟିମ ବିପକ୍ଷରେ ୫୦ରୁ ଅଧିକ ରନ ସ୍କୋର କରିଛନ୍ତି। ବ୍ୟାଟରଙ୍କ ଦମରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭର୍‌ରେ ୪ ୱିକେଟ ହରାଇ ୪୧୦ ରନ କରିଛି। ଏବେ ନେଦରଲ୍ୟାଣ୍ଡ୍ସକୁ ବିଶ୍ୱକପର ଶେଷ ଲିଗ ମ୍ୟାଚ୍‌ ଜିତିବାକୁ ବିଶାଳ ୪୧୧ ରନର ଟାର୍ଗେଟ ମିଳିଛି। ଭାରତ ଦ୍ୱିତୀୟ ଥର ପାଇଁ କୌଣସି ବିଶ୍ୱକପରେ ୪୦୦ରୁ ଅଧିକ ରନ କରିବାର ରେକର୍ଡ କରିଛି। ୨୦୦୭ରେ ଦଳ ବରମୁଣ୍ଡା ବିପକ୍ଷରେ ୪୧୮ ରନ କରିଥିଲା।

Advertisment

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ପାଇଁ ରୋହିତ ଶର୍ମା ଓ ଶୁବମନ ଗିଲ ଦମଦାର ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୦୦ ରନର ଭାଗିଦାରୀ ମଧ୍ୟ କରିଥିଲେ। ଏହି ସମୟରେ ୩୨ ବଲରେ ୫୧ ରନ କରିଥିବା ଗିଲ୍ ଆଉଟ ହୋଇଯାଇଥିଲେ। ଗିଲଙ୍କ ପରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୮ ଚୌକା ଓ ୨ଟି ଛକା ବଳରେ ୬୧ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିଥିଲେ।

ରୋହିତ ଆଉଟ ହେବା ବେଳକୁ ଦଳୀୟ ସ୍କୋର ୧୩୦ ଥିଲା। ଏହି ସମୟରେ ବିରାଟ କୋହଲି ଓ ଶ୍ରେୟସ ଆୟର ସ୍ଥିତି ସମ୍ଭାଳିଥିଲେ। ଉଭୟ ୩ୟ ୱିକେଟ ପାଇଁ ୭୦ ରନ ଯୋଡ଼ିଥିଲେ। ବିରାଟ ମଧ୍ୟ ୫୩ ବଲରେ ନିଜ ଦିନିକିଆ କ୍ୟାରିୟରର ୭୧ତମ ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୨୦୦ ଥିବା ବେଳେ ବିରାଟ(୫୧)ଙ୍କୁ ବୋଲ୍ଡ କରି ରୋଲଫ ଭାନ ଡେର ମେରୱେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।

ହେଲେ ଲୟର ଥିବା ଶ୍ରେୟସ ଆୟର ଡଚ୍‌ ବୋଲରଙ୍କୁ କୌଣସି ପ୍ରକାରର ସୁଯୋଗ ଦେଇ ନଥିଲେ। ତାଙ୍କୁ କେଏଲ ରାହୁଲ ଭରପୂର ସାଥ ଦେଇଥିଲେ। ଶ୍ରେୟସ ବେଶ ସତର୍କତାର ସହ ନିଜର ୫୦ ରନ ପୂରଣ କରିଥିଲେ। ଏହାପରେ ସେ ଗିୟର ବଦଳାଇବା ସହ ୮୪ ବଲରେ ବିଶ୍ୱକପରେ ନିଜର ପ୍ରଥମ ଶତକ ହାସଲ କରିଥିଲେ।

ଶତକ ହାସଲ କରିବା ପରେ ସେ ଆହୁରି ବିସ୍ଫୋରକ ରୂପ ଧାରଣ କରିଥିଲେ। କେଏଲ ରାହୁଲ ମଧ୍ୟ ପଛରେ ପଡ଼ି ନଥିଲେ। ସେ ମଧ୍ୟ ବଡ଼ବଡ଼ ଶଟ ଖେଳିଥିଲେ। ସେ ମଧ୍ୟ ନିଜର ଶତକ ଆଡ଼କୁ ଅଗ୍ରସର ହୋଇଥିଲେ। ୪୯ ଓଭର ସୁଦ୍ଧା ଭାରତର ସ୍କୋର ୩ ୱିକେଟରେ ୩୯୩ ରନରେ ପହଞ୍ଚି ଯାଇଥିଲା।

ଏହି ସମୟରେ ଆୟର ୧୨୭ ଓ ରାହୁଲ ୮୯ ରନରେ ରହିଥିଲେ। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ବାସ ଡେ ଲିଡେ। ତାଙ୍କର ପ୍ରଥମ ବଲକୁ ରାହୁଲ ୬ ମାରିଥିଲେ। ଦ୍ୱିତୀୟ ବଲରେ ମଧ୍ୟ ସେ ଛକା ମାରି ନିଜର ଶତକ ପୂରଣ କରିଥିଲେ। ରାହୁଲ ୬୨ ବଲରେ ବିଶ୍ୱକପରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି।

ଏହାପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ସେ ଅପରାଜିତ ୯୭ ରନର ଇନିଂସ ଖେଳିଥିଲେ। ଦ୍ୱିତୀୟ ଛକା ସହ ଭାରତର ସ୍କୋର ମଧ୍ୟ ୪୦୦ ପାର କରିଥିଲେ। ଲିଡେଙ୍କ ତୃତୀୟ ବଲ ୱାଇଡ ହୋଇଥିଲା। ପରବର୍ତ୍ତୀ ଲିଗାଲ ବଲରେ ଆୟାର ୧ ରନ ନେଇଥିଲେ। ୪ର୍ଥ ବଲରେ ରାହୁଲ ୬ ଛକା ମାରିବାକୁ ଯାଇ ଆଉଟ ହୋଇ ଯାଇଥିଲେ।

ରାହୁଲ ୬୪ ବଲରେ ୧୦୨ ରନ କରି ଆଉଟ ହୋଇଛନ୍ତି। ଏହି ଇନିଂସରେ ସେ ୪ଟି ଛକା ଓ ୧୧ଟି ଚୌକା ମାରିଛନ୍ତି। ଇନିଂସର ଶେଷ ବଲ ସାମ୍ନା କରିବାକୁ ଆସିଥିଲେ ସୂର୍ଯ୍ୟ କୁମାର ଯାଦବ। ସେ ୨ ରନ ନେବାକୁ ଭାରତ ନିର୍ଦ୍ଧାରିତ ୫୦ ଓଭର୍‌ରେ ୪ ୱିକେଟ ହରାଇ ୪୧୦ ରନ କରିଛି। ଆୟର ଶେଷ ଯାଏ ୯୪ ବଲରେ ୧୨୮ ରନ କରି ଅପରାଜିତ ରହିଥିଲେ। ତାଙ୍କ ବ୍ୟାଟରୁ ଆଜି ୫ଟି ଛକା ଓ ୧୦ଟି ଚୌକା ଦେଖିବାକୁ ମିଳିଛି।

ICC KL Rahul ICC Men’s Cricket World Cup 2023 ICC World Cup 2023 ICC World Cup