/odisha-reporter/media/post_attachments/uploadimage/library/16_9/16_9_0/IPL_1747643416.jpg)
IPL
ଆଇପିଏଲ ଟିମ ପଞ୍ଜାବ କିଙ୍ଗସର ଅଧିନାୟକ ଶ୍ରେୟସ ଆୟର ନୂଆ ରେକର୍ଡ କରିଛନ୍ତି। ଆଇପିଏଲ ଇତିହାସରେ ଯେଉଁ ରେକର୍ଡ କେହି ହାସଲ କରିପାରି ନଥିଲେ, ସେକଥା କରି ଦେଖାଇଛନ୍ତି ଆୟର। ୨୦୨୪ ଆଇପିଏଲରେ ଶ୍ରେୟସ ଆୟର କୋଲକାତା ନାଇଟ ରାଇଡର୍ସର ଅଧିନାୟକ ରହିଥିଲେ। ତାଙ୍କ କ୍ୟାପ୍ଟେନ୍ସିରେ କେକେଆର ଚାମ୍ପିୟନ ହୋଇଥିଲା।
କିନ୍ତୁ ୨୦୨୫ରେ ସେ ପଞ୍ଜାବ ପକ୍ଷରୁ ଆଇପିଏଲ ଖେଳୁଛନ୍ତି। ତାଙ୍କୁ ପଞ୍ଜାବ ୨୬.୭୫ କୋଟିରେ କିଣି କ୍ୟାପ୍ଟେନ ମଧ୍ୟ କରିଛି। ୨୦୨୪ରେ କେକେଆର ବିଜୟରେ ଆୟର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହେଲେ ଏହାର ଶ୍ରେୟ ତାଙ୍କୁ ଠିକ ଭାବେ ମିଳି ନଥିଲା। ମେଗା ଅକ୍ସନ ପୂର୍ବରୁ ଆୟରଙ୍କୁ କେକେଆର ରିଲିଜ କରି ଦେଇଥିଲା।
ହେଲେ ୨୦୨୫ରେ ତାଙ୍କ କ୍ୟାପ୍ଟେନ୍ସିରେ ପଞ୍ଜାବ ୧୧ ବର୍ଷ ପରେ ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରିବା ତାଙ୍କ ବଳିଷ୍ଠ ନେତୃତ୍ୱର ପ୍ରମାଣ ଦେଇଛି। ସେ ଏପରି ସଫଳତା ପରେ ନିଜ ସମାଲୋଚକଙ୍କ ମୁହଁ ମଧ୍ୟ ବନ୍ଦ କରିଦେଇଛନ୍ତି। ରବିବାର ପଞ୍ଜାବ ପ୍ରତିପକ୍ଷ ରାଜସ୍ଥାନକୁ ହରାଇଥିଲା। ଏହାପରେ ରାତି ସମୟରେ ଗୁଜରାଟ ପ୍ରତିପକ୍ଷ ଦିଲ୍ଲୀକୁ ହରାଇବା କ୍ଷଣି ପଞ୍ଜାବ ବିଧିବଦ୍ଧ ଭାବେ ୧୭ ପଏଣ୍ଟ ସହ ପ୍ଲେ ଅଫକୁ ଯୋଗ୍ୟତା ଅର୍ଜନ କରିଛି। ଏବେ ବି ଦଳ ପାଖରେ ଦୁଇଟି ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ବାକି ରହିଛି।
ପଞ୍ଜାବକୁ ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରିବା ସହ ଆୟର ଇତିହାସ ରଚିଛନ୍ତି। ଆଇପିଏଲ ଇତିହାସରେ କେବେ ହେଲେ ସୃଷ୍ଟି ହୋଇ ନଥିବା ରେକର୍ଡର ଅଧିକାରୀ ସେ ହୋଇଛନ୍ତି। ପଞ୍ଜାବ ଟପ୍ ୪ରେ ରହିବାକୁ ଯୋଗ୍ୟତା ଅର୍ଜନ କରିଥିବାରୁ ଶ୍ରେୟସ ଆୟର ପ୍ରଥମ ଅଧିନାୟକ ଯିଏ ଭିନ୍ନଭିନ୍ନ ୩ଟି ଟିମର କ୍ୟାପ୍ଟେନ ହେବା ସହ ଦଳକୁ ପ୍ଲେଅଫକୁ ନେବାକୁ ସକ୍ଷମ ହୋଇଛନ୍ତି। ତାଙ୍କ କ୍ୟାପ୍ଟେନ୍ସିରେ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ଆଇପିଏଲ ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରିପାରି ଥିଲେ। ଏବେ ପଞ୍ଜାବ କିଙ୍ଗସ ମଧ୍ୟ ତାଙ୍କ ନେତୃତ୍ୱରେ ଆଇପିଏଲ ପ୍ଲେଅଫକୁ ଖେଳିବାକୁ ଯାଉଛି।
