Advertisment

IND vs SA: ଘୋଷଣା ହେଲା ଟି-୨୦ ସ୍କ୍ୱାଡ: ଫେରିଲେ ଗିଲ ଓ ହାର୍ଦ୍ଦିକ ପାଣ୍ଡ୍ୟା

ଏସିଆ କପ ଫାଇନାଲରେ ବିଜୟ ଚୌକା ମାରିଥିବା ରିଙ୍କୁ ସିଂହ ୧୫ ଜଣିଆ ସ୍କ୍ୱାଡରେ ନାହାନ୍ତି। ଋଷଭ ପନ୍ତଙ୍କୁ ମଧ୍ୟ ଟି-୨୦ ସ୍କ୍ୱାଡରେ ରଖାଯାଇ ନାହିଁ। ୱିକେଟ କିପର ଭାବେ ସଞ୍ଜୁ ସାମସନଙ୍କ ସହ ଜିତେଶ ଶର୍ମା ରହିଛନ୍ତି।

author-image
Hemant Lenka
Gill1

ଗିଲ ଓ ପାଣ୍ଡ୍ୟା

ଦକ୍ଷିଣ ଆଫ୍ରିକା ବିପକ୍ଷ(Ind Vs SA) ୫ ଟିକିଆ ଟି-୨୦ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ସ୍କ୍ୱାଡ। ଆହତ ସମସ୍ୟା ଯୋଗୁ ଟେଷ୍ଟ ଓ ଦିନିକିଆ ସିରିଜରୁ ବାଦ ପଡ଼ିଥିବା ଦଳର ଉପ ଅଧିନାୟକ ଶୁବମନ ଗିଲ୍‌ଙ୍କ କମବ୍ୟାକ ହୋଇଛି। ସେହିପରି ଏସିଆ କପ ଫାଇନାଲ ପୂର୍ବରୁ ଆହତ ହୋଇଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଭାରତୀୟ ଟି-୨୦ ସେଟଅପକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

Advertisment

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ଟି-୨୦ ମ୍ୟାଚ୍‌ ଖେଳାଯିବ। ଡିସେମ୍ବର ୯ରେ କଟକରେ ସିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ସେହିପରି ଡିସେମ୍ବର ୧୯ରେ ଗୁଜରାଟର ଅହମଦାବାଦରେ ଦୁଇ ଦଳ ଶେଷ ଟି-୨୦ ମ୍ୟାଚ ଖେଳିବେ।

ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଦଳ ଏହି ସିରିଜ ଖେଳିବାକୁ ଥିବା ବେଳେ ଗିଲ ଉପ ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି। କିନ୍ତୁ ତାଙ୍କ ଫିଟନେସ ଉପରେ ସବୁ କିଛି ନିର୍ଭର କରେ।

Advertisment

ବିସିସିଆଇ ସୂତ୍ରରେ କୁହାଯାଇଛି ଯେ “ଗିଲ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ସେ ଦଳକୁ ପୂର୍ବଭଳି ଉପ ଅଧିନାୟକ ଭାବେ କମବ୍ୟାକ କରିଛନ୍ତି। କିନ୍ତୁ ସେ ମ୍ୟାଚ୍‌ ଖେଳିବାକୁ କେତେ ଫିଟ ତାହା ଠିକଣା ସମୟରେ ହିଁ ଜଣାପଡ଼ିବ।” 

ଆସନ୍ତାବର୍ଷ ଫେବୃଆରୀରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏହାପୂର୍ବରୁ ଭାରତୀୟ ଟିମ ନିଜର ସବୁ ପ୍ରସ୍ତୁତି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି। 

ଗିଲ ଓ ପାଣ୍ଡ୍ୟାଙ୍କ ସହ ଟି-୨୦ରେ ଯଶପ୍ରୀତ ବୁମ୍ରା ମଧ୍ୟ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ବୁମ୍ରାଙ୍କ ବ୍ୟତୀତ ହର୍ଷିତ ରାଣା ଓ ଅର୍ଶଦୀପ ସିଂହ ମଧ୍ୟ ଦ୍ରୁତ ବୋଲର ଭାବେ ଦଳରେ ରହିଛନ୍ତି। ସ୍ପିନର ଭାବେ କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାଶିଂଟନ ସୁନ୍ଦରଙ୍କୁ ସ୍କ୍ୱାଡରେ ରଖାଯାଇଛି।

ତେବେ ଏସିଆ କପ ଫାଇନାଲରେ ବିଜୟ ଚୌକା ମାରିଥିବା ରିଙ୍କୁ ସିଂହ ୧୫ ଜଣିଆ ସ୍କ୍ୱାଡରେ ନାହାନ୍ତି। ଋଷଭ ପନ୍ତଙ୍କୁ ମଧ୍ୟ ଟି-୨୦ ସ୍କ୍ୱାଡରେ ରଖାଯାଇ ନାହିଁ। ୱିକେଟ କିପର ଭାବେ ସଞ୍ଜୁ ସାମସନଙ୍କ ସହ ଜିତେଶ ଶର୍ମା ରହିଛନ୍ତି। 

ଭାରତୀୟ ସ୍କ୍ୱାଡ: ସୂର୍ଯ୍ୟ କୁମାର ଯାଦବ, ଶୁବମନ ଗିଲ(ଉପ ଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା, ସଞ୍ଜୁ ସାମସନ, ଯଶପ୍ରୀତ ବୁମ୍ରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା ଓ ୱାଶିଂଟନ ସୁନ୍ଦର। 

Ind Vs SA T20