Gill
ରୋହିତ ଶର୍ମାଙ୍କ ଅବସର ପରେ ଭାରତୀୟ ଟେଷ୍ଟ ଟିମର ଅଧିନାୟକ କିଏ ହେବ, ତା’କୁ ନେଇ ଚାଲିଥିବା ସସପେନ୍ସ ଶେଷ ହୋଇଛି। ବିସିସିଆଇ ଭାରତୀୟ ଟେଷ୍ଟ କ୍ରିକେଟ ଟିମର ୩୭ତମ ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ଚିୟନ କରିଛି। ଅନେକ ବିଚାରବିମର୍ଶ ଓ ଭବିଷ୍ୟତକୁ ଦୃଷ୍ଟିରେ ଗିଲଙ୍କୁ ଟେଷ୍ଟ କମାଣ ଦିଆଯାଇଛି।
ଗିଲଙ୍କ କ୍ୟାପ୍ଟେନ୍ସି କ୍ୟାରିୟର ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜରୁ ଆରମ୍ଭ ହେବ। ଏ ସିରିଜ ପାଇଁ ଆଜି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଓ ଚୟନ କମିଟିରେ ଥିବା ଓଡ଼ିଆ ପୁଅ ଶିବସୁନ୍ଦର ଦାସ ମିଳିତ ଭାବେ ୧୮ ଜଣିଆ ସ୍କ୍ୱାଡ ଘୋଷଣା କରିଛନ୍ତି। ଏଥିରେ ଗିଲଙ୍କୁ ଭାରତୀୟ ଟେଷ୍ଟ ଟିମର ନୂଆ କ୍ୟାପ୍ଟେନ କରାଯାଇଛି। ସେହିପରି ତାଙ୍କ ଡେପୁଟି ଭାବେ ଅନ୍ୟତମ ଯୁବ ତାରକା ଋଷଭ ପନ୍ତ କାମ କରିବେ। ନୂଆ କ୍ୟାପ୍ଟେନ ଓ ଉପ ଅଧିନାୟକଙ୍କ ଅଧୀନରେ ଭାରତୀୟ ଟିମ ୨୦୨୫-୨୭ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଅଭିଯାନ ଇଂଲଣ୍ଡ ବିପକ୍ଷରୁ ଆରମ୍ଭ କରିବ।
୨୫ ବର୍ଷୀୟ ଗିଲ ଭାରତୀୟ ଟେଷ୍ଟ କ୍ରିକେଟ ଟିମର ଅନ୍ୟତମ ଯୁବ ଅଧିନାୟକ ହେବାର ରେକର୍ଡ କରିଛନ୍ତି। ନାଲି ବଲରେ କ୍ୟାପ୍ଟେନ୍ସି କରିବାର ଅଭିଜ୍ଞତା ତାଙ୍କ ପାଖରେ ନାହିଁ। କିନ୍ତୁ ସେ ୨୦୨୪ରେ ଜିମ୍ବାୱେ ବିପକ୍ଷ ୫ ଟିକିଆ ଟି-୨୦ ସିରିଜରେ ଭାରତର କମାଣ ସମ୍ଭାଳିଥିଲେ। ଆଇପିଏଲରେ ସେ ଗୁଜରାଟ ଟାଇଟନ୍ସର ନାତୃତ୍ୱ ନେଉଛନ୍ତି। ଭାରତର କ୍ୟାପ୍ଟେନ ହେବା ପୂର୍ବରୁ ସେ ମାତ୍ର ୫ଟି ପ୍ରଥମ ଶ୍ରେଶୀ ମ୍ୟାଚ୍ରେ ନିଜର ଦଳର ନେତୃତ୍ୱ ନେଇଛନ୍ତି।
ଭାରତର ଟେଷ୍ଟ ଟିମର କ୍ୟାପ୍ଟେନ ହେବା ପୂର୍ବରୁ ଗିଲ ଦିନିକିଆ ଓ ଟି-୨୦ ଫର୍ମାଟରେ ଭାରତୀୟ ଟିମର ଉପ ଅଧିନାୟକ ହୋଇଥିଲେ। ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ସେ ଭାରତର ଉପ ଅଧିନାୟକ ରହିଥିଲେ।
ଟେଷ୍ଟ କ୍ରିକେଟରେ ଗିଲ ଏଯାଏ ୩୨ଟି ମ୍ୟାଚ୍ ଖେଳି ୧୮୮୩ ରନ କରିଛନ୍ତି। ଏହା ମଧ୍ୟରେ ୫ଟି ଶତକ ରହିଛି। ରୋହିତ ଶର୍ମା ଅବସର ନେବାର କିଛି ଦିନ ପରେ ବିରାଟ କୋହଲି ମଧ୍ୟ କ୍ରିକେଟର ଏହି ଲମ୍ବା ଫର୍ମାଟକୁ ଅଲବିଦା କହିଥିଲେ। ଦୁଇ ବରିଷ୍ଠ ଖେଳାଳିଙ୍କ ଅବସର ପରେ ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା କ୍ୟାପ୍ଟେନ ହେବା ଦୌଡ଼ରେ ସବୁଠାରୁ ଆଗରେ ଥିଲେ। ହେଲେ ତାଙ୍କ ଫିଟନେଶ ଓ ୱାର୍କଲୋଡ ମ୍ୟାନେଜମେଣ୍ଟ ସବୁ ଠାରୁ ଚିନ୍ତାର ବିଷୟ ଥିଲା। ବାରମ୍ବାର ଆହତ ହେଉଥିବା ବୁମ୍ରା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ରେ କ୍ୟାପ୍ଟେନ ହେବା ସହ ଦଳକୁ ଜିତାଇଥିଲେ।
