Advertisment

WTC ଫାଇନାଲ ଜିତିବାକୁ ୪୪୪ ରନର ଟାର୍ଗେଟ, ଗିଲଙ୍କ ଆଉଟକୁ ନେଇ ବିବାଦ

ଟାର୍ଗେଟ ବିଶାଳ ଥିବା ବେଳେ ଟିମ ଇଣ୍ଡିଆର ଓପନର ତଥା ଅଧିନାୟକ ରୋହିତ ଶର୍ମା ସକାରାତ୍ମକ ଆରମ୍ଭ କରିଛନ୍ତି। ଶୁବମନ ଗିଲ୍‌ ମଧ୍ୟ ଦ୍ୱିତୀୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲେ। ତେବେ ଟି ବ୍ରେକ ପୂର୍ବରୁ ଗିଲ୍‌ ବିବାଦୀୟ ଢଙ୍ଗରେ ଆଉଟ ହୋଇଛନ୍ତି।

author-image
Hemant Lenka
Green

Green

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଟ୍ରଫି ଜିତିବାକୁ ଟିମ ଇଣ୍ଡିଆକୁ ମିଳିଛି ବିଶାଳ ୪୪୪ ରନର ଟାର୍ଗେଟ। ଅଷ୍ଟ୍ରେଲିଆ ୮ ୱିକେଟ ହରାଇ ୨୮୦ ରନ କରିବା ପରେ ପାଳି ଘୋଷଣା କରିଛି। ଫଳରେ ପ୍ରଥମ ଇନିଂସରେ ୧୭୩ ରନ ପଛରେ ରହିଥିବା ଭାରତକୁ ବିଜୟ ପାଇଁ ୪୪୪ ରନର ଟାର୍ଗେଟ ମିଳିଛି।

Advertisment

ଟାର୍ଗେଟ ବିଶାଳ ଥିବା ବେଳେ ଟିମ ଇଣ୍ଡିଆର ଓପନର ତଥା ଅଧିନାୟକ ରୋହିତ ଶର୍ମା ସକାରାତ୍ମକ ଆରମ୍ଭ କରିଛନ୍ତି। ଶୁବମନ ଗିଲ୍‌ ମଧ୍ୟ ଦ୍ୱିତୀୟ ଇନିଂସରେ ଚମତ୍କାର ବ୍ୟାଟିଂ କରିଥିଲେ। ତେବେ ଟି ବ୍ରେକ ପୂର୍ବରୁ ଗିଲ୍‌ ବିବାଦୀୟ ଢଙ୍ଗରେ ଆଉଟ ହୋଇଛନ୍ତି।

ବୋଲାଣ୍ଡ ବୋଲିଂ କରୁଥିବା ବେଳେ ଗିଲ୍‌ ଗଲି ଅଞ୍ଚଳରେ ଫିଲ୍ଡିଂ କରିଥିବା କାମେରନ ଗ୍ରୀନଙ୍କ ହାତରେ କ୍ୟାଚ ଆଉଟ ହୋଇଛନ୍ତି। ତେବେ ଏହି ଆଉଟକୁ ନେଇ ବିବାଦ ଦେଖା ଦେଇଛି। ଅନ ଫିଲ୍ଡ ଅମ୍ପାୟାର ସ୍ପଷ୍ଟ ଭାବେ ଏହାକୁ ଦେଖି ନ ପାରିବାରୁ ତୃତୀୟ ଅମ୍ପାୟାରଙ୍କ ସହାୟତା ନେଇଥିଲେ। କ୍ୟାମେରାର ଫ୍ରଣ୍ଟ ଆଙ୍ଗେଲରୁ ବଲ ତଳେ ଲାଗିଥିବା ଦେଖା ଯାଇଥିଲା।

