ଗିଲ ଓ ପନ୍ତ
ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁହାଟୀ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟକା। ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ହାରି ସାରିଥିବା ଭାରତ ଏବେ ନିଜ ନିୟମିତ ଅଧିନାୟକ ଶୁବମନ ଗିଲଙ୍କୁ ହରାଇଛି। ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି ଗିଲ।
ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ଗିଲ୍ ବେକ ଜନିତ ସମସ୍ୟାରେ ପଡ଼ିଥିଲେ। ତଥାପି ତାଙ୍କୁ ସ୍କ୍ୱାଡରୁ ବାଦ ଦିଆ ଯାଇ ନଥିଲା। କିନ୍ତୁ ଶୁକ୍ରବାର ସକାଳୁ ସେ ନିଜର ଆହତ ସମସ୍ୟାର ଚିକିତ୍ସା ପାଇଁ ମୁମ୍ବାଇର ବିଶେଷଜ୍ଞ ଡାକ୍ତର ଟିମ ପାଖରେ ପହଞ୍ଚିଛନ୍ତି। ତାଙ୍କ ଆହତ ସମସ୍ୟା ଜଟିଳ ଥିବାରୁ ତାଙ୍କୁ ଦ୍ୱିତୀୟ ଟେଷ୍ଟରୁ ବାଦ ଦିଆଯାଇଛି। ଗିଲ ବାଦ ପଡ଼ିଥିବାରୁ ଏବେ ଋଷଭ ପନ୍ତ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ୱ ପାଇଛନ୍ତି।
ଆସନ୍ତକାଲି ଠାରୁ ଆରମ୍ଭ ହେଉଥିବା ଗୁହାଟୀ ଟେଷ୍ଟରେ ଭାରତ ପନ୍ତଙ୍କ ନେତୃତ୍ୱରେ ଖେଳିବ। ସେ ପୂର୍ବରୁ ଗିଲଙ୍କ ଡେପୁଟି ରହିଥିଲେ। ଗିଲଙ୍କ ଅନୁପସ୍ଥିତିରେ ପନ୍ତଙ୍କୁ ଭାରତୀୟ ଟିମର କମାଣ ମିଳିଛି।
ବିସିସିଆଇ ପକ୍ଷରୁ ଗୋଟିଏ ବିବୃତିରେ କୁହାଯାଇଛି ଯେ “ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ବେକ ଜନିତ ଆହତ ସମସ୍ୟାରେ ପଡ଼ିଥିବା ଭାରତୀୟ ଟିମର ଅଧିନାୟକ ଶୁବମନ ଗିଲ ଗୁହାଟୀରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଛନ୍ତି। କୋଲକାତା ଟେଷ୍ଟର ଦ୍ୱିତୀୟ ଦିନରେ ବେକରେ ସମସ୍ୟା ଅନୁଭବ କରିଥିବା ଗିଲଙ୍କୁ ସେଦିନର ଖେଳ ପରେ ହସ୍ପିଟାଲକୁ ନିଆଯାଇଥିଲା।
ସେଠାରେ ତାଙ୍କ ଚିକିତ୍ସା ହୋଇଥିଲା ଓ ଦିନକ ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। ୧୯ ନଭେମ୍ବରରେ ସେ ଗୁହାଟୀ ଗସ୍ତ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ସେ ଦ୍ୱିତୀୟ ଟେଷ୍ଟ ପାଇଁ ସଂପୂର୍ଣ୍ଣ ଫିଟ ହୋଇ ପାରି ନାହାନ୍ତି। ସେ ନିଜର ଆହତ ସମସ୍ୟାର ଅଧିକ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରିଛନ୍ତି। ଗିଲଙ୍କ ଅନୁପସ୍ଥିତିରେ ଋଷଭ ପନ୍ତ ଦ୍ୱିତୀୟ ଟେଷ୍ଟରେ ଦଳର ନେତୃତ୍ୱ ନେବେ।”
କୋଲକାତାରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗିଲ ମାତ୍ର ୩ଟି ବଲ ସାମ୍ନା କରି ରିଟାର୍ଡ ହର୍ଟ ହୋଇଥିଲେ। ମ୍ୟାଚ୍ର ଦ୍ୱିତୀୟ ଦିନ ଏପରି ଘଟଣା ଘଟିଥିଲା। ତୃତୀୟ ଦିନ ସକାଳୁ ଗିଲ ମ୍ୟାଚ୍ରେ ଭାଗ ନେଇପାରିବେ ନାହିଁ ବୋଲି ବିସିସିଆଇ ନିଶ୍ଚିତ କରିଥିଲା। ଭାରତ ଏହି ଟେଷ୍ଟକୁ ଜିତିବା ପାଇଁ ୧୨୪ ରନର ପିଛା କରୁଥିଲେ ହେଁ ୯୩ ରନରେ ଅଟକି ଯାଇଥିଲା। ଦକ୍ଷିଣ ଆଫ୍ରିକା ୩୦ ରନରେ ମ୍ୟାଚ୍ ଜିତି ଏବେ ସିରିଜରେ ୧-୦ରେ ଆଗୁଆ ହୋଇ ଯାଇଛି।
ଏହାପୂର୍ବରୁ ଗିଲ ୨୦୨୪ ଅକ୍ଟୋବରରେ ସମାନ କାରଣ ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଗୋଟିଏ ଟେଷ୍ଟ(Test Match)ରୁ ବାଦ ପଡ଼ିଥିଲେ। ଗିଲ(Shubhman Gill) ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ପଡ଼ିଥିବାରୁ ତାଙ୍କ ବଦଳରେ କିଏ ଚୂଡ଼ାନ୍ତ ଏକାଦଶରେ ରହିବେ, ତାହା ଟିମ ମ୍ୟାନଜେମେଣ୍ଟ ଆଗରେ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।
ସମ୍ଭବତଃ ସାଈ ସୁଦର୍ଶନ ଓ ଦେବଦତ୍ତ ପାଡିକ୍କଲଙ୍କ ମଧ୍ୟରୁ ଜଣେ ଗିଲଙ୍କ ସ୍ଥାନ ନେଇ ପାରନ୍ତି। ପ୍ରଥମ ଟେଷ୍ଟ(Test Cricket)ରେ ଭାରତୀୟ ଟିମରେ କେଏଲ ରାହୁଲ ଓ ଧ୍ରୁବ ଜୁରେଲଙ୍କୁ ଛାଡ଼ି ଦେଲେ ସମସ୍ତ ଟପ ଅର୍ଡର ବ୍ୟାଟର ବାମହାତୀ ରହିଥିଲେ। ସୁଦର୍ଶନ ଓ ପାଡିକ୍କଲ ମଧ୍ୟ ବାମହାତୀ। ଏପରି ସ୍ଥିତିରେ ପ୍ରଥମ ଟେଷ୍ଟରେ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ଜିତିଥିବା ଅପ ସ୍ପିନର ସିମମ ହାର୍ମର ଦ୍ୱିତୀୟ ଟେଷ୍ଟରେ ପୁଣି ଭାରତୀୟ ବ୍ୟାଟରଙ୍କୁ ଘାଇଲା କରିବାର ଆଶଙ୍କା ରହିଛି। ତେଣୁ ଚୂଡ଼ାନ୍ତ ଏକାଦଶରେ ଅକ୍ଷର ପଟେଲଙ୍କ ସ୍ଥାନରେ ନୀତୀଶ ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/21/gill-2025-11-21-13-14-16.jpg)