Advertisment

ଶୁବମନ ଗିଲଙ୍କ ଦମଦାର ଶତକ, ଭାରତ ୨୮୯/୩

ଭାରତ ୪ର୍ଥ ଟେଷ୍ଟର ତୃତୀୟ ଦିନର ଖେଳା ସୁଦ୍ଧା ୩ ୱିକେଟ ହରାଇ ୨୮୯ ରନ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ବିରାଟ ୫୯ ଓ ରବୀନ୍ଦ୍ର ଜାଡେଜା ୧୬ ରନ କରି ଅପରାଜିତ ରହିଛନ୍ତି।

author-image
Hemant Lenka
Gill

Gill

ଯୁବ ତାରକା ଶୁବମନ ଗିଲଙ୍କ ଦମଦାର ଶତକ ବଳରେ ଅଷ୍ଟ୍ରେଲିଆକୁ କଡ଼ା ଜବାବ ଦେଇଛି ଭାରତ। ଗିଲ୍‌ଙ୍କ ୧୨୮ ଓ ବିରାଟ କୋହଲିଙ୍କ ଅପରାଜିତ ୫୯ ବଳରେ ଭାରତ ୪ର୍ଥ ଟେଷ୍ଟର ତୃତୀୟ ଦିନର ଖେଳା ସୁଦ୍ଧା ୩ ୱିକେଟ ହରାଇ ୨୮୯ ରନ କରି ନେଇଛି। ଷ୍ଟମ୍ପ ଅପସାରଣ ବେଳକୁ ବିରାଟ ୫୯ ଓ ରବୀନ୍ଦ୍ର ଜାଡେଜା ୧୬ ରନ କରି ଅପରାଜିତ ରହିଛନ୍ତି।

Advertisment

୪ର୍ଥ ଟେଷ୍ଟ ଶେଷ ହେବାକୁ ଆଉ ଦିନ ବାକି ରହିଥିବା ବେଳେ ଭାରତ ଏବେ ବି ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ୧୯୧ ରନ ପଛରେ ରହିଛି। ତେଣୁ ମ୍ୟାଚ୍‌ର ମୋଡ଼ କେଉଁ ମୁହୂର୍ତ୍ତରେ ବି ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସରେ ୪୮୦ ରନ କରିଛି।

ଆଜି ଟିମ ଇଣ୍ଡିଆ ତୃତୀୟ ଦିନରେ ୩୬/୦ରୁ ଖେଳ ଆରମ୍ଭ କରିଥିଲା। ଦଳର ଦୁଇ ଅପରାଜିତ ବ୍ୟାଟର ରୋହିତ ଶର୍ମା ଓ ଶୁବମନ ଗିଲ୍‌ ଖେଳ ଆରମ୍ଭରୁ ୪୫ ମିନିଟ୍ ଦମଦାର ବ୍ୟାଟିଂ କରିଥିଲେ। ରୋହିତ ମଧ୍ୟ ଆଟାକିଂ ବ୍ୟାଟିଂ କରିଥିଲେ। ତେବେ ଦଳୀୟ ସ୍କୋର ୭୪ ଥିବା ବେଳେ ରୋହିତ ୩୫ ରନ କରି ମାଥ୍ୟୁ କୁହ୍ନେମାନଙ୍କ ବଲରେ ଆଉଟ ହୋଇଯାଇଥିଲେ। 

Advertisment

ଏହାପରେ ଚେତେଶ୍ୱର ପୂଜାରାଙ୍କ ସହ ମିଶି ଗିଲ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ପୂଜାରା ବି ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ।

ଗିଲ୍‌ ମଧ୍ୟ ମର୍ଫୀଙ୍କୁ ଚୌକା ମାରି ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ। ଏହା ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ପ୍ରଥମ ଶତକ। ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ଥିଲା ୯୧।

୨୦୨୧ ଗାବା ଟେଷ୍ଟରେ ଗିଲ ଶତକ ଠାରୁ ୯ ରନ ପଛରେ ଥିବା ବେଳେ ଆଉଟ ହୋଇଯାଇଥିଲେ। ୨୩ ବର୍ଷୀୟ ଗିଲ୍‌ ମାତ୍ର ୧୯୪ ବଲରେ ନିଜର ଶତକ ହାସଲ କରିଛନ୍ତି। ଉଭୟ ଆଟାକିଂ ଓ ନିଜର ଡିଫେନ୍ସ ଜରିଆରେ ସେ ନିଜର ବ୍ୟାଟିଂ କଳା ସମସ୍ତଙ୍କୁ ଦେଖାଇଛନ୍ତି। ୧୨୦ ବଲରେ ଗିଲ୍‌ ୭୦ ରନ କରିଥିଲେ। ହେଲେ ୭୦ରୁ ୮୦ ରନ କରିବା ପାଇଁ ସେ ୫୪ ବଲର ସାମ୍ନା କରି ଅଷ୍ଟ୍ରେଲିଆର ବୋଲରଙ୍କୁ ସମ୍ମାନ ଜଣାଇଥିଲେ।

