ଆଇସିସି ରାଙ୍କିଙ୍ଗ: କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ଗିଲ୍, ଉପରକୁ ଉଠିଲେ ବିରାଟ ଓ ରୋହିତ

୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୩ ଜଣ ଭାରତୀୟ ଆଇସିସି ରାଙ୍କିଙ୍ଗର ଟପ୍‌ ୧୦ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।

ଶୁବମନ ଗିଲ୍

  • Published: Wednesday, 13 September 2023
  • , Updated: 13 September 2023, 06:34 PM IST

ଭାରତୀୟ କ୍ରିକେଟ ଟିମର ଓପନର ତଥା ଯୁବ ତାରକା ଶୁବମନ ଗିଲ୍‌ଙ୍କୁ ବଡ଼ ସଫଳତା। ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଗିଲ୍‌ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏସିଆ କପରେ ଗିଲ୍‌ ଦମଦାର ପ୍ରଦର୍ଶନ ସହ ଏଯାଏ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହି ପ୍ରଦର୍ଶନ ଯୋଗୁ ଗିଲ୍‌ଙ୍କୁ ଆଇସିସି ରାଙ୍କିଙ୍ଗରେ ଫାଇଦା ମିଳିଛି।

ଗିଲ୍‌ ଏକମାତ୍ର ଭାରତୀୟ ବ୍ୟାଟର ଭାବେ ରାଙ୍କିଙ୍ଗର ଉପରକୁ ଉଠି ନାହାନ୍ତି, ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କର ମଧ୍ୟ ପ୍ରମୋସନ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୪ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ୩ ଜଣ ଭାରତୀୟ ଆଇସିସି ରାଙ୍କିଙ୍ଗର ଟପ୍‌ ୧୦ରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି।

ଏସିଆ କପରେ ଗିଲ୍‌ ଏଯାଏ ଦୁଇଟି ଅର୍ଦ୍ଧଶତକ ସହ ୧୫୪ ରନ କରିଛନ୍ତି। ସେ ଭଲ ପ୍ରଦର୍ଶନ କରୁଥିବାରୁ ବ୍ୟାଟିଂ ରାଙ୍କିଙ୍ଗର ୨ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏହା ତାଙ୍କ ଦିନିକିଆ କ୍ୟାରିୟର ଶ୍ରେଷ୍ଠ ସ୍ଥାନ। ବର୍ତ୍ତିମାନ ସେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଠାରୁ ମାତ୍ର କିଛି ପଏଣ୍ଟ ପଛରେ ଅଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ କେବଳ ୧୦୩ ପଏଣ୍ଟର ଗ୍ୟାପ ରହିଛି।

ବାବର ମୋଟ ୮୬୩ ପଏଣ୍ଟ ସହ ରାଙ୍କିଙ୍ଗର ୧ ନଂ ସ୍ଥାନରେ ଓ ଗିଲ୍‌ ୭୫୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ବିରାଟ କୋହଲି ୨ଟି ସ୍ଥାନ ଉପରକୁ ଉଠି ୮ନଂ ଓ ରୋହିତ ୯ନଂରେ ପହଞ୍ଚିଛନ୍ତି। ରୋହିତ ଏସିଆ କପରେ କ୍ରମାଗତ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ ପାକିସ୍ତାନ ବିପକ୍ଷରେ ଅପରାଜିତ ୧୨୨ ରନର ଇନିଂସ ଖେଳିଥିଲେ।

୨୦୧୯ ଜାନୁଆରୀ ପରେ ପ୍ରଥମଥର ପାଇଁ ୩ ଜଣ ଭାରତୀୟ ବ୍ୟାଟର ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି। ସେତେବେଳେ ଶିଖର ଧୱନଙ୍କ ସହ ରୋହିତ ଓ କୋହଲି ଆଇସିସି ବ୍ୟାଟିଂ ରାଙ୍କିଙ୍ଗର ଟପ୍‌ ୧୦ରେ ରହିଥିଲେ।

ଅନ୍ୟପକ୍ଷରେ ପାକିସ୍ତାନର ଇମାମ ଉଲ ହକ ଗୋଟିଏ ସ୍ଥାନ ତଳକୁ ଖସି ୫ମ ଓ ଫଖର ଜମାମ ୩ଟି ସ୍ଥାନ ତଳକୁ ଖସି ୧୦ନଂରେ ରହିଛନ୍ତି।

ବୋଲିଂ ରାଙ୍କିଙ୍ଗକୁ ବିଚାରକୁ ନେଲେ କୁଲଦୀପ ଯାଦବ ଉପରକୁ ଉଠିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୫ ଓ ଶ୍ରୀଲଙ୍କା ବିପକ୍ଷରେ ୪ ୱିକେଟ ଦଖଲ କରିଥିଲେ। ଏଥିପାଇଁ ସେ ଆଇସିସି ବ୍ୟାଟିଂ ରାଙ୍କିଙ୍ଗର ୭ମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ସେହିପରି ଅଲରାଉଣ୍ଡ ରାଙ୍କିଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟା ୬ଷ୍ଠ ସ୍ଥାନ ଦଖଲ କରିଛନ୍ତି।

Related story