କିନ୍ତୁ ସିରିଜର ୫ମ ତଥା ଶେଷ ମ୍ୟାଚ୍ର ପ୍ରଥମ ଇନିଂସ ପରେ ସେ ଆହତ ହେବାରୁ ଆଉ ବୋଲିଂ କରିବାକୁ ସକ୍ଷମ ହୋଇ ନଥିଲେ। ଏହି କାରଣରୁ ତାଙ୍କ ଭାରତୀୟ ଟେଷ୍ଟ ଟିମର ସ୍ଥାୟୀ କ୍ୟାପ୍ଟେନ କରାଯାଇ ନଥିବା ଜଣାପଡ଼ିଛି।
ଅଭିଜ୍ଞ ଖେଳାଳି କେଏଲ ରାହୁଲ ମଧ୍ୟ କ୍ୟାପ୍ଟେନ ଦୌଡ଼ରେ ଥିଲେ। କିନ୍ତୁ ତାଙ୍କ ଉପରେ ଟିମ ମ୍ୟାନେଜମେଣ୍ଟ ଅତିରିକ୍ତ ଚାପ ସୃଷ୍ଟି କରିବା ମୁଡରେ ନାହିଁ। ସେ ଦଳର ଅନ୍ୟତମ ବରିଷ୍ଠ ଖେଳାଳି ହୋଇଥିବାରୁ ତାଙ୍କୁ ଚାପୁ ମୁକ୍ତ ରହି ଖେଳିବାକୁ ସୁଯୋଗ ଦେବାକୁ ମ୍ୟାନେଜମେଣ୍ଟ ଚାହିଁଥିଲା। ତେଣୁ ତାଙ୍କୁ କ୍ୟାପ୍ଟେନ କରାଯାଇନି।
ଇଂଲଣ୍ଡ ବିପକ୍ଷ ୫ ଟିକିଆ ସିରିଜ ପାଇଁ ଘୋଷଣା ହୋଇଥିବା ୧୮ ଜଣିଆ ସ୍କ୍ୱାଡରେ ନୂଆ ମୁହଁ ଭାବେ ସାଇ ସୁଦର୍ଶନଙଢ଼୍କୁ ସ୍ଥାନ ମିଳିଛି। ସେହିପରି ଦୀର୍ଘ ବର୍ଷ ପରେ କରୁଣ ନାଏର ଦଳକୁ କମବ୍ୟାକ କରିଛନ୍ତି। ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ ପରେ କରୁଣଙ୍କୁ ଇଂଲଣ୍ଡ ବିପକ୍ଷ ସିରିଜରେ ସୁଯୋଗ ମିଳିଛି। ସେ ଶେଷଥର ପାଇଁ ୨୦୧୬ରେ ଭାରତର ଧଳା ଜର୍ସିରେ ନଜର ଆସିଥିଲେ। କରୁଣ ନାଏ ଦ୍ୱିତୀୟ ଭାରତୀୟ ଯିଏ ବୀରେନ୍ଦ୍ର ସେହୱାଗଙ୍କ ପରେ ଟେଷ୍ଟୂ କ୍ରିକେଟରେ ତ୍ରିଶତକ ହାସଲ କରିଥିଲେ।
ସାଇ ସୁଦର୍ଶନ ଓ କରୁଣ ନାଏରଙ୍କ ବ୍ୟତୀତ ଦଳର ନୂଆ ଖେଳାଳି ଭାବେ ଅଭିମନ୍ୟୁ ଈଶ୍ୱରନଙ୍କୁ ସ୍ଥାନ ଦିଆଯାଇଛି। ଅର୍ଶଦୀପ ମଧ୍ୟ ୧୮ ଜଣିଆ ସ୍କ୍ୱାଡରେ ରହିଛନ୍ତି। ନୀତୀଶ କୁମାର ରେଡ୍ଡୀଙ୍କ ବ୍ୟତୀତ ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି।
ପନ୍ତ ଓ ଧ୍ରୁବ ଜୁରେଲ ୱିକେଟ କିପର ଭାବେ ଚୟନ ହୋଇଥିବା ବେଳେ ସ୍ପିନ ବୋଲିଂର କମାଣ ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦର ସମ୍ଭାଳିବେ। ଦ୍ରୁତ ବୋଲିଂର ନେତୃତ୍ୱ ଯଶପ୍ରୀତ ବୁମ୍ରା ନେବେ ତାଙ୍କୁ ସାଥ ଦେବାକୁ ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଆକାଶ ଦୀପ ରହିଛନ୍ତି। ଆହତ ସମସ୍ୟାରୁ ମୁକୁଳି ଥିବା ମହମ୍ମଦ ଶାମିଙ୍କୁ ଟେଷ୍ଟ ଟିମରେ ସାମିଲ କରାଯାଇନାହିଁ।
ଭାରତୀୟ ସ୍କ୍ୱାଡ: ଶୁବମନ ଗିଲ(ଅଧିନାୟକ), ଯଶସ୍ୱୀ ଜୈସୱାଲ, କେଏଲ ରାହୁଲ, ଋଷଭ ପନ୍ତ(ଉପ ଅଧିନାୟକ ଓ ୱିକେଟ କିପର), ଧ୍ରୁବ ଜୁରେଲ(ୱିକେଟ କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ୱରନ, କରୁଣ ନାଏର, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର ଓ ଅର୍ଶଦୀପ ସିଂହ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Gill_1748074279.jpg)