ତେବେ ତୃତୀୟ ଦିନର ଦ୍ୱିତୀୟ ସେସନ ଶେଷ ହେବାକୁ ପ୍ରାୟ ୧ ଘଣ୍ଟା ସମୟ ଥିବା ବେଳେ କାମେରନ ଗ୍ରୀନକୁ କ୍ରମାଗତ ୨ଟି ଚୌକା ମାରି ସେ ୮୦ ରନ ଅତିକ୍ରମ କରିଥିଲେ। ଏଥିସହ ଟି’ ପରେ ୧୯୪ ବଲରେ ଚୌକା ମାରି ନିଜର ଶତକ ହାସଲ କରିଥିଲେ।

ହେଲେ ଟି’ ଟାଇମର ଶେଷ ଓଭରରେ ପୂଜାରା(୪୨)ଙ୍କୁ ଟଡ ମର୍ଫୀ ଆଉଟ କରି ଭାରତକୁ ଦ୍ୱିତୀୟ ଝଟକା ଦେଇଥିଲେ।ତେବେ ଗିଲ ଓ ବିରାଟ ଅଷ୍ଟ୍ରେଲିଆଙ୍କୁ କମବ୍ୟାକ ପାଇଁ କୌଣସି ସୁଯୋଗ ଦେଇ ନଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ। ବିରାଟ ମଧ୍ୟ ଆଜି ଭଲ ଲୟରେ ରହିଛନ୍ତି। ଦଳୀୟ ସ୍କୋର ୨୪୫ ରନ ଥିବା ବେଳେ ଗିଲ୍‌ ୧୨୮ ରନ କରି ନାଥନ ଲାୟନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ଯାଇଥିଲେ। ଭାରତ ତୃତୀୟ ୱିକେଟ ହରାଇଥିଲା।

ଗିଲ ଆଉଟ ହେବା ପରେ ବିରାଟ ସବୁ ଦାୟିତ୍ୱ ନିଜ କାନ୍ଧକୁ ନେଇଥିଲେ। ତାଙ୍କୁ ଜାଡେଜା ଭରପୂର ସହଯୋଗ କରିଥିଲେ। ବିରାଟ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି। ଦିବସର ଶେଷ ଦୁଇ ଓଭର ବାକି ଥିବା ବେଳେ ଜାଡେଜା ୬କା ମାରି ନିଜର ଆଟାକିଂ ରୂପ ଦେଖାଇଥିଲେ।

ଅଷ୍ଟ୍ରେଲିଆ ଅଧିନାୟକ ବିରାଟ-ଜାଡେଜାଙ୍କ ଯୋଡ଼ିକୁ ଭାଙ୍ଗିବା ପାଇଁ ବାରମ୍ବାର ବୋଲିଂ ଏଣ୍ଡରେ ପରିବର୍ତ୍ତନ କରିଥିଲେ। କିନ୍ତୁ କେହି ବି ସଫଳତା ପାଇ ନାହାନ୍ତି। ଶେଷରେ ଭାରତ ୨୮୯/୩ କରିଥିବା ବେଳେ ଅମ୍ପାୟର ଦିବସର ଖେଳ ଶେଷ ଘୋଷଣା କରିଥିଲେ।

ବିରାଟ ଭଲ ଲୟରେ ଥିବାରୁ ତାଙ୍କ ବ୍ୟାଟରୁ ସମସ୍ତେ ଶତକ ଆଶା କରିଛନ୍ତି। କାରଣ ୨୦୧୯ ବାଂଲାଦେଶର ବିପକ୍ଷ ପିଙ୍କ ବଲ ଟେଷ୍ଟ ଠାରୁ ତାଙ୍କ ବ୍ୟାଟରୁ ଶତକ ଦେଖିବାକୁ ମିଳିନି। ଅହମଦାବାଦ ପିଚ୍‌ ବ୍ୟାଟରଙ୍କୁ ସୁହାଉଥିବାରୁ ବିରାଟ ଶତକ ହାସଲ କରିବେ ବୋଲି ସମସ୍ତେ ଆଶା କରିଛନ୍ତି। ଏଥିସହ ଦଳ ୧୯୧ ରନ ପଛରେ ଥିବାରୁ ଏହାକୁ ପ୍ରଥମେ ହାସଲ କରିବା ଲକ୍ଷ୍ୟ ରହିଛି।

ଅଷ୍ଟ୍ରେଲିଆ ପକ୍ଷରୁ କୁହ୍ନେମାନ, ଲାୟନ ଓ ମର୍ଫୀ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Indian Cricket Team Cricket India Vs Australia Border-Gavaskar Trophy Shubman Gill