Advertisment

ଶୁବମନ ଗିଲ୍‌ଙ୍କ ସୁନ୍ଦର ଶତକ

ଆଜି ପୂରା ଲୟରେ ଥିଲେ ଶୁବମନ ଗିଲ୍‌।

author-image
Jitendra Garnayak
ଅଦ୍ୟତନ ହୋଇଛି
Shubaman Gill

Shubaman Gill

ଇଂଲଣ୍ଡ ବିପକ୍ଷ ଚଳିତ ଟେଷ୍ଟ ସିରିଜ୍‌ରେ ଲଗାତାର ତିନିଟି ଇନିଂସରେ ଖରାପ ପ୍ରଦର୍ଶନ କରି ସମାଲୋଚନାର ଶିକାର ହୋଇଥିବା ଶୁବମନ ଗିଲ୍‌ ଆଜି ଲକ୍ଷ୍ୟଚ୍ୟୁତ ହୋଇନାହାନ୍ତି। ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ କରିଛନ୍ତି ଏକ ସୁନ୍ଦର ଶତକ। ୧୩୨ଟି ବଲ୍‌ରୁ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ସେ ଶତକ ପୂରଣ କରିଛନ୍ତି। ଏହା ହେଉଛି ତାଙ୍କର ତୃତୀୟ ଟେଷ୍ଟ ଶତକ। 

Advertisment

ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଗତକାଲି ଇଂଲଣ୍ଡ ପ୍ରଥମ ଇନିଂସରେ ମାତ୍ର ୨୫୩ ରନ୍‌ରେ ଅଲ୍ ଆଉଟ୍ ହୋଇଯିବା ପରେ ଭାରତ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ରୋହିତ ଶର୍ମା ୧୩ ରନ୍ ଓ ଯଶସ୍ୱୀ ଜୈସ୍ୱାଲ ୧୫ ରନ୍ କରି ଅପରାଜିତ ଥିଲେ। ଆଜି ପୁଣି ଏହି ଓପନର ଯୋଡ଼ି ଦଳର ପାଳିକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ଦୁହେଁ ଆଉଟ୍ ହୋଇଯାଇଥିଲେ। ରୋହିତ ୧୩ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ସେ ଯିବାର କିଛି ସମୟ ପରେ ଯଶସ୍ୱୀ ଆଉଟ୍ ହୋଇଥିଲେ। ସେ ଆଜି ଆଉ ୨ ରନ୍ କରି ୧୭ ରନ୍‌ରେ ଆଉଟ୍ ହୋଇଥିଲେ। ଉଭୟଙ୍କ ୱିକେଟ୍ ନେଇଥିଲେ ଜେମ୍‌ସ ଆଣ୍ଡରସନ୍‌।

ଏଭଳି ସ୍ଥିତିରେ ଶୁବମନ ଗିଲଙ୍କ ଉପରେ ଗୁରୁଦାୟିତ୍ୱ ପଡ଼ିଥିଲା। ଆଉ ସେ ଏହାକୁ ତୁଲାଇଥିଲେ। ଶ୍ରେୟସ ଆୟରଙ୍କୁ ସାଥୀ କରି ସେ ଇନିଂସକୁ ଆଗେଇ ନେଇଥିଲେ। ସେମାନଙ୍କ ମଧ୍ୟରେ ୮୧ ରନ୍‌ର ପାର୍ଟନରଶିପ ହୋଇଥିଲା। କିନ୍ତୁ ୨୯ ରନ୍ କରିଥିବା ବେଳେ ଟମ୍‌ ହାର୍ଟଲୀଙ୍କ ଦ୍ୱାରା ଆଉଟ୍ ହୋଇଥିଲେ ଶ୍ରେୟସ। ପରେ ପରେ ରଜତ ପଟିଦାର ୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ଶୁବମନ ବିଚଳିତ ନ ହୋଇ ଖେଳି ଚାଲିଥିଲେ। ଅକ୍ଷର ପଟେଲ କ୍ରିଜ୍‌କୁ ଆସିବା ପରେ ଦୁହଁଙ୍କ ଯୋଡ଼ି ଭଲ ଜମି ଥିଲା। 

Advertisment

ପଞ୍ଚମ ୱିକେଟ୍‌ରେ ଶୁବମନ ଗିଲ୍ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ୮୯ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ଶୁବମନ ଗିଲ୍ ୧୦୪ ରନ୍ (୧୪୭ ବଲ୍‌) କରି ଆଉଟ୍ ହୋଇଯାଇଥିବା ବେଳେ ଅକ୍ଷର ପଟେଲ ୪୪ ରନ୍ କରି କ୍ରିଜ୍‌ରେ ଅଛନ୍ତି। ତାଙ୍କ ସହିତ ଶ୍ରୀକର ଭରତ ଅଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ହରାଇ ୨୧୮ ରନ୍ କରିଥିବା ବେଳେ ୩୬୧ ରନ୍‌ର ଲିଡ୍ ନେଇଛି।  

ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ମିଶି ୨୩ ରନ୍ କରିଥିଲେ ଶୁବମନ ଗିଲ୍। ସେ ପ୍ରଥମ ଇନିଂସରେ ୨୩ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ଖାତା ଖୋଲି ପାରି ନଥିଲେ। ସେହିପରି ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଗିଲ୍ ୩୪ ରନ୍‌ କରି ଆଉଟ୍ ହୋଇଥିଲେ। 

INDvsENG Shubman Gill