/odisha-reporter/media/media_files/2025/10/30/iyer-2025-10-30-13-30-00.jpg)
ଶ୍ରେୟସ ଆୟର
ଟିମ ଇଣ୍ଡିଆର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟର(Shreyas Iyer)ଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଆହତ ହୋଇ ଆଇସିୟୁରେ ଏକଦା ଚିକିତ୍ସିତ ହେଉଥିବା ଶ୍ରେୟସ ଏବେ ବି ହସ୍ପିଟାଲରେ ରହିଛନ୍ତି। କିନ୍ତୁ ହସ୍ପିଟାଲ ବେଡରୁ ସେ ପ୍ରଥମଥର ପାଇଁ ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।
୨୯ ବର୍ଷୀୟ ଶ୍ରେୟସ ପୂର୍ବାପେକ୍ଷା ଏବେ ଭଲ ଅଛନ୍ତି ଓ ତାଙ୍କ ପାଇଁ ପ୍ରାର୍ଥନା କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ୍ସରେ ଶ୍ରେୟସ ଲେଖିଛନ୍ତି, “ବର୍ତ୍ତମାନ ମୁଁ ସୁସ୍ଥ ହେବା ପ୍ରକ୍ରିୟାରେ ରହିଛି ଓ ପ୍ରତିଦିନ ଅଧିକରୁ ଅଧିକ ଭଲ ହେଉଛି। ମୋତେ ମିଳିଥିବା ସମସ୍ତ ପ୍ରକାରର ଶୁଭେଚ୍ଛା ଓ ସମର୍ଥନ ପାଇଁ ମୁଁ କୃତଜ୍ଞ। ଏହା ନିଶ୍ଚିତ ଭାବେ ବେଶ ଗୁରୁତ୍ୱବହନ କରେ। ନିଜର ଭାବନାରେ ମୋତେ ରଖିଥିବାରୁ ବହୁତ ବହୁତ ଧନ୍ୟବାଦ।”
ଅଷ୍ଟ୍ରେଲିଆ(Australia) ବିପକ୍ଷ ତୃତୀୟ ଦିନିକିଆ(ODI)ରେ ଆହତ ହୋଇଥିଲେ ଶ୍ରେୟସ। ସେ ଆଲେକ୍ସ କେରୀଙ୍କ କ୍ୟାଚ୍ ଧରିବା ବେଳେ ତାଙ୍କ ବାମ ପଟ ପଞ୍ଜରାରେ ଗଭୀର ଆଘାତ ଲାଗିଥିଲା। କେରୀ ଆଉଟ ହୋଇଥିଲେ ହେଁ ଆହତ ସମସ୍ୟା ଯୋଗୁ ତୁରନ୍ତ ପଡ଼ିଆ ଛାଡ଼ିଥିଲେ ଆୟର।
ଶନିବାର ଠାରୁ ଆୟର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ପଞ୍ଜରାରେ ମାଡ଼ ଯୋଗୁ ତାଙ୍କର ସ୍କାନ ହୋଇଥିଲା। ଆଭ୍ୟନ୍ତରୀଣ ରକ୍ତସ୍ରାବ କଥା ରିପୋର୍ଟରୁ ଜଣାପଡ଼ିବା ପରେ ଶନିବାର ଠାରୁ ହିଁ ଆୟର ଆସିୟୁରେ ରହିଥିଲେ। ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁ ସଂକ୍ରମଣର ଭୟ ସୃଷ୍ଟି ହୋଇଥିଲା। ତେଣୁ ତାଙ୍କୁ ଆସିୟୁରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ ଯିବା ପୂର୍ବରୁ ଶ୍ରେୟସ କିଛି ସମୟ ଡ୍ରେସିଂ ରୁମରେ ରହିଥିଲେ।
ଏହି ସମୟରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟେଙ୍ଗରେ ସମସ୍ୟା ଦେଖାଯାଇଥିଲା। ଏପରି କି ସେ ଚେତା ହରାଇ ଦେଇଥିଲେ। ଏହାକୁ ଦେଖି ବିସିସିଆଇ(Bcci)ର ମେଡିକାଲ ଟିମ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇଥିଲା। ଟିମ ଡାକ୍ତର ଓ ଫିଜିଓ କୌଣସି ପ୍ରକାରର ରିକ୍ସ ନନେଇ ଆୟରଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।
ଯଦି ଠିକଣା ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନଥାଆନ୍ତା, ତା’ହେଲେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାର ଆଶଙ୍କା ରହିଥିଲା। ସୋମବାର ଠାରୁ ଆଇସିୟୁରୁ ବାହାରି ସାରିଥିବା ଶ୍ରେୟସ ଏବେ ସୁସ୍ଥ ହେଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
