Advertisment

ଭାରତ ଚାମ୍ପିୟନ୍ସ ଟ୍ରଫି ଜିତିବା ପରେ ଆଇସିସି ଜାରି କଲା ରାଙ୍କିଙ୍ଗ

ଭାରତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଖେଳାଳିମାନେ ଉଭୟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ କମାଲ କରିଥିଲେ।

author-image
Hemant Lenka
Champions Trophy

Champions Trophy

ରବିବାର ଭାରତ ଚାମ୍ପିୟନ୍ସ ଟ୍ରଫି ବା ମିନି ବିଶ୍ୱକପ ଜିତିଛି। ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୧୨ ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଏହାର ୨ ଦିନ ପରେ ଅର୍ଥାତ ବୁଧବାର ଆଇସିସି ପକ୍ଷରୁ ଚାମ୍ପିୟନ୍ସ ଟ୍ରଫି ପ୍ରଦର୍ଶନ ଆଧାରରେ ଖେଳାଳିଙ୍କ ରାଙ୍କିଙ୍ଗ କରିଛି। ଆଇସିସି ଜାରି କରିଥିବା ଦିନିକିଆ ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଅନେକ ଫାଇଦା ମିଳିଛି।

Advertisment

ଦିନିକିଆରେ ଭାରତର ୟଙ୍ଗ ଓପନର ଶୁବମନ ଗିଲ ପୂର୍ବଭଳି ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଛନ୍ତି। ଅଧିନାୟକ ରୋହିତ ଶର୍ମା ଫାଇନାଲ ମ୍ୟାଚ୍‌ରେ ୭୬ ରନର ଇନିଂସ ଖେଳିବାରୁ ତୃତୀୟ ସ୍ଥାନକୁ ଉଠିଛନ୍ତି। ସେହିପରି ଚାମ୍ପିୟନ୍ସ ଟ୍ରଫିରେ ଘାତକ ବୋଲିଂ କରିଥିବା ରବୀନ୍ଦ୍ର ଜାଡେଜା ବୋଲିଂ ରାଙ୍କିଙ୍ଗର ଟପ ୧୦ରେ ପ୍ରବେଶ କରିଛନ୍ତି। ଭାରତ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ତୃତୀୟ ଥର ପାଇଁ ଚାମ୍ପିୟନ୍ସ ଟ୍ରଫି ଜିତିଛି। ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଖେଳାଳିମାନେ ଉଭୟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ କମାଲ କରିଥିଲେ। ଏଥିପାଇଁ ଆଇସିସି ରାଙ୍କିଙ୍ଗରେ ଖେଳାଳିଙ୍କ ପଦୋନ୍ନତି ହୋଇଛି।

ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ଶତକ ହାସଲ କରିଥିବା ଶୁବମନ ଗିଲ ୭୮୪ ପଏଣ୍ଟ ସହ ୧ନଂ ସ୍ଥାନରେ ଥିବା ବେଳେ ପାକିସ୍ତାନର ବାବର ଆଜମ ୨ନଂରେ ଅଛନ୍ତି। ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଫାଇନାଲ ମ୍ୟାଚ୍‌ରେ ଦମଦାର ଅର୍ଦ୍ଧଶତକ ହାସଲ କରିଥିବାରୁ ୨ଟି ସ୍ଥାନ ଉପରକୁ ଉଠି ୩ନଂରେ ପହଞ୍ଚି ଯାଇଛନ୍ତି। ରୋହିତ ଫାଇନାଲରେ ୮୩ ବଲରେ ସାମ୍ନା କରି ୭୬ ରନ କରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମଧ୍ୟ ମିଳିଛି। ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ରାଙ୍କିଙ୍ଗର ୫ମ ସ୍ଥାନରେ ଅଛନ୍ତି। ସେ ଚାମ୍ପିୟନ୍ସ ଟ୍ରଫିରେ ମୋଟ ୨୧୮ ରନ କରିଥିଲେ।