Advertisment

ତେବେ ଆଉ ଏକ ଆଙ୍ଗେଲରୁ କ୍ୟାଚ୍‌କୁ ଏକାଧିକ ଥର ଦେଖିବା ପରେ ଅମ୍ପାୟାର ଆଉଟ ନିଷ୍ପତ୍ତି ନେଇଥିଲେ। ଗିଲ୍‌(୧୮ ରନ) ପଡ଼ିଆରେ କିଛି ସେକେଣ୍ତ ଛିଡ଼ା ହେବା ପରେ ନିରାଶ ହୋଇ ପ୍ୟାଭିଲିୟନ ଫେରିଥିଲେ। ତେବେ ସୋଶାଲ ମିଡିଆରେ ଏହା ନଟଆଉଟ ଥିଲା ବୋଲି ଅନେକ ମତ ରଖିଛନ୍ତି। କ୍ରିକେଟ ପଣ୍ତିତ ମଧ୍ୟ କ୍ୟାଚ୍‌ ସ୍ପଷ୍ଟ ଭାବେ ଗ୍ରୀନ ଧରିଥିଲେ କି ନାହିଁ, ତା’କୁ ନେଇ ମଧ୍ୟ କିଛିଟା ସନ୍ଦେହ ପ୍ରକାଶ କରିଛନ୍ତି। 

ଗିଲ୍‌ ଆଉଟ ହେବା ପରେ ଟି ବ୍ରେକ ହୋଇଥିଲା। ୧୫ ମିନିଟ୍‌ର ବ୍ରେକ ପରେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଦିବସର ଶେଷ ସେସନ୍ସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି। ଶେଷ ଖବର ସୁଦ୍ଧା ଭାରତ ଗୋଟିଏ ୱିକେଟ ହରାଇ ୬୫ ରନ କରିଛି। ରୋହିତ ଶର୍ମା ୩୨ ଓ ପୂଜାରା ୧୩ ରନ କରି ବ୍ୟାଟିଂ କରୁଛନ୍ତି। ଏବେ ବି ଭାରତକୁ ଜିତିବା ପାଇଁ ୩୭୯ ରନର ଆବଶ୍ୟକତା ରହିଛି।

ଏହାପୂର୍ବରୁ ଅଷ୍ଟ୍ରେଲିଆ ଆଜି ୧୨୩/୪ରୁ ଖେଳ ଆରମ୍ଭ କରିଥିଲା। ଆଜି ମାର୍ନସ ଲାବୁଶେନ(୪୧) ସଅଳ ଆଉଟ ହୋଇଯାଇଥିଲେ। ଏହାପରେ କାମେରନ ଗ୍ରୀନ ୨୫ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ। ଲାଗୁଥିଲା ଅଷ୍ଟ୍ରେଲିଆ ଇନିଂସ ୨୩୦ ମଧ୍ୟରେ ସୀମିତ ରହିବ। କିନ୍ତୁ ଆଲେକ୍ସ କେରୀ ଓ ମିଚେଲ ଷ୍ଟାର୍କ ଦମଦାର ବ୍ୟାଟିଂ କରିବା ସହ ଲିଡ୍‌କୁ ବଢ଼ାଇ ଚାଲିଥିଲେ।

ଉଭୟ ୭ ୱିକେଟ ପାଇଁ ୯୩ ରନ ଯୋଡ଼ି ଭାରତର ସବୁ ଯୋଜନାରେ ପାଣି ପକାଇ ଦେଇଥିଲେ। ଷ୍ଟାର୍କ ୪୧ ରନ କରିବା ପରେ ମହମ୍ମଦ ଶାମିଙ୍କ ବଲରେ ଆଉଟ ହୋଇଥିଲେ। ଇତି ମଧ୍ୟରେ କାରୀ ନିଜର ଅର୍ଦ୍ଧଶତକ ହାସଲ କରି ସାରିଥିଲେ। ପାଟ କମିନ୍ସ ୫ ରନ କରି ଆଉଟ ହେଲା ବେଳକୁ ଅଷ୍ଟ୍ରେଲିଆ ୨୭୦ରେ ପହଞ୍ଚି ସାରିଥିଲା। ଏହାପରେ ଦଳ ପାଳି ଘୋଷଣା କରିଥିଲା। କେରୀ ୬୬ ରନ କରି ନଟଆଉଟ ରହିଛନ୍ତି।

ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ଜାଡେଜା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ଶାମି ଓ ଉମେଶ ଯାଦବ ଦୁଇଟି ଲେଖାଏ ସ‍ଫଳତା ପାଇଛନ୍ତି। ମହମ୍ମଦ ସିରାଜଙ୍କ ଖାତକୁ ଗୋଟିଏ ସଫଳତା ଯାଇଛି।

India Vs Australia World Test Championship Finale WTC WTC Final