ଶ୍ରେୟସ ଆୟର ୨୦୧୯ ଓ ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରହିଥିଲେ। ୨୦୨୪ରେ ତାଙ୍କୁ କେକେଆରର କମାଣ ଧରାଇ ଦିଆଯାଇଥିଲା। ୨୦୨୫ରେ ସେ ପଞ୍ଜାବର ଅଧିନାୟକ ଭାବେ ଆଇପିଏଲ ଖେଳୁଛନ୍ତି। ଶ୍ରେୟସ ଆୟର ଆଇପିଏଲ ଇତିହାସର ୫ମ ଖେଳାଳି ଯିଏ ୩ଟି ଭିନ୍ନଭିନ୍ନ ଟିମର କ୍ୟାପ୍ଟେନ ହେବାର ରେକର୍ଡ କରିଛନ୍ତି। ଷ୍ଟିଭ ସ୍ମିଥ ରାଜସ୍ଥାନ, ପୁଣେ ୱାରିୟର୍ସ ଓ ରାଇଜିଂ ପୁଣେ ସୁପରଜାଏଣ୍ଟସର ନେତୃତ୍ୱ ନେଇଥିଲେ।
କୁମାର ସାଙ୍ଗାକାର ପଞ୍ଜାବ କିଙ୍ଗସ, ଡେକାନ ଚାରଜର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦର କ୍ୟାପ୍ଟେନ ଥିଲେ। ମାହେଲା ଜୟବର୍ଦ୍ଧନେ ପଞ୍ଜାବ କିଙ୍ଗସ, କୋଚି ଟସ୍କର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ କାମ କରି ସାରିଛନ୍ତି। ଅଜିଙ୍କ୍ୟ ରାହାଣେ ରାଜସ୍ଥାନ, ପୁଣେ ଓ କୋଲକାତାର ଅଧିନାୟକ ହେବାର ରେକର୍ଡ କରିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ସାଙ୍ଗାକାରା ଓ ଆୟର ପୂର୍ଣ୍ଣକାଳୀନ ଭିତ୍ତିରେ ୩ଟି ଯାକ ଟିମର ନେତୃତ୍ୱ ନେଇଛନ୍ତି। ବାକି ୩ ଖେଳାଳି କାମଚଳା ଅଧିନାୟକ ଦାୟିତ୍ୱରେ ରହିଥିଲେ।
ରବିବାର ରାଜସ୍ଥାନ ବିପକ୍ଷ ମ୍ୟାଚ୍ କଥା ବିଚାରକୁ ନେଲେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୨୧୯ ରନ କରିଥିଲା। ଦଳ ପକ୍ଷରୁ ନେହାଲ ୱାଦ୍ଧେରା ୩୭ ବଲରେ ୭୦ ଓ ଶଶାଙ୍କ ସିଂହ ଅପରାଜି ୫୯ ରନର ଇନିଂସ ଖେଳିଥିଲେ। ଏହାର ଜବାବରେ ରାଜସ୍ଥାନର ଦୁଇ ଓପନର ଯଶସ୍ୱୀ ଜୈସୱାଲ ୫୦ ଓ ବୈଭବ ସୂର୍ଯ୍ୟବଂଶୀ ୪୦ ରନ କରିଥିଲେ।
ଉଭୟ ୪.୫ ଓଭରରେ ୭୬ ରନ ଯୋଡ଼ି ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। କିନ୍ତୁ ହରପ୍ରୀତ ବ୍ରାର ମଧ୍ୟଭାଗରେ ୪ ଓଭର ବୋଲିଂ କରି ୨୨ ରନ ଦେଇ ୩ ୱିକେଟ ଦଖଲ କରିବାରୁ ରାଜସ୍ଥାନ ବିଜୟ ଟାର୍ଗେଟ ଠାରୁ ୧୦ ରନ ପଛରେ ରହି ଯାଇଥିଲା। ପଞ୍ଜାବ ୧୭ ପଏଣ୍ଟ ସହ ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରି ସାରିଥିବା ବେଳେ ଦଳ ୨୫ ତାରିଖରେ ଦିଲ୍ଲୀ ଓ ୨୬ ତାରିଖରେ ମୁମ୍ବାଇ ସହ ଖେଳିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