Advertisment

ଦକ୍ଷିଣ ଆଫ୍ରିକାର ହେନରିଚ କ୍ଲାସେନ ଗୋଟିଏ ସ୍ଥାନ ଖସି ୪ନଂରେ ରହିଛନ୍ତି। ନ୍ୟୁଜିଲ୍ୟାଣ୍ଡର ଡାରେଲ ମିଚେଲ ୬ଷ୍ଠ, ଆୟର୍ଲ୍ୟାଣ୍ଡର ହ୍ୟାରୀ ଟ୍ରେକ୍ଟର ୭ମ, ଭାରତର ଶ୍ରେୟସ ଆୟର ୮ମ, ଶ୍ରୀଲଙ୍କାର ଚରିଥା ଅସଲଙ୍କା ୯ମ ଓ ୧୦ମ ସ୍ଥାନରେ ଆଫଗାନିସ୍ତାନର ଇବ୍ରାହିମ ଜଦ୍ରାନ ଅଛନ୍ତି। ଚାମ୍ପିୟନ୍ସ ଟ୍ରଫିର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିବା ନ୍ୟୁଜିଲ୍ୟାଣ୍ଡର ରଚିନ ରବୀନ୍ଦ୍ର ୧୪ଟି ସ୍ଥାନ ଉଠି ୧୪ ନମ୍ବର ଓ ଗ୍ଲେନ ଫିଲିପ୍ସ ୬ଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନ ଦଖଲ କରିଛନ୍ତି।

ଦିନିକିଆ ବୋଲିଂ ରାଙ୍କିଙ୍ଗରେ ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ମିଚେଲ ସାଣ୍ଟନର ସବୁଠାରୁ ବଡ଼ ଫାଇଦା ପାଇଛନ୍ତି। ସେ ଏକାଥରେ ୬ଟି ସ୍ଥାନ ଉପରକୁ ଉଠି ୨ନଂ ସ୍ଥାନରେ ପହଞ୍ଚିଛନ୍ତି। ଚାମ୍ପିୟନ୍ସ ଟ୍ରଫିରଆ ସାଣ୍ଟନର ୯ଟି ୱିକେଟ ଦଖଲ କରିଥିଲେ। ଫାଇନାଲରେ ମଧ୍ୟ ସେ ୨ଟି ସଫଳତା ପାଇଥିଲେ। ତାଲିକାର ୧ନଂ ସ୍ଥାନରେ ପୂର୍ବଭଳି ଶ୍ରୀଲଙ୍କାର ମହୀଶ ତୀକଶାନା ରହିଛନ୍ତି।

ସାଣ୍ଟନରଙ୍କ ଟିମ ମେଟ ମାଇକେଲ ବ୍ରେସୱେଲ ୧୦ଟି ସ୍ଥାନ ଉପରକୁ ଉଠି ୧୮ତମ ସ୍ଥାନରେ ପହଞ୍ଚିଛନ୍ତି। ଭାରତର ରବୀନ୍ଦ୍ର ଜାଡେଜା ୩ଟି ସ୍ଥାନ ଉପରକୁ ଉଠି ୧୦ ନମ୍ବର ଓ କୁଲଦୀପ ଯାଦବ ୩ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୩ ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି।

ଦିନିକିଆ ଅଲରାଉଣ୍ଡର ତାଲିକାର ୧ନଂ ସ୍ଥାନରେ ଆଫଗାନିସ୍ତାନର ଅଜମତୁଲ୍ଲା ଓମରଜାଇ ୧ନଂ ରହିଥିବା ବେଳେ ଦ୍ୱିତୀୟରେ ମହମ୍ମନ ନବି, ତୃତୀୟରେ ଜିମ୍ବାୱେର ସିକନ୍ଦର ରାଜା, ୪ର୍ଥରେ ମିଚେଲ ସାଣ୍ଟନର ଓ ୫ମରେ ବାଂଲାଦେଶର ମେହିଦ ହାସନ ମିରାଜ ରହିଛନ୍ତି। ଅଲରାଉଣ୍ଡ ତାଲିକାର ଟପ ଟେନରେ ଭାରତର ଏକମାତ୍ର ଖେଳାଳି ଭାବେ ରବୀନ୍ଦ୍ର ଜାଡେଜା ଅଛନ୍ତି। ସେ ୧୦ ନମ୍ବର ସ୍ଥାନ ଦଖଲ କରିଛନ୍ତି।

ICC Team India Champions Trophy